ବିଚିତ୍ର ସ୍ଥିତି: କଟକ ସହର ବନଖଣ୍ଡ କାର୍ଯ୍ୟାଳୟ ଭୁବନେଶ୍ବରରେ

କଟକ ଜିଲ୍ଲା ବନାଞ୍ଚଳ ୫ ଭାଗରେ ବିଭକ୍ତ, କଟକ ଡିଏଫ୍‌ଓଙ୍କ ଅଧୀନରେ ଜିଲ୍ଲାର ମାତ୍ର ୨ ବ୍ଲକ୍‌

କଟକ : କଟକ ଜିଲ୍ଲାର ବନାଞ୍ଚଳ ୫ ଖଣ୍ଡରେ ଭାଗ ହୋଇଛି। କଟକ ସହର ବନାଞ୍ଚଳ ରହିଛି ଭୁବନେଶ୍ବର ସିଟି ଡିଭିଜନ ଅଧୀନରେ। କଟକ ସହର ସମେତ ୧୪ଟି ବ୍ଲକ୍‌ ୫ ବନଖଣ୍ଡ ଅଧୀନରେ ଭାଗଭାଗ ହୋଇଛି। ଡିଏଫ୍‌ଓ ସିଟି ଡିଭିଜନ ଭୁବନେଶ୍ବର, କଟକ ବନଖଣ୍ଡ, ଆଠଗଡ଼ ବନଖଣ୍ଡ, ଚନ୍ଦକା ଓ ଖୋର୍ଦ୍ଧା ବନଖଣ୍ଡ ଏଭଳି ୫ଟି ବନଖଣ୍ଡ ଅଧୀନରେ କଟକ ଜିଲ୍ଲାକୁ ବାଣ୍ଟି ଦିଆଯାଇଛି।

କଟକର କେଉଁ ଅଞ୍ଚଳର ବାସିନ୍ଦାଙ୍କୁ ଅଭିଯୋଗ ନେଇ କେନ୍ଦ୍ରାପଡ଼ା ଯିବାକୁ ପଡୁଛି ତ କାହାକୁ ଯିବାକୁ ପଡ଼ୁଛି ଭୁବନେଶ୍ବର, ଚନ୍ଦକା ଆଉ ଖୋର୍ଦ୍ଧା। ଏଭଳି ବିଚିତ୍ର ଭୌଗୋଳିକ ବ୍ୟବସ୍ଥା ଭିତରେ ବର୍ଷ ବର୍ଷ ହେଲା ଛନ୍ଦି ହୋଇ ରହିଛି କଟକର ବନାଞ୍ଚଳ ପରିଚାଳନା ବ୍ୟବସ୍ଥା। ଏଭଳି ବିଚିତ୍ର ବ୍ୟବସ୍ଥା ପାଇଁ ବିଭାଗ ଭିତରେ ସମନ୍ବୟ ତ ରହୁନି ଓଲଟା ଜଙ୍ଗଲ ସଂପଦ ଲୁଟ୍‌ ହେବାରେ ଲାଗିଛି। କଟକ ଜିଲ୍ଲା ପାଇଁ ଗୋଟିଏ ବନଖଣ୍ଡ ଓ ଜଣେ ବନଖଣ୍ଡ ଅଧିକାରୀ ବ୍ୟବସ୍ଥା ପାଇଁ ବର୍ଷେ ହେଲା ଯୋଜନା ଚାଲି ଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁନି ।

କଟକ ଜିଲ୍ଲା‌ରେ ରହିଛି ମହାନଗର ନିଗମ, ଗୋଟିଏ ପୌରପରିଷଦ, ଦୁଇଟି ଏନ୍‌ଏସି ଓ ୧୪ଟି ବ୍ଲକ୍‌। କଟକ ଜିଲ୍ଲାର ବନାଞ୍ଚଳକୁ ୫ଟି ଭାଗରେ ବିଭକ୍ତ କରାଯାଇଛି। କଟକ ଡିଏଫ୍‌ଓ ସିଟି ଡିଭିଜନ୍‌ଙ୍କ ଅଧୀନରେ କଟକ ସହର ସମେତ ଫୁଲନଖରା, କଣ୍ଟାପଡ଼ା, ନିଆଳି, ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ ରହିଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ବା ଡିଏଫ୍‌ଓ ସିଟି ଡିଭିଜନଙ୍କ ଅଫିସ କିନ୍ତୁ ଭୁବନେଶ୍ବରରେ ରହିଛି। କଟକରେ ଏହାର ଦୁଇଟି ରେଞ୍ଜ କାର୍ଯ୍ୟଳୟ ରହିଛି। ଗୋଟିଏ ମହାନଦୀବିହାର ଓ ଅନ୍ୟଟି ଘାଟକୂଳରେ। ସେହିପରି ବୟାଳିଶମୌଜାଠାରେ ଥିବା କଟକ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନାଁ କଟକ ଡିଏଫ୍‌ଓ ଅଫିସ ହୋଇଥିଲେ ବି ସେହି କାର୍ଯ୍ୟାଳୟ ଅଧୀନରେ ଜିଲ୍ଲାର ମାତ୍ର ଦୁଇଟି ବ୍ଲକ୍‌ ଅର୍ଥାତ ଟାଙ୍ଗୀ-ଚୌଦ୍ବାର ଓ ମାହାଙ୍ଗା ରହିଛି। କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍‌ସିଂହପୁର ଜିଲ୍ଲାର ବ୍ଲକ୍‌ ଏହାର ଅଧୀନରେ ରହିଛି।

ସେହିପରି ଜିଲ୍ଲାର ବାଙ୍କୀ ଓ ଡମପଡ଼ା ବ୍ଲକ୍‌ର କିଛି ଅଂଶ ଚନ୍ଦକା ବନଖଣ୍ଡ ଓ ଖୋର୍ଦ୍ଧା ବନଖଣ୍ଡଙ୍କ ଅଧୀନରେ ଯାଉଛି। ଆଠଗଡ଼ ବନଖଣ୍ଡ ଅଧୀନରେ ଆଠଗଡ଼ ଉପଖଣ୍ଡ ଯାଉଛି। ଯେଉଁଥିରେ ୫ଟି ରେଞ୍ଜ ଓ ୪ଟି ବ୍ଲକ୍‌ ରହିଛି। ସେଗୁଡିକ ହେଲା ଆଠଗଡ଼, ତିଗିରିଆ, ବଡମ୍ବା, ନରସିଂହପୁର। ଆଠଗଡ଼ ଡିଏଫ୍‌ଓଙ୍କ ଅଧୀନରେ ଯେହେତୁ ଗୋଟିଏ ଉପଖଣ୍ଡ ଯାଉଛି ସେଠାରେ ବନଖଣ୍ଡରେ ସେଭଳି କୌଣସି ସମସ୍ୟା ହେଉନି। କିନ୍ତୁ କଟକ ଜିଲ୍ଲାରେ ଯେଉଁ ଜିଲ୍ଲାସ୍ତରୀୟ ବୈଠକ ହେଉଛି, ଜିଲ୍ଲାର ଜଙ୍ଗଲ ସମସ୍ୟା, ଚାରାରୋପଣ ସ୍ଥିତି ସମୀକ୍ଷା ତଥା ବିଭିନ୍ନ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ସେଥିରେ ଜିଲ୍ଲାର ସ୍ଥିତି ଜଣାଇବା ପାଇଁ କୌଣସି ଜଣେ ଅଧିକାରୀଙ୍କ କ୍ଷମତା ରହୁନି। ଏଭଳି ବ୍ୟବସ୍ଥାର ପରିବର୍ତ୍ତନ କରିବା ପାଇଁ ବର୍ଷେ ହେଲା ଯୋଜନା‌ ଆରମ୍ଭ ହୋଇଥିଲେ ବି ତାର ରୂପରେଖ ଚୂଡ଼ାନ୍ତ ହୋଇପାରୁ ନଥିବାରୁ ପ୍ରକ୍ରିୟା ବିଳମ୍ବିତ ହୋଇ ଚାଲିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର