କଟକ : କଟକ ସିଟି ହସପିଟାଲରେ ଛିଡ଼ାହେବ ୩୦୦ କୋଟି ଟଙ୍କା ବ୍ୟୟରେ ୮ ମହଲା ବିଶିଷ୍ଟ କୋଠା। ଏଥିପାଇଁ ହସପିଟାଲ ପରିସରରେ ୨ ଏକର ଜମି ବି ଚିହ୍ନଟ କରାଯାଇଥିଲା। ଜିଲ୍ଲା ଭ୍ୟାକ୍ସିନ୍ ଷ୍ଟୋର ଏବ˚ ଓୟାରହାଉସ ଚାଉଳିଆଗଞ୍ଜସ୍ଥିତ ନୂଆବଜାର ଲେପର୍ସି ହୋମ୍ ନିକଟକୁ ସ୍ଥାନାନ୍ତର କରାଯିବ। ଜିଲ୍ଲା ପ୍ରଶାସନର ଏଭଳି ରଙ୍ଗିନ ଯୋଜନାକୁ ୧୧ ମାସ ପୂରିବାକୁ ବସିଲାଣି। ଆଗାମୀ ୩୦ ବର୍ଷ ପାଇଁ ନୂଆ ରୂପ ନେବାକୁ ଥିବା ସିଟି ହସପିଟାଲର ଏହି ବୃହତ ଯୋଜନାକୁ ଏକ ପ୍ରକାର ଅଚଳ କରିଦିଆଯାଇଛି। କୋଠାର ଡିଜାଇନ୍ ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଆଜିଯାଏ ମାଟି ମୁଠାଏ ବି ହସପିଟାଲ ପରିସରରେ କୋଠା ପାଇଁ ପଡ଼ିପାରିଲା ନାହିଁ। କେବଳ ଆଲୋଚନା ଓ ବୈଠକରେ ଏହି ୩୦୦ କୋଟି ଟଙ୍କାର ପ୍ରକଳ୍ପ ଅଧାରେ ରୋକି ଦିଆଯାଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ସିଟି ହସପିଟାଲରେ ୮ ମହଲା କୋଠା ନିର୍ମାଣ ପାଇଁ ଚଳିତବର୍ଷ ଜାନୁଆରି ୮ ତାରିଖରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଡିଏମଓ ଡାକ୍ତର ସତ୍ୟବ୍ରତ ଛୋଟରାୟ ଏବ˚ ଅନ୍ୟ ବରିଷ୍ଠ ଅଧିକାରୀମାନେ ହସପିଟାଲ ପରିସରରେ ହିଁ ନିଷ୍ପତ୍ତି ନେଇଥିଲେ। ୧୯୫୦ ମସିହାର ପୁରୁଣା ସିଟି ହସ୍ପିଟାଲ୍ କୋଠାରେ ଥିବା ଡାଇରିଆ ଵାର୍ଡ, ସେଣ୍ଟ୍ରାଲ୍ ଷ୍ଟୋର୍, ଅଫିସ ବ୍ଲକ, ନର୍ସ ଓ ଫାର୍ମାସିଷ୍ଟ କ୍ବାର୍ଟର୍, ଚକ୍ଷୁ ବିଭାଗ ଓପିଡି, ପିପି ସେଣ୍ଟର, ଇମ୍ୟୁନାଇଜେସନ୍ ସେଣ୍ଟର ଭଙ୍ଗାଯିବାର ଯୋଜନା ହୋଇଥିଲା। ନୂଆକୋଠାରେ ପ୍ରଥମଥର ପାଇଁ ଶିଶୁରୋଗୀଙ୍କ ପାଇଁ ଏସ୍ଏନ୍ସିୟୁ, ମଡ୍ୟୁଲାର୍ ଓଟି, ଚର୍ମ, ଇଏନ୍ଟି, ବର୍ଣ୍ଣ, ଆଇସିୟୁ ୟୁନିଟ୍ ଖୋଲାଯିବ। ଗୁରୁତର ଥିବା ସ୍ତ୍ରୀ ଓ ପ୍ରସୂତି ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଏମ୍ସିଏଚ୍ (ମାତୃମ˚ଗଳ ଗୃହ) କୋଠା ନିର୍ମାଣ କରାଯିବ। ୧୦୦ ବେଡ୍ ବିଶିଷ୍ଟ ଏମ୍ସିଏଚ୍ କୋଠାରେ ଗୁରୁତର ସ୍ତ୍ରୀ ଓ ପ୍ରସୂତି ରୋଗୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗାଇ ଦିଆଯିବ। ଆଇସିୟୁ ଓ ଏସ୍ଏନ୍ସିୟୁ ବେଡ୍ ୩୦ଟି ରହିବ। ମୋଟାମୋଟି ଭାବେ ଏବେ ସିଟି ହସ୍ପିଟାଲ୍ରେ ସର୍ଜରି, ଗାଇନିକ୍, ମେଡିସିନ୍, ପେଡିଆଟ୍ରିକ, ଆଇ ଏବ˚ ଜେରିଆଟ୍ରିକ୍ ବିଭାଗର ଇନ୍ଡୋର୍ରେ ୧୪୦ ବେଡ୍ ଥିବା ବେଳେ ନୂଆକୋଠା ହେଲେ ଇନ୍ଡୋର୍ ବେଡ୍ ସ˚ଖ୍ୟା ୩୦୦କୁ ଛୁଇଁବ। ଡେଣ୍ଟାଲ୍ ୟୁନିଟ୍, ରେଡିଓଲଜି ବିଭାଗ ଏବ˚ ନୂତନ ପ୍ରଶାସନିକ କୋଠା ତିଆରି କରାଯିବ। ୨୦୦୬ରୁ ଚାଲିଆସୁଥିବା ସିଟି ହସ୍ପିଟାଲ୍ର ଆଉଡୋର କୋଠା ଭଙ୍ଗାଯିବ ନାହିଁ। ସେହି ସ୍ଥାନରେ ଆଉଟ୍ଡୋର ଚିକିତ୍ସା ପୂର୍ବ ଭଳି ଚାଲିବ। ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ହସପିଟାଲ ପରିସରରେ ଥିବା ଗ୍ରିଡ୍କୋର ଦୁଇଟି ସବ୍-ଷ୍ଟେସନ୍ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ଉକ୍ତ ବୈଠକରେ ସେସୁକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତର କରାଯାଇ ନାହିଁ।
ସିଡିଏମ୍ଓ ଡାକ୍ତର ସତ୍ୟବ୍ରତ ଛୋଟରାୟ କହିଛନ୍ତି ଯେ ସିଟି ହସପିଟାଲର ୮ ମହଲା ବିଶିଷ୍ଟ କୋଠା ପାଇଁ ଆର୍କିଟେକ୍ ଇଞ୍ଜିନୟରଙ୍କ ସହିତ ଭୁବନେଶ୍ବରରେ ଆଲୋଚନା ହୋଇଛି। ଡିଜାଇନ୍ ବି ପ୍ରସ୍ତୁତ ହୋଇଛି। ଗଲା ଅକ୍ଟୋବରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକରେ ମଧ୍ୟ ଏହି ପ୍ରକଳ୍ପ ପାଇଁ ଆଲୋଚନା କରାଯାଇଥିଲା। ଏବେ ସିଟି ହସପିଟାଲରେ ଥିବା ଜିଲ୍ଲା ଭ୍ୟାକ୍ସିନ୍ ଷ୍ଟୋର୍ ଓ ଓୟାର ହାଉସ୍ ଚାଉଳିଆଗଞ୍ଜ ଅନ୍ତର୍ଗତ ନୂଆବଜାରସ୍ଥିତ ଲେପରସି ହୋମ ନିକଟକୁ ସ୍ଥାନାନ୍ତର କରାଯିବ। ଆରଆଣ୍ତବିକୁ ଏଥିପାଇଁ ୬୦ ଲକ୍ଷ ଟଙ୍କା ଅର୍ଥ ଯୋଗାଇ ଦିଆଯିବ। ଏହି ଦୁଇଟି କୋଠା ସ୍ଥାନାନ୍ତର ପରେ ସିଟି ହସପିଟାଲ ଭିତରେ ୮ ମହଲା କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିବା ଡାକ୍ତର ଛୋଟରାୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/city-hospital-cuttack.jpg)