କଟକ: ବିଷାକ୍ତ ହେଉଛି କଟକ ସହରର ବାୟୁମଣ୍ଡଳ। ସହରର ବାୟୁ ଆଉ ଶ୍ବସନଯୋଗ୍ୟ ହୋଇ ରହି ନାହିଁ। ବାୟୁମଣ୍ଡଳରେ ଅତି ସୂକ୍ଷ୍ମକଣିକା ସର୍ବାଧିକ ପରିମାଣରେ ଅଛି। ଏହି କଣିକାମା‌ନ ସହଜରେ ‌ଶ୍ବାସକ୍ରିୟ‌ାରେ ଶରୀରକୁ ଯାଇ ଫୁସ୍‌ଫୁସକୁ ଆକ୍ରାନ୍ତ କରିପାରେ। ସହରର ବାୟୁମଣ୍ଡଳରେ ଅଧିକ ସମୟରେ ରହିଲେ, ଶ୍ବାସକ୍ରିୟାଜନିତ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଡିସେମ୍ବର ୨୯ ତାରିଖ ସେଣ୍ଟ୍ରାଲ୍ ପଲ୍ୟୁସନ କ‌ଣ୍ଟ୍ରୋଲ୍‌ ବୋର୍ଡ(ସିପିସିବି) ପକ୍ଷରୁ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି। ସିପିସିବି ପକ୍ଷରୁ ଦେଶର ୨୩୪ଟି ସହରର ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ସର୍ଭେ କରାଯାଇଥିବା ବେଳେ ଦେଶର ୧୫ଟି ସହରର ବାୟୁମଣ୍ଡଳ ଅତି ଦୁର୍ବଳ ଜଣାପଡ଼ିଛି। ଓଡ଼ିଶାର ୪ଟି ସହର ମଧ୍ୟରୁ କଟକ ସହର ତୃତୀୟ ସ୍ଥାନରେ ରହିଛି। ଅତି ଦୁର୍ବଳ ବାୟୁମଣ୍ଡଳ ରହିଥିବା ଓଡ଼ିଶାର ଅନ୍ୟ ସହର ମଧ୍ୟରେ ଅନୁଗୁଳ, ବାଲେଶ୍ବର, ତାଳଚେର ଆଦି ଅଛି।

Advertisment

ନଦୀ, ସବୁଜିମା ବଳୟରେ ଥିବା କଟକ ସହରର ବାୟୁମଣ୍ଡଳ ଅତ୍ୟନ୍ତ ସ୍ବାସ୍ଥ୍ୟ ଉପଯୋଗୀ ଥିଲା। କିନ୍ତୁ ପୂର୍ବ ସ୍ଥିତିକୁ ଠିକ୍‌ରେ ପରିଚାଳନା ନ କରିବା ଦ୍ବାରା ବାୟୁର ଗୁଣାତ୍ମକ ମାନ ଅତ୍ୟନ୍ତ ଦୁର୍ବଳ ହୋଇଛି। ଗତକାଲି ସିପିସିବି ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ କଟକ ସହରର ବାୟୁର ଗୁଣାତ୍ମକ ସୂଚକାଙ୍କ (ଏକ୍ୟୁଆଇ) ୩୧୭ ଓ ପ୍ରମିନାଣ୍ଟ ପଲ୍ୟୁଟାଣ୍ଟ୍‌ ମାତ୍ରା ୨.୫ ମାଇକ୍ରୋମିଟର୍‌ ରହିଛି। କଟକ ସହରର ବାୟୁର ଏଭଳି ସ୍ଥିତିରୁ ଜଣାପଡ଼ିଛି, ବାୟୁମଣ୍ଡଳରେ ଅତି ସୂକ୍ଷ୍ମ କଣିକାର ମାତ୍ରା ଅଧିକ ପରିମାଣରେ ରହିଛି। ଏହି ବାୟୁରେ ଅଧିକ ସମୟ ଚଳାଚଳ ହେଲେ, ଶ୍ବାସକ୍ରିୟାଜନିତ ରୋଗ ହେବାର ସମ୍ଭାବନା ଅଧିକ। କଟକ ବାୟୁମଣ୍ଡଳର ସ୍ଥିତି ତାଳଚେର ଠାରୁ ବି ଅଧିକ ଜଟିଳ ବୋଲି ରିପୋର୍ଟରୁ ସୂଚନା ମିଳିଛି। ତାଳଚେରର ଏକ୍ୟୁଆଇ ୩୧୬ ରହିଥିବା ବେଳେ କଟକର ୩୧୭ ରହିଛି। ଏବେଠୁ ପ୍ରତିକାର ବ୍ୟବସ୍ଥା ନ କଲେ, ଆଗକୁ ସ୍ଥିତ ସଂଗିନ ହେବା ଜଳଜଳ ଦିଶୁଛି। ଏଭଳି ରିପୋର୍ଟ ଜଣାପଡ଼ିବା ପରେ ବୁଦ୍ଧିଜୀବୀ ଓ ପରିବେଶବିତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ବିଶିଷ୍ଟ ପରିବେଶ ବିଜ୍ଞାନୀ ଡକ୍ଟର ଆଶୁତୋଷ ଦେବତା କହିଛନ୍ତି ଯେ, କଟକ ସହରର ଏକ୍ୟୁଆଇ ୩ ଶହରୁ ଅଧିକ ହେବା ଅର୍ଥ ଏହାର ବାୟୁ ଅତି ଦୁର୍ବଳ। ଏହି ବାୟୁରେ ଅଧିକ ସମୟ ରହିଲେ, ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ବହୁ ସମ୍ଭାବନା ରହିଛି। କଟକ ସହରର ବାୟୁ ଅତି ଦୁର୍ବଳ ହେବା ପଛରେ ଦୁଇ/ତିନିଟି ପ୍ରମୁଖ କାରଣ ରହିଛି। କଟକ ସହରରେ ଗାଡ଼ିମଟର ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଯାଇଛି। ଗାଡିମଟରରୁ ନିର୍ଗତ ଧୂଆଁରେ କାର୍ବନ ମନୋଅକ୍ସାଇଡ୍‌, କାର୍ବନ ଡାଇଅକ୍ସାଇଡ୍, ନା‌ଇଟ୍ରୋଜେନ୍‌ ଅକ୍ସସାଇଡ୍ ଆଦି ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳକୁ ବିଷାକ୍ତ କରୁଛି। ଦ୍ବିତୀୟରେ ସହର ବର୍ଜ୍ୟବସ୍ତୁର ଦୁର୍ବଳ ପରିଚାଳନା, ରାସ୍ତାଘାଟରେ କ୍ରଂକ୍ରିଟ ଆବର୍ଜନା, ବ୍ୟାପକ ଗଛକଟା ଇତ୍ୟାଦି ବାୟୁରେ ବିଷ‌ାକ୍ତ ଗ୍ୟାସ୍ ପରିମାଣ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। କେବଳ କଟକ ନୁହେଁ, ଓଡ଼ିଶାର ଅନୁଗୁଳ, ବାଲେଶ୍ବର, ତାଳଚେର, ରାଉରକେଲା, କଳିଙ୍ଗନଗର ଆଦି ସହର ମଧ୍ୟ ଏହି ସ୍ଥିତିରେ ରହିଛି ବୋଲି ଡକ୍ଟର ଦେବତା କହିଛନ୍ତି। କଟକ ସହରର ଜନସାଧାରଣ, ପ୍ରଶାସନ, ସ୍ବେଚ୍ଛାସେବୀ ଅନୁ୍ଷ୍ଠାନ ସମସ୍ତେ ସଜାଗ, ସତର୍କ, ସଚେତନ ନ ହେଲେ, ଆଗକୁ ସ୍ଥିତି ଗମ୍ଭୀର ହେବ ବୋଲି ଡକ୍ଟର ଦେବତା ଚେତାବନୀ ଦେଇଛନ୍ତି।