କଟକ ଜିଲ୍ଲାରେ ୨୦୧୪ ସ୍ଥିତି କାଏମ : ଲୋକସଭା ସମେତ ୮ ବିଧାନସଭା ବିଜେଡି ଖାତାରେ

ବାରବାଟୀ-କଟକରେ କଡା ଟକ୍କରରେ କଂଗ୍ରେସ ବିଜୟୀ
ଭର୍ତ୍ତୃହରି, ଦେବୀଙ୍କ ଲଗାତର ୬ଷ୍ଠ ବିଜୟ
ଆଠଗଡରେ ରାଜା ସ୍ବାଇଁଙ୍କ ୭ମ ବିଜୟ
ସୌଭିକ, ଦେବୀ ତ୍ରିପାଠୀ, ପ୍ରଶାନ୍ତ, ମୋକିମ ନୂଆ ମୁହଁ
ବ୍ୟବଧାନ: ଆଠଗଡ଼ରେ ସବୁଠୁ ଅଧିକ, ବାରବାଟୀ-କଟକରେ କମ୍

କଟକ : କଟକ ଜିଲ୍ଲାରେ ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଯାହା ପୂର୍ବାନୁମାନ କରାଯାଉଥିଲା, ମୋଟାମୋଟି ସେଇଆ ହେଲା। ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଶ୍ବାସ ଅଟକିଲା ଭଳି ଲଢେଇରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଇଂଜିନିୟର ମହମ୍ମଦ ମୋକିମ ବିଜୟୀ ହେଲେ। ଜିଲ୍ଲାର ଗୋଟିଏ ଲୋକସଭା ଏବଂ ୯ଟି ବିଧାନସଭା ଆସନ ମଧ୍ୟରୁ ଲୋକସଭା ଏବଂ ୮ଟି ବିଧାନସଭା ଆସନ ବିଜେଡି ଖାତାକୁ ଯାଇଥିବା ବେଳେ ଗୋଟିଏ ବିଧାନସଭା ଆସନ କଂଗ୍ରେସ ଖାତାକୁ ଯାଇଛି। ୨୦୧୪ରେ ସାଲେପୁର ଆସନରୁ କଂଗ୍ରେସ ବିଜୟୀ ହୋଇଥିଲା। ଏଥର ତା ସ୍ଥାନ େନଇଛି ବାରବାଟୀ-କଟକ ବିଧାନସଭା ଆସନ।

ଜିଲ୍ଲାର ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ଆସନରୁ କଂଗ୍ରେସ ପ୍ରାର୍ଥୀ ଇଂଜିନିୟର ମହମ୍ମଦ ମୋକିମ, ଚୌଦ୍ବାର-କଟକରୁ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ବାଳ, ସଦରରୁ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା, ଆଠଗଡରୁ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଙ୍କିରୁ ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ, ବଡମ୍ବାରୁ ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର, ମାହାଙ୍ଗାରୁ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା, ସାଲେପୁରରୁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ଏବଂ ନିଆଳିରୁ ବିଜେଡି ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ।

କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଲଗାତର ୬ଷ୍ଠ ଥର ବିଜୟୀ ହୋଇ ରେକର୍ଡ କରିଛନ୍ତି।

ସେହିଭଳି ବଡମ୍ବା ଆସନରୁ ବିଜେଡି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ଲଗାତର ୬ଷ୍ଠ ବିଜୟ ହାସଲ କରିଥିବା ବେଳେ ଆଠଗଡରୁ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଲଗାତର ଷଷ୍ଠ ବିଜୟ ହାସଲ କରିଛନ୍ତି। ମାହାଙ୍ଗାରୁ ଲଗାତର ତୃତୀୟ ବିଜୟ ସହ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା ବିଧାନସଭାକୁ ଚତୁର୍ଥ ଥର ପାଇଁ ବିଜୟୀ ହୋଇଛନ୍ତି। ନିଆଳିରୁ ବିଜେଡି ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ ଲଗାତର ତୃତୀୟ ଥର ବିଜୟୀ ହୋଇଛନ୍ତି। ସଦର ଆସନରୁ ଚନ୍ଦ୍ରସାରଥି ବେହେରା ତୃତୀୟ ଥର ପାଇଁ ବିଧାନସଭାକୁ ଯିବାର ସୁଯୋଗ ପାଇଛନ୍ତି।

ଚୌଦ୍ବାର୍-କଟକରୁ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ପୁଅ ସୌଭିକ ବିଶ୍ବାଳ ଏବଂ ବାଙ୍କିରୁ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଂଜନ ତ୍ରିପାଠୀ ବିଜେଡି ପ୍ରାର୍ଥୀ ଭାବେ ନିଜ ନିଜର ପ୍ରଥମ ନିର୍ବାଚନରେ ବିଜୟୀ ହୋଇ ବିଧାନସଭା ଯିବାର ସୁଯୋଗ ପାଇଛନ୍ତି।

ଅନ୍ୟପଟେ ସାଲେପୁରରୁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ଏବଂ ବାରବାଟୀ-କଟକରୁ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ନିଜ ନିଜର ଦ୍ବିତୀୟ ଲଢେଇରେ ବିଜୟୀ ହୋଇ ପ୍ରଥମ ଥର ବିଧାନସଭା ଯିବାର ସୁଯୋଗ ପାଇଛନ୍ତି।

କଟକ ଜିଲ୍ଲାର ୮ଟି ବିଧାନସଭା ଆସନ ମଧ୍ୟରୁ ସବୁଠୁ ଅଧିକ ବ୍ୟବଧାନରେ ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଜୟୀ ହୋଇଥିବା ବେଳେ ସବୁଠୁ କମ ଭୋଟ ବ୍ୟବଧାନ (୩୮୦୨)ରେ ବିଜୟୀ ହୋଇଛନ୍ତି ବାରବାଟୀ-କଟକରୁ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ।

ସମ୍ବନ୍ଧିତ ଖବର