କଟକ ସ୍ଥିତି ଗୋଳମାଳିଆ : ଅଧିକାଂଶ ଆସନରେ ଦେଖିବାକୁ ମିଳିବେ ନୂଆ ମୁହଁ, ଆଶାୟୀଙ୍କ ମଧ୍ୟରେ ଆଇନଜୀବୀ, ଅଭ‌ିନେତା-ଅଭିନେତ୍ରୀ

କଟକ, (କୃଷ୍ଣପ୍ରସାଦ ଦାସ): ବିଭିନ୍ନ ଆସନର ସମ୍ଭାବ୍ୟ ପ୍ରାର୍ଥୀ, ପ୍ରାର୍ଥୀଙ୍କ ଜୟ ପରାଜୟ ସମ୍ଭାବନାକୁ ନେଇ ଏବେ ରାସ୍ତାଘାଟରେ ଆଲୋଚନା। କିନ୍ତୁ କଟକ ଲୋକସଭା ଆସନ ଏବଂ ଲୋକସଭା ଅନ୍ତର୍ଗତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ରରେ ଏବେ ବି ସ୍ଥିତି ସଂପୂର୍ଣ୍ଣ ଅସ୍ପଷ୍ଟ। ଆଶଙ୍କା ଆଉ ଆକଳନକୁ ନେଇ ଅଙ୍କକଷା ଚାଲିଛି ସତ କିନ୍ତୁ ଦୁଇ ଚାରିଟି ଆସନକୁ ବାଦ ଦେଲେ ଅନ୍ୟ ସମସ୍ତ ଆସନରେ ବିଭିନ୍ନ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମୁହଁ ସ୍ପଷ୍ଟ ହୋଇପାରୁ ନାହିଁ। ବର୍ତ୍ତମାନର ବିଧାୟକମାନେ ବି ଆଶଙ୍କାରେ ଅଛନ୍ତି ସେମାନଙ୍କ ପ୍ରାର୍ଥିତ୍ବକୁ ନେଇ। ଏଭଳି ସ୍ଥିତି ପୂର୍ବ ନିର୍ବାଚନ ମାନଙ୍କରେ କେବେ ଦେଖିବାକୁ ମିଳି ନଥିଲା।

କଟକ ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଭାବେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କ ନାମ ଏକପ୍ରକାର ନିଶ୍ଚିତ ବୋଲି ଧରି ନିଆଯାଉଛି। ବିଜେପି ପ୍ରାର୍ଥୀଭାବେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମ ବି ନିଶ୍ଚିତ ବୋଲି କୁହାଯାଉଛି। କିନ୍ତୁ ଗତ ଥରର ବିଜେପି ପ୍ରାର୍ଥୀ ସମୀର ଦେଙ୍କ ପ୍ରଭାବ ଦଳରେ କିଛି କମ ନ ଥିବାରୁ ସେ ଲୋକସଭା, ବାରବାଟୀ-କଟକ ନା ବଡମ୍ବାରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଲମ୍ବା ସମୟ ଧରି କଟକ ଲୋକସଭା ଆସନକୁ ପ୍ରତିନିଧିତ୍ବ କରି ଆସୁଥିବା ଭର୍ତ୍ତୃହରି ମହତାବ ଏଥର ବିଜେଡିରୁ ପ୍ରାର୍ଥୀ ହେବା ସମ୍ଭାବନାକୁ ନେଇ ପୁଣି ଅନିଶ୍ଚିତତା ଲାଗି ରହିଛି। କୌଣସି ବରିଷ୍ଠ ତଥା ପ୍ରଭାବଶାଳୀ ଆଇନଜୀବୀ, ବୁଦ୍ଧିଜୀବୀ ଅଥବା କୌଣସି ମହିଳା ଏଠାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ହେଉଥିବା ଚର୍ଚ୍ଚା ଅମୂଳକ ନୁହେଁ।

ବାରବାଟୀ-କଟକର ସ୍ଥିତି ବି ଅନିଶ୍ଚିତ। ଲଗାତର ଦୁଇ ଥର ବିଧାୟକ ଜିତି ଥିବା ଦେବାଶିଷ ସାମନ୍ତରାୟ ପୁଣି ଥରେ ଏଠୁ ପ୍ରତିଦ୍ବନ୍ଦ୍ବିତା କରିବେ କି ନାହିଁ, ତାହାକୁ ନେଇ ଚାଲିଛି ଆଲୋଚନା। ଦେବାଶିଷ କହୁଛନ୍ତି, ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ ଛାଡି ଦେଇଛନ୍ତି। ଦଳ ‌ତାଙ୍କୁ ପାରାଦୀପ, କଟକ ଅଥବା ଯେଉଁଠୁ ବି ପ୍ରାର୍ଥୀ କରିବ, ସେ ସେହି ଅନୁଯାୟୀ କାର୍ଯ୍ୟ କରିବେ। କିନ୍ତୁ ବିକଳ୍ପ ଭାବେ ସୁବାସ ସିଂହ, ଅରିନ୍ଦମ ରୟଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଅନ୍ୟପଟେ ସଂଖ୍ୟାଲଘୁ, ଯାଦବ ପ୍ରତିନିଧିତ୍ବ କଥା ବି ଉଠୁଛି।

କଟକ ମହାନଗର ନିଗମରେ ଲୋକସଂପର୍କ ଆଉ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଥିବା କର୍ପୋରେଟର ରଂଜନ ବିିଶ୍ବାଳଙ୍କ ନାମ ବି ଦଳୀୟ ଆଲୋଚନାରେ ରହିଥିବା ବେଳେ ଅଭିନେତ୍ରୀ ବର୍ଷା ଓ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ନାମ ବି ଆଲୋଚନା ପରିସରରେ ରହିଛି। ସଂଖ୍ୟାଲଘୁ ପ୍ରାର୍ଥୀଙ୍କୁ ନେଇ ଦାବି ଉଠିବା ବେଳେ ମହମ୍ମଦ ସକିଲ, ଏକ୍ରାମ ହୁସେନ, ମହମ୍ମଦ ଆୟୁବଙ୍କ ଭଳି ସଂଖ୍ୟାଲଘୁ ନେତାଙ୍କ ନାମ ବି ଆ‌ଲୋଚନା ପରିସରରେ ରହିବା ସ୍ବାଭାବିକ। କଂଗ୍ରେସ ପ୍ରାର୍ଥୀ ଭାବେ ଇଂଜିନିୟର ମହମ୍ମଦ ମୋକିମଙ୍କ ନାମ ଏକପ୍ରକାର ସ୍ପଷ୍ଟ ‌େହାଇ ସାରିଛି। କିନ୍ତୁ ବିଜେପି ଆଶାୟୀଙ୍କ ମଧ୍ୟରେ ଅନେକ ନାମ ରହିଥିବା ବେଳେ ସମୀର‌ ଦେ, ଆଇନଜୀବୀ ସୌରୀ ମହାପାତ୍ର, ବିଶ୍ବଜିତ ମହାନ୍ତି, ଲକ୍ଷ୍ମୀଧର ପ୍ରଧାନଙ୍କ ଭଳି ନାମ ତାଲିକା ଭିତରେ ରହିଛି।

ଚୌଦ୍ବାର-କଟକର ସ୍ଥିତି ଏବେ ସବୁଠୁ ଅଧିକ ଗୋଳମାଳିଆ ବୋଲି କୁହାଯାଉଛି। ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କୁ ଯଦି ଟିକେଟ ନମିଳେ, ତେବେ ସ୍ଥିତି କ’ଣ ହେବ? ତାହାକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ପ୍ରଭାତଙ୍କ ପୁଅ ସୌଭିକ ବିଶ୍ବାଳଙ୍କୁ ବିଜେଡି ଟିକେଟ ଦେବ କି? ପ୍ରଭାତ ତାହାକୁ ଗ୍ରହଣ କରିବେ ନା ନିଜେ ସ୍ବାଧୀନ ଭାବେ ଛିଡା ହେବେ? ଏ ପ୍ରସଙ୍ଗ ଏବେ ସବୁଠୁ ଅଧିକ ଆଲୋଚନାର ବିଷୟ ହୋଇଛି। କିନ୍ତୁ ଚିଟଫଣ୍ଡ ପ୍ରସଙ୍ଗକୁ ନଜର ଅନ୍ଦାଜ କରି ଯଦି ଦଳ ପ୍ରଭାତଙ୍କୁ ପ୍ରାର୍ଥୀ କରେ ‌େ‌ତବେ ହୁଏତ ପ୍ରସଙ୍ଗ ଭିନ୍ନ ରହିବ। ଏଭଳି ସ୍ଥିତିରେ ଡେପୁଟି ମେୟର ଅଜୟ ବାରିକ, ଜିଲ୍ଲାର ସାଧାରଣ ସଂପାଦକ ପ୍ରଶାନ୍ତ ନାୟକ, ପୂର୍ବତନ କର୍ପୋରେଟର ଶ୍ରୀରାମ ପାଣ୍ଡେ, ଅଭ‌ିନେତ୍ରୀ ଏଲିନା, ଯୁବ ବିଜେଡିର ଶିଶିର ପରିଜାଙ୍କ ଭଳି ଆଶାୟୀ ବିଜେଡି ଟିକେଟ ପାଇଁ ଦଳରେ ଦାବି ରଖିଛନ୍ତି। ବିଜେପିର ନୟନ ମହାନ୍ତି ଏଠାରୁ ପ୍ରତିଦ୍ବନ୍ଦ୍ବିତା କରି ଆସୁଥିବା ‌ବେଳେ ଏଥର ଆଡଭୋକେଟ ପ୍ରମୋଦ ସାହୁ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡି ସଭାସମିତି ଆୟୋଜନ କରି ଚାଲିଛନ୍ତି। କଂଗ୍ରେସରେ ସୁରେଶ ମହାପାତ୍ରଙ୍କ ନିରବତା ଜାରି ରହିଥିବା ବେଳେ ଏଠି ଇଂଜିନିୟର ଆକାଶ ଭୂୟାଁ, ଜଗଦିଶ ମହାନ୍ତି, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନାମ ଏବେ ଚର୍ଚ୍ଚାକୁ ଆସିଛି।

ଟାଙ୍ଗୀ-ସାଲେପୁର ନିର୍ବାଚନ ମଣ୍ଡଳୀ ସହ ଚୌଦ୍ବାର-କଟକର ସ୍ଥିତିକୁ ଯୋଡା ଯାଉଛି। ବିଧାୟକ ପ୍ରକାଶ ବେହେରା ଏବେ ବି ବ‌ିଜେଡି ଟିକେଟ ହାତେଇବା ଚକ୍କରରେ ଥିବା ଚର୍ଚ୍ଚା ଥମିନାହିଁ। ସେଠି ଯଦି ବିଜେଡି ତାଙ୍କୁ ସୁଯୋଗ ଦିଏ ତେବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ଚୌଦ୍ବାର-କଟକକୁ ଆସିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଅନୁରୂପ ଭାବେ କଂଗ୍ରେସ ପ୍ରାର୍ଥୀ ଭାବେ ସାଲେପୁରରୁ ଇଂଜିନିୟର ଆକାଶ ଭୂୟାଁ ହୁଏତ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ରହିବ। ସେଠି ଅବଶ୍ୟ କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ ନିଜର ପ୍ରାର୍ଥିତ୍ବ ଦାବି କରିଛନ୍ତି। ଟାଙ୍ଗୀ-ସାଲେପୁର ନିର୍ବାଚନ ମଣ୍ଡଳୀ ଅବଶ୍ୟ କେନ୍ଦ୍ରାପଡା ଲୋକସଭା ଆସନରେ ରହିଛି।

ବାରବାଟୀ-କଟକ, ଚୌଦ୍ବାର-କଟକ ସହ ସଦର କଟକର ସ୍ଥିତି ବି ଅନୁରୂପ ଭାବେ ଅସ୍ପଷ୍ଟ। ସଦର ବିଧାୟକ ଚନ୍ଦ୍ରସାରଥୀ‌ ବେହେରା ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି। କିନ୍ତୁ ଚନ୍ଦ୍ରସାରଥୀଙ୍କର ସବୁବେଳେ ନିଜ ଅଞ୍ଚଳ ସାଲେପୁର ପ୍ରତି ଆକର୍ଷଣ ରହି ଆସିଛି। ଚନ୍ଦ୍ରସାରଥୀଙ୍କୁ ଯଦି ସାଲେପୁରରେ ସୁଯୋଗ ମିଳେ, ପ୍ରକାଶ ବେହେରା ଯଦି ବିଜେଡି ସାମିଲ ହୁଅନ୍ତି ଏବଂ ଦଳ ତାଙ୍କୁ ସଦର ପାଇଁ ସୁଯୋଗ ଦିଏ, ତେବେ ପୁଣି ଏକ ଭିନ୍ନ ରାଜନୈତିକ ସମୀକରଣ ଦେଖିବାକୁ ମିଳିବ।

ଅନ୍ୟପଟେ ମନ୍ତ୍ରୀ ଶଶୀଭୂଷଣ ବେହେରା ସଦରରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ଗୋଟିଏ ମହଲରେ ଆଲୋଚନା ହେଉଛି। ସଦରରେ କିନ୍ତୁ କଂଗ୍ରେସ ପ୍ରାର୍ଥୀ ଭାବେ ରତ୍ନାକର ବେହେରାଙ୍କ ନାମ ଏକପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି। ପୂର୍ବରୁ ପ୍ରାର୍ଥୀ ହୋଇ ଆସିଥିବା ଦିଲ୍ଲୀପ ମଲ୍ଲିକଙ୍କ ନାମ ବିଜେପିରୁ ପୁଣି ଯଦିଓ ସମ୍ଭାବ୍ୟ ତାଲିକାରେ ସବୁଠୁ ଆଗରେ ରହିଛି, ରାମଚନ୍ଦ୍ର ସେଠୀଙ୍କ ଭଳି ଅନ୍ୟ ଆଶାୟୀମାନେ ବି ଏବେ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଜରିଆରେ ଦିଲ୍ଲୀପଙ୍କୁ ଚାଲେଞ୍ଜ ଦେବା ଆରମ୍ଭ କରିଛନ୍ତି।

କଟକ ଲୋକସଭା ସହିତ ପ୍ରମୁଖ ବିଧାନସଭା ଗୁଡିକର ଏଭଳି ସ୍ଥିତି ଗୋଟିଏ ପଟେ ରୋଚକ ରାଜନୈତିକ ଚର୍ଚ୍ଚାକୁ ହାୱା ଦେଉଥିବା ବେଳେ ଆଗକୁ ନିର୍ବାଚନରେ ଜୋରଦାର ଲଢେଇର କ୍ଷେତ୍ର ପ୍ରସ୍ତୁତ କରୁଛି।

ସମ୍ବନ୍ଧିତ ଖବର