ଗଞ୍ଜାମକୁ ଟପିଲା କଟକ: ଲଗାତାର କୋଭିଡ୍‌ ନମୁନା ପରୀକ୍ଷା କମୁଛି

ଦିନକରେ ୩୦୬୭ ପଜିଟିଭ୍, ୧୫ ମୃତ, ସୁସ୍ଥ ହେଲେ ୩୮୯୬

ଭୁବନେଶ୍ବର: କିଛିଦିନ ପୂର୍ବରୁ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ପରିଗଣିତ ହେଉଥିବା ଗଞ୍ଜାମ ରାଜ୍ୟର ସଂକ୍ରମଣ ତାଲିକାର ତୃତୀୟ ସ୍ଥାନକୁ ଖସି ଆସିଛି। ଏବେ ଖୋର୍ଧା ପରେ ସଂକ୍ରମଣରେ ଦ୍ବିତୀୟ ସ୍ଥାନକୁ ଉଠିଛି କଟକ ଜିଲ୍ଲା। ଲଗାତାର ଭାବେ କଟକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଗଞ୍ଜାମକୁ ପଛକୁ ଠେଲି ଦେଇଛି। କେବଳ କଟକ ନୁହେଁ, ଖୋର୍ଧା, ପୁରୀ ଓ ଅନୁଗୁଳରେ ମଧ୍ୟ ଦ୍ରୁତ ସଂକ୍ରମଣ ଜାରି ରହିଛି। ଖୋର୍ଧାରେ ଦୈନିକ ସଂକ୍ରମଣ ୫ଶହରୁ ତଳକୁ ଖସୁନି।

ଅପରପକ୍ଷରେ ଲଗାତାର ୩ଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍‌ ନମୁନା ପରୀକ୍ଷା ହ୍ରାସ ପାଇବାରେ ଲାଗିଛି। ୫୩ହଜାରରୁ ନମୁନା ପରୀକ୍ଷା ୪୧ହଜାରକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧,୪୫୨ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ମାତ୍ର ୫୬୫୭ ଆରଟି-ପିସିଆର ନମୁନା ପରୀକ୍ଷା ହୋଇଛି। ଦିନକୁ ଅତିକମ‌୍‌ରେ ୧୦ହଜାର ଆରଟି-ପିସିଆର ପରୀକ୍ଷା କରିବା ଲାଗି ବିଶେଷଜ୍ଞମାନେ ଦାବି କରୁଥି‌ବା ବେଳେ ରାଜ୍ୟରେ ଏହା ଖସି ଖସି ଚାଲିଛି। ଏପରିକି ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା ମଧ୍ୟ କମିଛି। ଫଳରେ ଗତ ୨୪ଘଣ୍ଟାରେ ଦୈନିକ ସଂକ୍ରମଣ ୩୦୬୭କୁ ଖସି ଆସିଛି।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଉପରମୁହାଁ ହୋଇଛି। ଆଜି ସରକାରୀ ଭାବେ ୧୫ଜଣ କୋରାନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଏଥିରେ ବାଲେଶ୍ବର, କଟକ, ଭୁବନେଶ୍ବରକୁ ୩ଜଣ ଲେଖାଏଁ, ପୁରୀରୁ ୨, ବଲାଙ୍ଗୀର, ନବରଙ୍ଗପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଗଞ୍ଜାମରେ ସର୍ବାଧିକ ୨୧୯ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଧାରେ ୧୩୧, କଟକ ୬୯, ପୁରୀ ୫୪, ସୁନ୍ଦରଗଡ଼ ୪୦, ରାୟଗଡ଼ା ୩୭, ବାଲେଶ୍ବର ୨୭, ମୟୂରଭଞ୍ଜ, ଗଜପତି ଓ ବଲାଙ୍ଗୀରରେ ୨୩ ଲେଖାଏଁ, ସମ୍ବଲପୁର ଓ କନ୍ଧମାଳରୁ ୨୨ ଲେଖାଏଁ, ନୟାଗଡ଼ ୨୦, ବରଗଡ଼ ଓ ଭଦ୍ରକ ୧୨ ଲେଖାଏଁ, ଯାଜପୁର ଓ କୋରାପୁଟରୁ ୧୦ଜଣ ଲେଖାଏଁଙ୍କର କରୋନାରେ ମୃତ୍ୟୁ ହୋଇଛି।

ଗତ ୨୪ଘଣ୍ଟାରେ ଚିହ୍ନଟ ୩୦୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୯ ସଙ୍ଗରୋଧରୁ ଓ ୧୨୫୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରେ ୫୫୫କୁ ବାଦ୍ ଦେଲେ କଟକ ୨୩୦, ଷ୍ଟେଟ୍‌ ପୁଲ୍‌ ୨୧୧, ପୁରୀ ୧୭୮, ବାଲେଶ୍ବର ୧୪୬, ମୟୂରଭଞ୍ଜ ୧୪୩, ଅନୁଗୁଳ ୧୨୯, ସମ୍ବଲପୁର ୯୮, ଝାରସୁଗୁଡ଼ା ୯୬, କେନ୍ଦ୍ରାପଡ଼ା ୯୪, ଢେଙ୍କାନାଳ ୯୧, ନୂଆପଡ଼ା ୮୫, ଜଗତସିଂହପୁର ୮୪, କନ୍ଧମାଳ ଓ କେନ୍ଦୁଝରରୁ ୮୧ ଲେଖାଏଁ, ବଲାଙ୍ଗୀର ୭୮, ବରଗଡ଼ ୬୯, ନୟାଗଡ଼ ୬୮, ସୁନ୍ଦରଗଡ଼ ୬୨, ଯାଜପୁର ୬୦, ଭଦ୍ରକ ୫୯, ନବରଙ୍ଗପୁର ୫୮, କଳାହାଣ୍ଡି ୫୪, କୋରାପୁଟ ୫୫, ବୌଦ୍ଧ ୪୫, ରାୟଗଡ଼ା ୪୧, ଗଞ୍ଜାମ ୩୪, ସୋନପୁର ୨୨, ଗଜପତି ୨୧ ଓ ଦେବଗଡ଼ରୁ ୧୫ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୧୫ହଜାର ୬୭୬କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୩୮୯୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୮୧ହଜାର ୪୮୧କୁ ବୃଦ୍ଧି ପାଇଛି। ରାଜ୍ୟରେ ସୁସ୍ଥ ହାର ୮୫ ପ୍ରତିଶତ ରେକର୍ଡ କରାଯାଇଛି। ଖୋର୍ଧାରୁ ସର୍ବାଧିକ ୬୫୭ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୪୪୨, ବାଲେଶ୍ବର ୨୨୬, ଅନୁଗୁଳ ୨୧୭, ପୁରୀ ୧୮୨, ଜଗତସିଂହପୁର ୧୭୧, ମୟୂରଭଞ୍ଜ ୧୬୨, ଯାଜପୁର ୧୫୩, ଝାରସୁଗୁଡ଼ା ୧୫୧, କୋରାପୁଟ ୧୨୬, ସୁନ୍ଦରଗଡ଼ ୧୧୯, ନୟାଗଡ଼ ୧୧୫, କେନ୍ଦ୍ରାପଡ଼ା ୧୧୨, ସମ୍ବଲପୁର ୧୧୦, କଳାହାଣ୍ଡି ୧୦୪, ବରଗଡ଼ ୯୭, ନବରଙ୍ଗପୁର ୭୬, ଭଦ୍ରକ ୭୪, ମାଲକାନଗିରି ୭୨, ସୋନପୁର ୭୦, ବଲାଙ୍ଗୀର ୬୮, କେନ୍ଦୁଝର ୫୫, ନୂଆପଡ଼ା ୪୯, ଢେଙ୍କାନାଳ ୪୫, ଗଞ୍ଜାମ ଓ କନ୍ଧମାଳର ୪୦ ଲେଖାଏଁ, ରାୟଗଡ଼ା ୨୫, ବୌଦ୍ଧ ୨୦, ଗଜପତି ୧୫, ଦେବଗଡ଼ ୧୨ ଓ ଷ୍ଟେଟ୍‌ ପୁଲ୍‌ରୁ ୯୧ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୩୩,୩୧୪ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର