କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଓଡ଼ିଶା ମାନବାଧିକାର କମିସନ (ଓଏଚ୍ଆରସି)ଙ୍କ ନିକଟରେ ଦାୟର ହୋଇଥିବା ମାମଲା ନେଇ କଟକ ଡିସିପି ପିନାକ ମିଶ୍ର ଆଜି ମାନବାଧିକାର କମିସନରେ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବ୍ୟବସ୍ଥାରେ ତ୍ରୁଟି ରହିଛି। ରିପୋର୍ଟ ଦେଖିବା ପରେ ଓଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି ଯେ, ଷ୍ଟାଡିୟମ୍ରେ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା କରାଯାଉ।
ସୂଚନାଯୋଗ୍ୟ, ଆସନ୍ତା ଜୁନ୍ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ଏଥି ପାଇଁ କେଉଁ ପ୍ରକାରର ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଉଛି, ସେ ସ˚କ୍ରାନ୍ତରେ ମେ’ ୨୬ ତାରିଖ ସୁଦ୍ଧା ତଥ୍ୟ ଦେବା ପାଇଁ କଟକ ଡିସିପି ଓ ଓଡ଼ିଶା କ୍ରିକେଟ ଆସୋସିଏନ (ଓସିଏ) ସଂପାଦକଙ୍କୁ କମିସନ ନିର୍ଦ୍ଦେଶ ଦେଇଥିଲେ। କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ଡିସିପି ଆଜି ରିପୋର୍ଟ ଦାଖଲ କରିଛନ୍ତି।
ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉକ୍ତ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଦର୍ଶକଙ୍କୁ ଆସିବାକୁ ଅନୁମତି ଦେବାପାଇଁ ଓସିଏ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ହେଲେ, ଦର୍ଶକଙ୍କ ସୁରକ୍ଷା ପାଇଁ ଷ୍ଟାଡିୟମରେ କେତେକ ବାଧ୍ୟତାମୂଳକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ଆବେଦନକାରୀ ନିଶିକାନ୍ତ ମିଶ୍ର ଦର୍ଶାଇଥିଲେ। ବାରବାଟୀ ଷ୍ଟାଡିୟମର କୌଣସି ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ଏଠାରେ ପାଖାପାଖି ୪୪ ହଜାର ଦର୍ଶକ ବସିବା କ୍ଷମତା ରହିଛି। ମାତ୍ର, ଦର୍ଶକଙ୍କ ସୁରକ୍ଷା ପାଇଁ ସେଠାରେ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଏ ସ˚କ୍ରାନ୍ତରେ ମାନବାଧିକାର କର୍ମୀ ନିଶିକାନ୍ତ ମିଶ୍ର ପୂର୍ବରୁ ସେଣ୍ଟ୍ରାଲ ରେଞ୍ଜ ଅଗ୍ନିଶମ ଅଧିକାରୀଙ୍କ ନିକଟକୁ ପତ୍ର ଲେଖିଥିଲେ। ଯେଉଁଥିପାଇଁ ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ଓସିଏକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ କରିବାକୁ ଆବେଦନ କରିବାପାଇଁ କୁହାଯାଇଥିଲା। ତେବେ କ୍ରିକେଟ ମ୍ୟାଚ ବେଳେ ଦର୍ଶକଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/barabati.jpg)