ମାଟ୍ରିକ୍ ପରୀକ୍ଷାରେ କଟକ ଜିଲ୍ଲାରେ ଆଉ କେହି ହେବେନି ଫେଲ୍ ! ବିଇଓଙ୍କ ଅନୁମତି ବିନା ଦଶମ ଶ୍ରେଣୀରେ ପାଠ ପଢ଼ାଉଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ଛୁଟି ମିଳିବନି

କଟକ:  କଟକ ଜିଲ୍ଲାରେ ୨୦୨୦ ମାଟ୍ରିକ ପରୀକ୍ଷାରେ ଆଉ କେହି ହେବେନାହିଁ ମାଟ୍ରିକ ଫେଲ, ସେଥିପାଇଁ ଆରମ୍ଭ ହୋଇଛି ଜିଲ୍ଲା ଶିକ୍ଷାଧିକାରୀଙ୍କ ‘ମିଶନ୍ ଜିରୋ ଫେଲ୍’ । ସେଥିଲାଗି କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲା ଶିକ୍ଷା ଅଧିକାରୀ । ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ୧୨୦ ଦିନ ଥିବାରୁ ବିଇଓଙ୍କ ବିନା ଅନୁମତିରେ ଶିକ୍ଷକମାନଙ୍କୁ ସିଏଲ ନଦେବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆଉ ୪ ମାସ ପରେ ମାଟ୍ରିକ୍ ପରୀକ୍ଷା । ଫେଲ୍ ସଂଖ୍ୟାରେ ପୂର୍ଣ୍ଣଛେଦ ପକାଇବାକୁ ଅଣ୍ଟା ଭିଡ଼ିଛନ୍ତି କଟକ ଜିଲ୍ଲା ଶିକ୍ଷା ଅଧିକାରୀ । ଏନେଇ କଟକ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ମିଶନ ଜିରୋ ‘ଏଫ’ ରାଜ୍ୟ ସରକାରଙ୍କ ୫ଟି’ ଯୋଜନାର ଅଂଶବିଶେଷ । ପ୍ରଧାନଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ଏଥିରେ ସଫଳ ହେଲେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

କଟକ ଜିଲ୍ଲାର ବିଇଓ ଏବଂ ପ୍ରଧାନଶିକ୍ଷକଙ୍କୁ ମିସନ୍ ଜିରୋ ଫେଲ୍ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଏଥିପାଇଁ କଠୋର ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶନାମା ଉପରେ ନଜର ପକାନ୍ତୁ :
– ବ୍ଲକ ଶିକ୍ଷାଧିକାରୀଙ୍କ ଲିଖିତ ଅନୁମତି ବିନା ଦଶମ ଶ୍ରେଣୀ ପାଠ ପଢ଼ାଉଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ଛୁଟି ମିଳିବନି
– ପାଠପଢା ଠିକ ହେଉଛି କି ନାହିଁ, ତଦାରଖ କରିବେ ବିଇଓ
– ସରକାରୀ ଛୁଟି ବାଦ ଅଧିକ ଛୁଟି ନନେବା ପାଇଁ ତାଗିଦ
– ବ୍ଲକ ଶିକ୍ଷା ଅଧିକାରୀ ନିଜ ଅଂଚଳର ପ୍ରଧାନଶିକ୍ଷକମାନଙ୍କୁ ନେଇ ଏକ ହ୍ୱାଟ୍ସଆପ୍ ଗ୍ରୁପ କରି ଶିକ୍ଷାର ଅଗ୍ରଗତି ଉପରେ ତଦାରଖ ପାଇଁ ନିର୍ଦ୍ଦେଶ

ଚଳିତବର୍ଷ ୮୨ଟି ସ୍କୁଲ ଜିରୋ ରେଜଲ୍ଟ କରିଥିଲା । ଏହାପରେ ଗଣଶିକ୍ଷା ବିଭାଗ ଏଥିରେ ସୁଧାର ଆଣିବା ପାଇଁ ତତ୍ପରତା ଦେଖାଇଥିଲା । ତେବେ ସାରା ରାଜ୍ୟରେ କଟକ ଜିଲ୍ଲାକୁ ମଡେଲ ଭାବେ ନେଇ ଜିରୋ ଫେଲ୍ ମିସନ ଆରମ୍ଭ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସମଗ୍ର ଓଡିଶାରେ ଏହାକୁ ଶିକ୍ଷା ବିଭାଗ କେବେ ପ୍ରଚଳନ କରିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସମ୍ବନ୍ଧିତ ଖବର