କଟକ ସହରରେ ୧୬୦ଟି ପୂଜା ମଣ୍ଡପରେ ଝଲସୁଛନ୍ତି ଜଗତ ଜନନୀ ମା’। ଖାନନଗରରେ ନୂଆ ସୁନା ମୁକୁଟ, ଚୌଧୁରୀ ବଜାରରେ ୨ ନୂଆ ସୁନା କଲି

0

କଟକ: ବିଭିନ୍ନ ମେଢରେ ଶୋଭା ପାଉଛି ୬୧ କିଲୋରୁ ଅଧିକ ସୁନା, ୯୦ କ୍ବିଣ୍ଟାଲରୁ ଅଧିକ ଚାନ୍ଦି। ଆଜି ଷଷ୍ଠୀରୁ ପାରଂପରିକ ଭାବେ ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପୂଜା ଆରମ୍ଭ ହୋଇଥିବା ବେଳେ ସୁନା, ଚାନ୍ଦିର ଚମକରେ ଝଲସୁଛି କଟକ ମହାନଗର। ୨୩ଟି ମେଢ ସଂପୂର୍ଣ୍ଣ ଚାନ୍ଦି ‌ବ୍ୟବହାର କରିଥିବା ବେଳେ ୯ଟି ମେଢରେ ସୁନା ବ୍ୟବହାର ହୋଇଛି। ଚଳିତ ବର୍ଷ ଶହେ ବର୍ଷ ପୂରଣ କରିଥିବା ଛତ୍ରବଜାର ପୂଜା କମିଟି ଆସନ୍ତା ବର୍ଷ ସଂପୂର୍ଣ୍ଣ ଚାନ୍ଦି ମେଢ କରିବାକୁ ନିଷ୍ପତ୍ତି ନେଇଛି। ବାଖରାବାଦରେ କେବଳ କାଳୀ ପୂଜା ସମୟରେ ଚାନ୍ଦି ମେଢ ପ୍ରଦର୍ଶନ ହେଉଥିବା ବେଳେ ଆସନ୍ତାବର୍ଷ ଏହି ହିସାବରେ କଟକରେ ମୋଟ ଚାନ୍ଦି ମେଢ ସଂଖ୍ୟା ୨୫ରେ ପହଞ୍ଚିବ। ବର୍ତ୍ତମାନର ବଜାର ଦର ଅନୁଯାୟୀ ହିସାବ କଲେ ସୁନା ଓ ଚାନ୍ଦିର ମୂଲ୍ୟ ପ୍ରାୟ ୭୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।


ଚଳିତ ବର୍ଷ ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ୩ କିଲୋରୁ ଅଧିକ ଓଜନର ସୁନା ମୁକୁଟ ପ୍ରସ୍ତୁତ କରିଛି। ଏହା ଦେବୀଙ୍କ ମସ୍ତକରେ ଶୋଭା ପାଉଛି। ସେହିଭଳି ଚୌଧୁରୀ ବଜାର ପୂଜା କମିଟି ମେଢରେ ୨ କିଲୋ ଓଜନର ୨ଟି ସୁନା କଲିକା ଖଞ୍ଜିଛି। ଚୌଧୁରୀ ବଜାର ମେଢରେ ୭ଟି ସୁନା କଲିକା ଚଳିତ ବର୍ଷ ଶୋଭା ପାଉଛି। ଫଳରେ ପୂଜାରେ ଚୌଧୁରୀବଜାର, ଶେଖ୍‌ବଜାର, ମଙ୍ଗଳାବାଗ, ରାଣୀହାଟ, ଚାଉଳିଆଗଞ୍ଜ, କାଠଗଡାସାହି, ହରିପୁର-ଦୋଳମୁଣ୍ତାଇ, କଲେଜ ଛକ ଓ ଖାନନଗର ମେଢରେ ସୁନା ଝଲସୁଛି। ଆହୁରି ଅବଶ୍ୟ ଅନେକ ମେଢରେ ଦେବୀଙ୍କର ଛୋଟ ଅଳଙ୍କାର ସୁନାରେ ତିଆରି ହୋଇଛି। ୧୯୯୦ ମସିହାରେ ଚୌଧୁରୀ ବଜାର ପଞ୍ଚାୟତ କମିଟି ପ୍ରଥମେ ଦୁର୍ଗାଙ୍କ ପାଇଁ ୪ କିଲୋ ଓଜନର ସୁନା ମୁକୁଟ ତିଆରି କରିଥିଲା। ପରେ ମେଢ଼ ପାଇଁ ୫ କିଲୋ ସୁନାରେ ୫ଟି କଲିକା, ୪ କିଲୋ ସୁନାରେ ମେଢ ପାଇଁ ଓଁ, ପାର୍ଶ୍ବ ଦେବାଦେବୀଙ୍କ ମୁକୁଟ ଓ ଅଳଙ୍କାର ତିଆରି ହେଲା। ଚଳିତ ବର୍ଷ ମେଢରେ ଅଧିକ ୨ଟି ସୁନା କଲିକା ଲଗା ଯାଇଛି। କେବଳ ଚୌଧୁରୀବଜାର ମଣ୍ତପରେ ପାଖାପାଖି ୨୫ କିଲୋ ସୁନା ବ୍ୟବହାର ହୋଇଛି।

କଟକ ଚଣ୍ତୀରୋଡ ଶେଖବଜାର ପୂଜା କମିଟି ୨୦୦୫ରେ ୬ କିଲୋ ସୁନାରେ ଦୁର୍ଗାଙ୍କ ସମେତ ପାର୍ଶ୍ବ ଦେବାଦେବୀଙ୍କ ମୁକୁଟ ତିଆରି କଲା। ମୁକୁଟ ପରେ ୧ କିଲୋ ସୁନାରେ ଦୁର୍ଗାଙ୍କ ଅଳଙ୍କାର ମଧୢ ତିଆରି କରିଥିଲା। ଦେଢ଼ କିଲୋ ସୁନାରେ ଏକ ମୟୂର ଚନ୍ଦ୍ରିକା ମଧ୍ୟ ମେଢରେ ଲାଗିଛି।

ଚାଉଳିଆଗଞ୍ଜ ପୂଜା କମିଟି ୨୦୦୮ରେ ୩ କିଲୋ ୩ ଶହ ଗ୍ରାମ ସୁନାରେ ଦୁର୍ଗାଙ୍କ ମୁକୁଟ ତିଆରି କରିଥିଲା। ଏହା ସହ ୧କିଲୋ ସୁନାରେ ଦୁର୍ଗାଙ୍କ ଚିକ, ହାର ଓ କାନଫୁଲ ମଧୢ ତିଆରି କରିଛି।
ମଙ୍ଗଳାବାଗ ପୂଜା କମିଟି ୨୦୧୦ରେ ୬ କିଲୋର ସୁନା ମୁକୁଟ ତିଆରି କଲା। ପରବର୍ତ୍ତି ସମୟରେ ଦେଢ଼ କିଲୋ ସୁନାରେ ମା’ଙ୍କ ଚମ୍ପାହାର ଓ ମୟୂର ତିଆରି କରିଥିଲା।


ରାଣୀହାଟ ପୂଜା କମିଟି ୨୦୧୪ ମସିହାରେ ଦୁର୍ଗାଙ୍କ ପାଇଁ ୪କିଲୋ ୮ଶହ ଗ୍ରାମର ସୁନା ମୁକୁଟ ତିଆରି କରିଛି। ପରେ ପାର୍ଶ୍ବ ଦେବାଦେବୀଙ୍କ ପାଇଁ ୧କିଲୋ ସୁନାରେ ମୁକୁଟ ତିଆରି ହୋଇଛି। ୨୦୧୫ରେ ମା’ଙ୍କ ମୁକୁଟ ପାଇଁ ୮ଶହ ଗ୍ରାମର ସୁନାରେ ଦୁଇଟି ମାଛ ତିଆରି କରିଛି।
କାଠଗଡାସାହି ପୂଜା କମିଟି ୨୦୧୫ ମସିହାରେ ୩ କିଲୋ ସୁନାରେ ଦୁର୍ଗାଙ୍କ ପାଇଁ ମୁକୁଟ ନିର୍ମାଣ କରିଛି। ହରିପୁର-ଦୋଳମୁଣ୍ତାଇ ପୂଜା କମିଟି ୧ କିଲୋ ଓଜନର ସୁନା ଗହଣା ତିଆରି କରିଥିବା ବେଳେ ୪ଶହ ଗ୍ରାମର ସୁନା ମୟୂର ମେଢରେ ଲଗାଇଛି। ସହରର ଅନେକ ପୂଜା କମିଟି ଦୁର୍ଗାଙ୍କ ସମେତ ପାର୍ଶ୍ବଦେବାଦେବୀଙ୍କ ପାଇଁ ସୁନାର ହାର, କାନର, ନୋଥ ଆଦି ତିଆରି କରିଛନ୍ତି। କଲେଜ ଛକ ପୂଜା କମିଟି ପାଖାପାଖି ୧ କିଲୋ ଓଜନର ସୁନା ମୟୂର ତିଆରି କରିଛି। ଏହିଭଳି ହିସାବରେ ବିଭିନ୍ନ ମେଢରେ ୬୧ କିଲୋରୁ ଅଧିକ ସୁନା ବ୍ୟବହାର ହୋଇଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୨୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଅନୁରୂପ ଭାବେ ୧୯୫୫ରେ ଚୌଧୁରୀ ବଜାର ପ୍ରଥମ ଚାନ୍ଦି ମେଢ ତିଆରି କରିଥିଲା। ଚାନ୍ଦିନୀଚୌକ, ଚାଉଳିଆଗ˚ଜ, ବାଲୁବଜାର, କାଜୀ ବଜାର, ପୀଠାପୁର କାଳୀୟ ଦଳନ ପୂଜା କମିଟି, ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି, ଅଲିଶା ବଜାର, କଟକ ଚଣ୍ତୀରୋଡ- ଶେଖ ବଜାର, ମଙ୍ଗଳାବାଗ, ରାଣୀହାଟ, ଶଙ୍କରପୁର-ବାଦାମବାଡି, ବୁଢୀ ଠାକୁରାଣୀ, ଶିଖରପୁର-ଗଣ୍ତରପୁର-ମହାନଦୀବିହାର, ହରିପୁର-ଦୋଳମୁଣ୍ତାଇ, ଖଟବିନ୍‌ ସାହି, ନୟା ସଡ଼କ, ତୁଳସୀପୁର ହନୁମାନ ଛକ, ଫିରିଙ୍ଗବଜାର, କାଠଗଡା ସାହି, ମାଛୁଆବଜାର, ଗଣେଶ ଘାଟ ଏବଂ ଦରଘା ବଜାର ମହାବୀର ପୂଜା କମିଟି ଚାନ୍ଦି ମେଢରେ ପୂଜା କରୁଛନ୍ତି। ରାଣୀହାଟ ଓ କଟକ ଚଣ୍ତୀ ରୋଡ-ଶେଖ ବଜାର ସର୍ବାଧିକ ୫ କ୍ବିଣ୍ଟାଲ ଚାନ୍ଦି ମେଢରେ ବ୍ୟବହାର କରିଥିବା ବେଳେ ଚାଉଳିଆଗ˚ଜ ୪ କ୍ବିଣ୍ଟାଲ, ଚାନ୍ଦିନୀଚୌକ, ବାଲୁ ବଜାର, ଖାନନଗର-ଖପୁରିଆ, ଅଲିଶା ବଜାର, ମଙ୍ଗଳାବାଗ, ବାଦାମବାଡି-ଶଙ୍କରପୁର, ଶିଖରପୁର-ଗଣ୍ତରପୁର-ମହାନଦୀବିହାର, କାଠଗଡା ସାହି, ମାଛୁଆ ବଜାର ୩ରୁ ୪ କ୍ବିଣ୍ଟାଲ, ଚୌଧୁରୀ ବଜାର, ଫିରିଙ୍ଗ ବଜାର, ବୁଢୀ ଠାକୁରାଣୀ ୨ରୁ ୩ କ୍ବିଣ୍ଟାଲ ଏବ˚ ନୟାସଡ଼କ, ତୁଳସୀପୁର ହନୁମାନ ଛକ, ଖଟବିନ ସାହି, ବାଖରାବାଦ, ଗଣେଶ ଘାଟ, ପୀଠାପୁର କାଳୀୟ ଦଳନ, କାଜୀ ବଜାର ୧ରୁ ୨ କ୍ବିଣ୍ଟାଲ ଚାନ୍ଦି ମେଢରେ ବ୍ୟବହାର କରିଛନ୍ତି। ଦରଘା ବଜାର ମହାବୀର ପୂଜା କମିଟି ୨ କ୍ବିଣ୍ଟାଲ ୮୦ କିଲୋ ଓଜନର ଚାନ୍ଦି ବ୍ୟବହାର କରିଛି। ଚାନ୍ଦିର ଅଳଙ୍କାର ଓ ମେଢକୁ ମିଶାଇଲେ ଏହି ପରିମାଣ ୯୦ କ୍ବିଣ୍ଟାଲରୁ ଅଧିକ ହେବ। ବର୍ତ୍ତମାନର ବଜାର ଦର ଅନୁଯାୟୀ ଚାନ୍ଦିର ମୂଲ୍ୟ ୪୦ କୋଟି ଟଙ୍କାରୁ ଅଧିକ ହେବ। କିନ୍ତୁ ସହରର ଅନେକ ମେଢରେ ଏବେ ମା’ ଓ ଅନ୍ୟ ଦେବାଦେବୀଙ୍କ ଗହଣା ଚାନ୍ଦିରେ ତିଆରି ହେଲାଣି। ତେଣୁ ଏଭଳି ମୋଟାମୋଟି ଆକଳନରେ ସୁନା-ଚାନ୍ଦିର ପରିମାଣ ୭୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ହିସାବ କରାଯାଉଛି। କଟକ ମହାନଗରରେ ପ୍ରାୟ ୧୬୦ଟି ମଣ୍ଡପରେ ପୂଜା ଆୟୋଜନ ହେଉଛି।

ସମ୍ବନ୍ଧିତ ଖବର