୫ ମଣ୍ଡପରେ ମହିଳାଙ୍କ ଅଷ୍ଟମୀ ପୂଜା ବି ବାରଣ
ସୋମବାର ସିପି ଅଫିସରେ ଚୂଡ଼ାନ୍ତ ନିଷ୍ପତ୍ତି
କଟକ : କରୋନା ପାଇଁ କଟକ ଦୁର୍ଗାପୂଜାର ବର୍ଷ ବର୍ଷର ପରମ୍ପରା ବଦଳିବାକୁ ଯାଉଛି। ପୁରୀ ରଥଯାତ୍ରା ଶୈଳୀରେ ଏଥର କଟକ ଦୁର୍ଗାପୂଜା ବିନା ଭକ୍ତରେ ଆୟୋଜନ କରାଯିବ। ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ। କେହି ଭକ୍ତ ମଣ୍ଡପକୁ ମା'ଙ୍କ ଦର୍ଶନ ପାଇଁ ଯାଇପାରିବେ ନାହିଁ। କେବଳ କର୍ତାଙ୍କୁ ମିଶାଇ ୫ ଜଣଙ୍କୁ ମଣ୍ଡପରେ ଉପସ୍ଥିତ ରହିବାକୁ ଅନୁମତି ମିଳିବ। ଆଜି କଟକ କମିସନରେଟ ପୁଲିସ ଓ ପୂଜା କମିଟି ଏଭଳି ଢଙ୍ଗରେ ପ୍ରସ୍ତାବ ରଖିଛି। ଆସନ୍ତା ସୋମବାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସର୍ବସାଧାରଣରେ ଗଣେଶ ପୂଜା ବନ୍ଦ କରାଯାଇଥିଲା। ଏଥର ଦୁର୍ଗାପୂଜା ଆୟୋଜନ ଉପରେ କଟକ କମିସନରେଟ ପୁଲିସ ଅଙ୍କୁଶ ଲଗାଇବାକୁ ଯାଉଛି। ଆଜି ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କଟକ ଡିସିପିଙ୍କ ଅଫିସରେ ଅପରାହ୍ନ ପ୍ରାୟ ୪ ଟା ବେଳେ ପୂଜା କମିଟି ସହିତ ଏକ ବୈଠକ ଡାକିଥିଲେ। ଦୁର୍ଗା ମେଢ଼ ୪ ରୁ ୫ ଫୁଟ ଭିତରେ ହେବାକୁ ପ୍ରସ୍ତାବ ଦିଆଯାଇଛି। ବମ୍ବେରେ ୪ ଫୁଟିଆ ଗଣେଶ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ସେହି ନିର୍ଦେଶକୁ ଦୃଷ୍ଟିରୁ ରଖି କଟକରେ ୪ ଫୁଟ ଭିତରେ ଦୁର୍ଗାଙ୍କ ମୂର୍ତ୍ତି କରିବାକୁ ଯୋଜନା କରାଯାଉଛି। ଷଷ୍ଠୀରୁ ଦଶମୀ ଯାଏ କେବଳ ୫ ଜଣ କର୍ମକର୍ତ୍ତା ମଣ୍ଡପରେ ରହିବାକୁ ଅନୁମତି ମିଳିପାରେ। ସାମାଜିକ ଦୂରତା ଓ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଅଧିକ ଲୋକ ମଣ୍ଡପରେ ରହିବେ ନାହିଁ। ମଣ୍ଡପ ଚାରି ପଟେ କପଡ଼ା ଘେରା ଯିବ। କେହି ଭକ୍ତ ମା'ଙ୍କ ଦର୍ଶନ କରିପାରିବେ ନାହିଁ। କିନ୍ତୁ ଅଷ୍ଟମୀ ଦିନ ମହିଳାଙ୍କ ଓଷା ଥିବାରୁ ସେଦିନ ମା'ଙ୍କ ଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପୁଲିସ କୌଣସି ପ୍ରକାର ନିଷ୍ପତ୍ତି ଗ୍ରହଣ କରିନାହିଁ। ଅଷ୍ଟମୀ ଦିନ ଘରେ ଘରେ ଭୋଗ କରିବାକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପଟେ କଟକ ଭସାଣି ୪ ଦିନ ଆୟୋଜନ କରାଯିବ। ସହରକୁ ୪ ଭାଗରେ ବିଭକ୍ତ କରାଯିବ। ୫ଟି ସ୍ଥାନରେ ମୂର୍ତ୍ତି ବିସର୍ଜନ କରାଯିବ। ଡିଜେ ବଜାଇ ଭସାଣି ପାଇଁ ଅନୁମତି ମିଳିବ ନାହିଁ। କେବଳ ଘଣ୍ଟା ବଜାଇ ଭସାଣି କରାଯିବ। ଭସାଣିରେ ୫ ଜଣ କର୍ମକର୍ତ୍ତା ସାମିଲ ହେବାକୁ ପୁଲିସ ପକ୍ଷରୁ ପ୍ରସ୍ତାବ ଉଠିଥିବାବେଳେ ୮ରୁ ୧୦ ଜଣ ସାମିଲ ହେବାକୁ ପୂଜା କମିଟି ଦାବି କରିଛି। ଆଜି କୌଣସି ପ୍ରକାର ନିଷ୍ପତ୍ତି ଗ୍ରହଣ କରାଯାଇନଥିବାବେଳେ ଆସନ୍ତା ସୋମବାର ଭୁବନେଶ୍ୱରରେ ପୁଲିସ କମିସନରଙ୍କ ଅଫିସରେ ଚୂଡ଼ାନ୍ତ ବୈଠକ ବସିବ। ଉଭୟ ଭୁବନେଶ୍ୱର ଓ କଟକ ପାଇଁ ଦୁର୍ଗାପୂଜା ସମେତ କାଳୀ ଓ କାର୍ତ୍ତିକେଶ୍ୱର ପୂଜା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ। ଆଜିର ବୈଠକରେ ପୁଲିସ କମିସନରଙ୍କ ସମେତ ଡିସିପି ପ୍ରତୀକ ସିଂହ, ମହାନଗର ଶାନ୍ତି କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ, ମହାନଗର ଶାନ୍ତି କମିଟିର ୨୦ ସଦସ୍ୟ ଏବଂ ପୂର୍ବାଞ୍ଚଳ ଶାନ୍ତି କମିଟିର ୧୦ ଜଣ ସଦସ୍ୟ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/Cuttack-Durga-Puja.jpg)