ବିଶାଳ ତୋରଣ, ଆଲୋକ ସଜ୍ଜାରେ କଟକ ଝଲମଲ୍‌

ମାହେସ୍ମତୀ ମହଲ, ଅମରନାଥ ମନ୍ଦିର, କର୍ଣ୍ଣାଟକ ବିଧାନସଭା ଢାଞ୍ଚାରେ ତୋରଣ

କଟକ : କଟକ ଦଶହରାର ଏଥର ସ୍ବତନ୍ତ୍ର ଆକ‌ର୍ଷଣ ପାଲଟିଛି ୩ଟି ବିଶାଳ ତୋରଣ। ବାଦାମବାଡ଼ି-ଶଙ୍କରପୁର ପୂଜା କମିଟି, ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଏବଂ ନୂଆପଡ଼ା ପୂଜା କମିଟି ପକ୍ଷରୁ ନିର୍ମିତ ଏହି ତୋରଣ ଗୁଡିକର ନିର୍ମାଣ ଶୈଳୀ, ବିଶାଳ ଆକାର ଓ ସାଜସଜ୍ଜା ବି ସହରରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।


ବାଦାମବାଡ଼ି-ଶଙ୍କରପୁର ପୂଜା କମିଟି ପକ୍ଷରୁ ଏଥର ବାହୁବଳୀ ଚଳଚ୍ଚିତ୍ରର ମାହେସ୍ମତୀ ସାମ୍ରାଜ୍ୟର ମହଲ ଢାଞ୍ଚାରେ ବିଶାଳ ତୋରଣ ନିର୍ମାଣ ହୋଇଛି। ଗଣେଶ ପୂଜାରୁ ଏହି ତୋରଣ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ଆଜି ତାହାକୁ ଉଦ୍‌ଘାଟନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏଥିରେ ପ୍ରତ୍ୟେକ ଦିନ ୩୦ରୁ ଅଧିକ ଲୋକ କାମ କରୁଥିଲେ। କୋଲକାତାରୁ କାରିଗର ଆସି ଏହାକୁ ନିର୍ମାଣ କରିଥିବା ବେଳେ ଏଥିରେ ଖର୍ଚ୍ଚ ହୋଇଛି ୧୦ ଲକ୍ଷରୁ ଅଧିକ ଟଙ୍କା। ସେହିଭଳି ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ପ୍ରସିଦ୍ଧ ଅମରନାଥ ମନ୍ଦିର ଢାଞ୍ଚାରେ ନିର୍ମାଣ ହୋଇଛି ତୋରଣ। କାଠଯୋଡ଼ି ରିଂ ବନ୍ଧରେ ନିର୍ମିତ ଏହି ତୋରଣ ନିର୍ମାଣର ଆରମ୍ଭ ନ‌ନ୍ଦୋତ୍ସବରୁ ହୋଇଥିଲା। କୋଲକାତାରୁ କାରିଗର ଆସି ଏହାକୁ ନିର୍ମାଣ କରୁଥିଲେ। ଗତକାଲି ଏହି ‌ତୋରଣକୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍‌ଘାଟନ କରିଥିଲେ। ଏହି ତୋରଣ ନିର୍ମାଣ ପାଇଁ ପାଖାପାଖି ୧୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା କୁହାଯାଉଛି।

ଅନ୍ୟପଟେ ନୂଆପଡ଼ା ପୂଜା ମଣ୍ଡପ ପକ୍ଷରୁ ଏଥର କର୍ଣ୍ଣାଟକ ବିଧାନସଭା ଢାଞ୍ଚାରେ ତୋରଣ ନିର୍ମାଣ ହୋଇଛି। ଏହାକୁ କିନ୍ତୁ କଟକର କାରିଗର ନିର୍ମାଣ କରିଛନ୍ତି। ଏଥିପାଇଁ ପାଖାପାଖି ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। କଟକ ସଦର ଅଞ୍ଚଳରେ ବି ଏଥର ପ୍ରତାପନଗରୀ ପୂଜା କମିଟି ପକ୍ଷରୁ ସଦୃଶ ତୋରଣ ତୋରଣ ନିର୍ମାଣ ହୋଇଛି। ଏହି ୪ଟି ପୂଜା ମଣ୍ଡପକୁ ବାଦ୍ ଦେଲେ ଏଥର ସଂପୂର୍ଣ୍ଣ ନୂଆ ଢଙ୍ଗରେ କଟକରେ ପୂଜା ପେଣ୍ଡାଲ୍ ପ୍ରସ୍ତୁତ କରି ଶିଖରପୁର-ଗଣ୍ଡରପୁର-ମହାନଦୀବିହାର ପୂଜା କମିଟି ପକ୍ଷରୁ ପୂଜା ଆୟୋଜନ ହୋଇଛି। ଅଧିକାଂଶ ବଡ଼ ପୂଜାମଣ୍ଡପ ଏଥର ଆକର୍ଷଣୀୟ ଲାଇଟ୍ ଗେଟ୍‌କୁ ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର