କଟକ: କରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ କଟକର ଐତିହାସିକ ଦୁର୍ଗାପୂଜା କଟକଣା ମଧ୍ୟରେ ସଂପନ୍ନ ହେବ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ କହିଛନ୍ତି, ଦୁର୍ଗାପୂଜା ମଣ୍ଡପ ଗୁଡ଼ିକରେ ସାଜସଜ୍ଜା ହେବ ନାହିଁ। ସେହିଭଳି ଲୋକଙ୍କର ଗହଳି ମଧ୍ୟ ହୋଇପାରିବ ନାହିଁ। ନିୟମ ନମାନିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ, କଟକର ଦୁର୍ଗାପୂଜା ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି। ସହରର ୨୦ରୁ ଅଧିକ ପୂଜା କମିଟି ରୁପା ମେଢ଼ କରିଥାନ୍ତି। କିଛି ସ୍ଥାନରେ ମା’ ଦୁର୍ଗାଙ୍କ ମୁକଟ ସୁନା ଅଳଂକାରରେ ତିଆରି ହୋଇଛି। ଭାଇ ଚାରାର ସହରରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ପୂଜା କମିଟି ଦ୍ୱାରା ବଡ଼ ଧରଣର ଦୁର୍ଗା ପୂଜାର ଆୟୋଜନ କରାଯାଇଥାଏ। ଦୁର୍ଗାପୂଜାକୁ ଭବ୍ୟତାର ସହିତ ପାଳନ କରିବା ପାଇଁ କିଛି ପୂଜା କମିଟି ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ବ୍ୟବସାୟୀମାନେ ଏହି ସମୟରେ ଭଲ ବ୍ୟବସାୟ କରିଥାନ୍ତି। ଏଥି ଲାଗି ସେମାନେ ବହୁ ଦିନ ଆଗରୁ ପ୍ରସ୍ତୁତି କରିଥାନ୍ତି।
/sambad/media/post_attachments/wp-content/uploads/2019/10/Durga-Puja-1-720x430-1.jpeg)
ଦୁର୍ଗାପୂଜା ଆୟୋଜନ ଅନୁମତି ପ୍ରସଂଗ ନେଇ ହାଇକୋର୍ଟରେ ମାମଲା
ଦୁର୍ଗାପୂଜାକୁ ଆଉ ଦୁଇ ମାସରୁ କମ୍ ସମୟ ଅଛି। କରୋନା ମହାମାରୀ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଦୁର୍ଗାପୂଜା ଆୟୋଜନ ପୂର୍ବଭଳି ହେବା ନେଇ ଅନିଶ୍ଚିତତା ଲାଗି ରହିଛି। ପୁରାତନ ସହର କଟକରେ ଦୁର୍ଗାପୂଜା ପରମ୍ପରା ଶତାଧିକ ବର୍ଷ ପୁରୁଣା ହୋଇଥିବା ବେଳେ ଏହାକୁ ବଜାୟ ରଖିବାକୁ ଦାବି ପ୍ରକାଶ ପାଇଛି। ଅନ୍ୟପକ୍ଷରେ କୋଭିଡ-୧୯ କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ ଅନୁମତି ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ବାଲୁ ବଜାର ପୂଜା କମିଟି ପକ୍ଷରୁ ସଭାପତି ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ସଂପାଦକ ରାଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି ଯେ ଏହି ପୀଠରେ ୧୫୦୯ ମସିହାରୁ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଆସୁଛି। ଦୀର୍ଘ ୫୦୦ବର୍ଷରୁ ଅଧିକ ସମୟ ଧରି ବାଲୁବଜାରରେ ଦୁର୍ଗାପୂଜା ପରମ୍ପରା ବଜାୟ ରଖି ପୂଜା ଆୟୋଜନ କରାଯାଉଛି। ଅତୀତରେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଖା ଦେଇଥିବା ବେଳେ ଏହି ପରମ୍ପରା କେବେ ଭାଙ୍ଗି ନାହିଁ ଚଳିତ ବର୍ଷ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ସ୍ଥିତିରେ ଦୁର୍ଗାପୂଜା ଆୟୋଜନ ସଂପର୍କିତ ପ୍ରଥମ ପରମ୍ପରା ମାଟି ଅନୁକୂଳ ପାଇଁ କଟକ ଡିସିପି ଅନୁମତି ଦେବା ପରେ ସୀମିତ ଚାରି ଜଣ ଲୋକଙ୍କୁ ନେଇ ଓ ବିନା ଶୋଭାଯାତ୍ରାରେ ମାଟି ଅନୁକୂଳ କାର୍ଯ୍ୟ ସଂପାଦନ ହୋଇଥିଲା । ରାଧାଷ୍ଟମୀ ଠାରୁ ମାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରମ୍ପରା ନିୟମ ରହିଛି । ଅନ୍ୟପକ୍ଷରେ ରାଜ୍ୟ ସରକାର କରୋନା ସଂକ୍ରମଣକୁ ଯୋଗୁଁ ସବୁ ଧର୍ମାନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ଖୋଲିବା ଉପରେ କଟକଣା ଜାରି କରିଛନ୍ତି।
ଏଭଳି ସ୍ଥିତିରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦିଆଯାଉ ଏଥି ସହିତ କୋଭିଡ-୧୯ କଟକଣା ମଧ୍ୟରେ ବାଲୁବଜାର ମଣ୍ଡପରେ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀ ମାନି ବିନା ଶୋଭାଯାତ୍ରାରେ ଓ ସାମାଜିକ ଦୂରତ୍ୱ ବଜାୟ ରଖି ବାଲୁବଜାର ଦୁର୍ଗାପୂଜା ମଣ୍ଡପରେ ମା ଦୁର୍ଗାଙ୍କ ପୂଜା ଆୟୋଜନ ପାଇଁ ଆବେଦନକାରୀ ପ୍ରସ୍ତୁତ ଥିବା ବେଳେ ଏଥି ପାଇଁ ପ୍ରଶାସନିକ ଅନୁମତି ପ୍ରଦାନ କରାଯାଉ ବୋଲି ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, କଟକ ଜିଲ୍ଲାପାଳ, ପୁଲିସ କମିସନର, କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/ctc-puja25-thumb.jpg)