କଟକ : ୩୬ ବର୍ଷର ପୁରୁଣା ‘କଟକ ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲ’ ବନ୍ଦ ହୋଇଯିବ। କଲେଜର ଭିତ୍ତିଭୂମି ଓ ଆବଶ୍ୟକ ସଂଖ୍ୟାରେ ଅଧ୍ୟାପକ, ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। କଲେଜରେ ନାମ ଲେଖାଇବା ପାଇଁ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ଦ୍ୱାରା ଛାତ୍ରଛାତ୍ରୀ ଚୟନ କରିିବାକୁ କେନ୍ଦ୍ର ସରାକାରଙ୍କ ନିର୍ଦ୍ଦେଶ ଥିବା ବେଳେ ଏବେ ଏହାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଦୁଇ ବର୍ଷ ହେଲା କଲେଜର କୌଣସି ଛାତ୍ରଛାତ୍ରୀ ନାମ ଲେଖାଇ ନଥିବା ବେଳେ ଏବେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ଦେଇ ମନୋନୀତ ହେଉଥିବା ଛାତ୍ରଛାତ୍ରୀ ଏଠାକୁ ଆସିବେ ନାହିଁ ବୋଲି କଲେଜ ପକ୍ଷରୁ କୁହାଯାଇଛି। କଲେଜ ପକ୍ଷରୁ ବିଭିନ୍ନ ସମୟରେ ଏହାକୁ ସରକାରୀ ମାନ୍ୟତା ଓ ବିଭିନ୍ନ ଅନୁଦାନ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଥିଲେ ବି କଲେଜଟି ଆଜି ପର୍ଯ୍ୟନ୍ତ ତାର ଅଧିକାରରୁ ବଞ୍ଚିତ ହୋଇ ରହିଛି। ଓଡ଼ିଶାରେ ଥିବା ୫ଟି ବେସରକାରୀ କଲେଜ ମଧ୍ୟରୁ ତିନିଟିକୁ ସରକାର ବହୁବର୍ଷ ପୂର୍ବରୁ ସରକାରୀ ମାନ୍ୟତା ଦେଇଥିବା ବେଳେ କଟକର ଏହି ପୁରାତନ କଲେଜ ପ୍ରତି ସରକାରଙ୍କ ଦୃଷ୍ଟି ନ ପଡ଼ିବା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।
୧୯୮୨ ମସିହାରେ କଟକ ବିଦ୍ୟାଧରପୁର ଠାରେ ଏହି କଲେଜ ଓ ହସ୍ପିଟାଲ ସ୍ଥାପନ କରାଯାଇଥିଲା। ୩୬ ବର୍ଷ ମଧ୍ୟରେ ୫୭୧ ଜଣ ହୋମିଓପାଥି ଡାକ୍ତରଙ୍କୁ ଗଢିଥିବା ଏହି ଅନୁଷ୍ଠାନକୁ କିନ୍ତୁ ସରକାରୀ ମାନ୍ୟତା ମିଳିପାରି ନାହିଁ। କଲେଜରେ ସାଢେ ୫ ବର୍ଷ କୋର୍ସରେ ମୋଟ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଏ। ମାତ୍ର କଲେଜରେ ୨୪ଜଣ ଅଧ୍ୟାପକ ଅବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୪ଜଣ। ସେହିପରି କଲେଜ ଓ ହସ୍ପିଟାଲ ପରିଚାଳନା ପାଇଁ ୨୦ରୁ ଅଧିକ କର୍ମଚାରୀଙ୍କ ଆବଶ୍ୟକ ଥିବା ବେଳେ ଏବେ ଅଛନ୍ତି ୧୨ଜଣ କର୍ମଚାରୀ। ଅନ୍ୟପଟେ ୩୬ବର୍ଷ ପୁରୁଣା କଲେଜରେ ଛାତ୍ରଙ୍କ ପାଇଁ ଶୌଚାଳୟ, କମନ୍ ରୁମ ଓ ସାଇକେଲ୍ ଷ୍ଟାଣ୍ଡ ପରି ମୌଳିକ ସୁବିଧାସୁଯୋଗ ନାହିଁ। ଅନ୍ୟପଟେ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଆବଶ୍ୟକ ଥିବା ପାଥୋଲୋଜି, ବାଓ-କେମେଷ୍ଟ୍ରି, ଫାର୍ମାସି, ଆନାଟୋମିର କର୍ମଚାରୀ ନାହାନ୍ତି କି ଆବଶ୍ୟକ ଉପକରଣ ବି ନାହିଁ। ଏଠାରେ ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିବା ଅନେକ ଔଷଧ ବି ରହୁନାହିଁ। ଏପରି ସମସ୍ୟା ଦେଇ କଲେଜଟି ଗତି କରୁଥିବା ବେଳେ ଏହାକୁ ଭିତ୍ତି କରି ସେଣ୍ଟ୍ରାଲ କାଉନସିଲ ଅଫ୍ ହୋମିଓପାଥି(ସି.ସି.ଏଚ) ଓ ଡିପାର୍ଟମେଣ୍ଟ ଅଫ୍ ଆୟୁଷ, ଇଣ୍ଡିଆ(ଡି.ଏ.ଇ) ୨୦୧୬-୧୭ ବର୍ଷ ପାଇଁ କଲେଜରେ ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ ଗତ ଦୁଇ ବର୍ଷ ହେଲା କଲେଜରେ ନୂତନ ଛାତ୍ରୀଛାତ୍ରୀଙ୍କୁ ନିଆଯାଇ ନାହିଁ। ପୂର୍ବରୁ ନମ୍ବର ଭିତ୍ତିରେ ଏଠାରେ ଛାତ୍ରଛାତ୍ରୀଙ୍କୁ ନାମଲେଖା ସୁଯୋଗ ମିଳୁଥିବା ବେଳେ ୨୦୧୩ ପରେ ଓଜେଇ ପରୀକ୍ଷା ଦେଇ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଉଥିଲେ। ମାତ୍ର ଚଳିତବର୍ଷ କଲେଜରେ ନାମ ଲେଖାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ପରୀକ୍ଷା ଦେବାକୁ ପଡିବ ବୋଲି କେନ୍ଦ୍ର ସରାକାର ନିର୍ଦ୍ଦେଶ ଦେଇଛନ୍ତି। ଭିତ୍ତିଭୂମିର ଅଭାବ ଯୋଗୁୁଁ ଅନୁମୋଦନ କଟି ଯାଇଥିବା ଉକ୍ତ କଲେଜକୁ ଆଉ ଛାତ୍ରଛାତ୍ରୀ ଆସିବେ ନାହିଁ ବୋଲି କଲେଜ ପକ୍ଷରୁ କୁହାଯାଇଛି।
ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ସମସ୍ୟାର ସମାଧାନ କରିବା ଦାବିରେ ଗତ ବର୍ଷ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଓ ଭୁବନେଶ୍ୱର ଲୋଏର ପିଏମ୍ଜି ଠାରେ ଧାରଣାରେ ବସିବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ଅର୍ଥ ସଚିବଙ୍କୁ ମଧ୍ୟ ସାକ୍ଷାତ କରି ସେମାନଙ୍କ ଦାବିକୁ ଜଣାଇଥିଲେ। କଲେଜର ସମସ୍ତ ସମସ୍ୟା ଦୂର କରିବା ସହ ଏହାକୁ ସରକାରୀ ମାନ୍ୟତା ଦେବା ଦିଗରେ କାର୍ଯ୍ୟ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। କଲେଜ ଓ ହସ୍ପିଟାଲ ବିକାଶ ପାଇଁ ୪ରୁ ୫କୋଟି ଟଙ୍କାର ଆବଶ୍ୟକ ରହିଛି। ସରକାର ଚାହିଁଲେ ଏହାକୁ ନିଜ ଅଧୀନକୁ ନେଇ ଆଗାମୀ ଦିନରେ ଏହାର ବିକାଶ କରିବାକୁ ପ୍ରତିଶ୍ରୁତିି ଦେଲେ ସି.ସି.ଏଚ୍ ପକ୍ଷରୁ କଟାଯାଇଥିବା ଅନୁମୋଦନ ପୁଣି ମିଳି ପାରିବ ବୋଲି କହିଛନ୍ତି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରଦ୍ୟୁମ୍ନ କୁମାର ଶତପଥୀ। ରାଜ୍ୟରେ ୫୬୦ରୁ ଅଧିକ ହୋମିଓପାଥି ଡିସ୍ପେନସାରି ଥିବା ବେଳେ ଏବେ ସେଠାରେ ୨୫୦ରୁ ଅଧିକ ଡାକ୍ତର ନାହାନ୍ତି। ରାଜ୍ୟକୁ ଅନେକ ହୋମିଓପାଥି ଡାକ୍ତର ତିଆରି କରି ଦେଇଥିବା ଏହି ଅନୁଷ୍ଠାନ ପ୍ରତି ସରକାର ଦୃଷ୍ଟି ଦେବା ସହ ଏହାକୁ ପୁଣି ସକ୍ଷମ କରାଇବାକୁ ସାଧାରଣରେ ଦାବି ହୋଇଛି।