କଟକ: କଟକ ପୁରୀଘାଟସ୍ଥିତ ‘ତ୍ରିଶା’ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଆରମ୍ଭ ହୋଇଛି ଖୋଳତାଡ଼। କେଉଁ ପରିସ୍ଥିତିରେ ଓ କିଭଳି ଅଗ୍ନିକାଣ୍ଡ ଘଟିଲା ତାହାର ଯାଞ୍ଚ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ୍ ଆଜି ଶିଶୁଭବନ ଓ କଟକ ବଡ଼ ଡ଼ାକ୍ତରଖାନାରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ଅଗ୍ନିକାଣ୍ଡ ପରେ ଉଦ୍ଧାର ହୋଇ ଶିଶୁଭବନରେ ଭର୍ତ୍ତି ହୋଇଥିବା ନବଜାତ ଶିଶୁକନ୍ୟାର ଆଜି ଏସ୍ଏନ୍ସିୟୁରେ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନ ତାଲିକାରୁ ନିଲମ୍ବିତ କରାଯାଇଛି।
ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର୍ ମହାଲିଙ୍ଗ ଶିଶୁଭବନ ଓ କଟକ ବଡ଼ ଡ଼ାକ୍ତରଖାନାରେ ପହଞ୍ଚି ‘ତ୍ରିଶା’ରୁ ଆସିଥିବା ଅସୁସ୍ଥ ଶିଶୁରୋଗୀ ଓ ଗୁରୁତର ରୋଗୀମାନଙ୍କୁ ସାକ୍ଷାତ କରିଥିଲେ। ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି। ସେହି ଟିମ୍ର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡକ୍ଟର ମହାଲିଙ୍ଗ କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗକୁ ନେଇ ସମନ୍ୱୟ କମିଟି ବୈଠକ ହେବ ଓ ସେହି ଆଧାରରେ ଗାଇଡ୍ଲାଇନ୍ ଜାରି କରାଯିବ। ତାଙ୍କ ସହିତ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମଧ୍ୟ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଦୀପ ଜେନା, ପ୍ରଫେସର ଡାକ୍ତର ସୁନୀଲ ଅଗ୍ରୱାଲ,ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, କୁଳସଚିବ ଡକ୍ଟର ଅବିନାଶ ରାଉତଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ବିଏସ୍କେୱାଇ ତାଲିକାରୁ ବାଦ୍
ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ
ସେପଟେ, ଡିଏମ୍ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଡିଏମ୍ଇଟି ପ୍ରଫେସର ଡାକ୍ତର ବ୍ରଜକିଶୋର ଦାଶଙ୍କ ନେତୃତ୍ୱରେ ପ୍ରଫେସର ଡାକ୍ତର ରୋମା ରତନ, ପ୍ରଫେସର ଡାକ୍ତର ଅନୀଲ ସାହୁ ପ୍ରମୁଖ ‘ତ୍ରିଶା’ ହସ୍ପିଟାଲ୍ରେ ପହଁଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଉକ୍ତ ହସ୍ପିଟାଲ୍ର ଅଗ୍ନିଶମ ପ୍ରମାଣପତ୍ର, ପଞ୍ଜୀକରଣ ଇତ୍ୟାଦି ଠିକ୍ ରହିଥିବା ବେଳେ ପାର୍କିଂ ନେଇ ଅଭିଯୋଗ ଆସିଛି। ସେସବୁର ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଏହି ଟିମ ସୂଚନା ଦେଇଛନ୍ତି। ସେହିପରି ଅଗ୍ନିଶମ ବିଭାଗ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅଗ୍ନିକାଣ୍ଡ ପରେ ଶିଶୁଭବନକୁ ସ୍ଥାନାନ୍ତରିତ ହୋଇଥିବା ୭ଦିନର ଏକ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ବିଜୟ ବେହେରାଙ୍କ ଝିଅ ବୋଲି ପରିଚୟ ମିଳିଛି। ଶିଶୁଟି ଜନ୍ମ ହେବା ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ଗତ ୭ତାରିଖ ଦିନ ଶିଶୁଭବନକୁ ଆସିଥିଲା। ହେଲେ, ଏସ୍ଏନ୍ସିୟୁରେ ସିଟ୍ ନମିଳିବାରୁ ପରିବାର ଲୋକେ ବାଧ୍ୟ ହୋଇ ୮ତାରିଖ ରାତିରେ ତ୍ରିଶା ହସ୍ପିଟାଲକୁ ନେଇଥିଲେ। ବିଏସ୍କେୱାଇ କାର୍ଡ ଥିବାରୁ ସେଠାରେ ଚିକିତ୍ସା କରାଯାଇଥିଲା। ଅଗ୍ନିକାଣ୍ଡ ପରେ ଶିଶୁଟିକୁ ପୁନର୍ବାର ଶିଶୁଭବନକୁ ଅଣାଯାଇଥିଲେ ବି ସେଠାରେ ତା’ର ମୃତ୍ୟୁ ଘଟିଥିଲା। ଶିଶୁର ମୃତ୍ୟୁକୁ ନେଇ ସନ୍ଦେହ ଉଠିଥିବା ବେଳେ ଅଗ୍ନିକାଣ୍ଡ ସହ ମୃତ୍ୟୁର ସମ୍ପର୍କ ନାହିଁ ବୋଲି ଶିଶୁଭବନ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଜେନା କହିଛନ୍ତି। ଶିଶୁଟି ପୂର୍ବରୁ ଗୁରୁତର ଅବସ୍ଥାରେ ଆସିଥିଲା ବୋଲି େସ କହିଛନ୍ତି। ଅଗ୍ନିକାଣ୍ଡ ପରେ ‘ତ୍ରିଶା’ ହସ୍ପିଟାଲ୍ରୁ ସ୍ଥାନାନ୍ତରିତ ହୋଇଥିବା ୧୪ଜଣ ଶିଶୁରୋଗୀ ବର୍ତ୍ତମାନ ଶିଶୁଭବନ ଓ ଅନ୍ୟ ୧୪ଜଣ ଶିଶୁରୋଗୀ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଶିଶୁଭବନର ୧୪ଜଣ ଶିଶୁରୋଗୀଙ୍କ ଭିତରୁ ୪ଜଣ ଏସ୍ଏନ୍ସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ଆଇସିୟୁ ଓ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ ୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ଦିଆଯାଇଛି।