କଟକ ଆଇଆଇଏଫ୍‌ଏଲ୍‌ ଡକାୟତି ସହ ବ୍ରହ୍ମପୁର ଘଟଣାର ସାମଞ୍ଜସ୍ୟ : ସମାନ ଢ଼ଙ୍ଗ, ଏକା ଗ୍ୟାଙ୍ଗ୍‌ର ହାତ!

ବର୍ଷେ ପରେ ବି ମିଳିନି ସୁରାକ୍‌, ପୁଣି ଖୋଲିବ ବନ୍ଦ ଫାଇଲ୍‌

ବ୍ରହ୍ମପୁର: କଟକରେ ଥିବା ଆଇଆଇଏଫ୍‌ଏଲ୍‌ ଗୋଲଡ୍‌ ଲୋନ୍‌ ସଂସ୍ଥାରୁ ସଶସ୍ତ୍ର ଡକାୟତି ଘଟଣା ସହିତ ବର୍ଷେ ତଳେ ସମାନ ଢ଼ଙ୍ଗରେ ବ୍ରହ୍ମପୁର ଆଇଆଇଏପ୍‌ଏଲ୍‌ ଗୋଲଡ୍‌ ଲୋନ୍‌ ସଂସ୍ଥାରେ ହୋଇଥିବା ଲୁଟ୍ ଉଦ୍ୟମ ଘଟଣାର ସାମଞ୍ଜସ୍ୟ ରହିଛି।‌ କଟକ ଘଟଣା ପରେ ବ୍ରହ୍ମପୁରରେ ସେଇ ସମାନ ସଂସ୍ଥାର ଶାଖାରେ ଘଟିଥିବା ଘଟଣାର ସ୍ମୃତିକୁ ତାଜା କରିଛି। ଅପରେସନ୍‌ ସେହି ସମାନ ଢଙ୍ଗ। ଡକାୟତ ଗ୍ୟାଙ୍ଗ୍‌ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଂଜିନିୟରିଂ ସ୍କୁଲ ରୋଡ଼ରେ ଥିବା ଆଇଆଇଏଫ୍‌ଏଲ୍‌ ଗୋଲଡ୍‌ ଲୋନ୍‌ ସଂସ୍ଥ‌ାରେ ପଶିଥିଲେ। ପ୍ରାୟ ୨୦ମିନିଟ୍‌ ଧରି ଅପରେସନ୍‌ ଚଳାଇଲେ। ହେ‌ଲେ ଲୁଟ୍ କରିବା‌ରେ ବିଫଳ ହୋଇ ଚମ୍ପଟ୍‌ ମାରିଥିଲେ। ବ୍ରହ୍ମପୁରରେ ଡକାୟତ ଗ୍ୟାଙ୍ଗ୍‌ ଯେଭଳି ଭାବେ ଅପରେସନ୍‌ କରିଥିଲେ, କଟକରେ ମଧ୍ୟ ଠିକ୍‌ ତା’ର ପୁନରାବୃତ୍ତି ଘଟିଛି। ଏଣୁ ଉଭୟ ଘଟଣା ପଛରେ ଏକା ଗ୍ୟାଙ୍ଗ୍‌ର ହାତ ଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି। ବ୍ରହ୍ମପୁର ପୁଲିସ ଘଟଣାର ବର୍ଷେ ପରେ ମଧ୍ୟ ଡାକୟତଙ୍କ ସୁରାକ୍‌ ପାଇପାରି ନାହିଁ। କଟକ ଘଟଣା ପରେ ବ୍ରହ୍ମପୁର ଘଟଣାର ବନ୍ଦ ହୋଇ ଯାଇଥିବା ତଦନ୍ତ ଫାଇଲ୍‌ ପୁଣିଥରେ ଖୋଲିବ ବୋଲି ଅନୁମାନ କରାଯାଉଛି।

ଆଇଆଇଏଫ୍‌ଏଲ୍‌ ଗୋଲଡ୍‌ ଲୋନ୍‌ ସଂସ୍ଥା ଲୋକଙ୍କ ସୁନା ଗହଣା ରଖି ଋଣ ପ୍ରଦାନ କରିଥାଏ। ଗତ ୨୦୧୯ ଜୁଲାଇ ୩୧ତାରିଖରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ରୋଡ଼ରେ ଥିବା ସଂସ୍ଥା କାର୍ଯ୍ୟାଳୟରେ ସକାଳ ପ୍ରାୟ ୧୦ଟା ବେଳେ ମ୍ୟାନେଜରଙ୍କ ସହିତ ଅନ୍ୟ ଦୁଇଜଣ କର୍ମଚାରୀ ଉପସ୍ଥିତ ଥିଲେ। ଠିକ୍‌ ୧୦ଟା ୨୦ମିନିଟ୍‌ରେ ବାଇକ୍‌ରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ବ୍ୟାଙ୍କରେ ପଶିଥିଲେ। ସେମାନେ ପିସ୍ତଲ ଦେଖାଇ ପ୍ରଥମେ ମ୍ୟାନେଜର୍‌ ଓ ଅନ୍ୟମାନଙ୍କୁ କାବୁ କରିଥିଲେ। ଲକର୍‌ ଚାବିକୁ ନେଇ ଜଣେ ଦୁର୍ବୃତ୍ତ ଓ ମ୍ୟାନେଜର୍‌ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ସେମାନେ ସମସ୍ତ କର୍ମଚାରୀଙ୍କୁ ଟଏଲେଟ୍‌ରେ ବନ୍ଦ କରି ଦେଇଥିଲେ। କିନ୍ତୁ ଲକର୍‌ ଖୋଲିବାରେ ବିଫଳ ହୋଇ ସେମାନେ ସେଠାରୁ ଚମ୍ପଟ୍‌ ମାରିଥିଲେ। ଯିବା ସମୟରେ ଡକାୟତମାନେ କର୍ମଚାରୀଙ୍କ ମୋବାଇଲ୍‌ ଓ କିଛି ଟଙ୍କା ଲୁଟି ନେଇଥିଲେ। ପୁଲିସ ସିସି କ୍ୟାମେରା ଫୁଟେଜ୍‌କୁ ଆଧାର କରି ତଦନ୍ତ କରିଥିଲା। ଲୁଟ୍‌ ମୋବାଇଲ୍‌ ମଧ୍ୟ ଟ୍ରାକିଂ କରିଥିଲା। ହେଲେ ଦୁର୍ବୃତ୍ତଙ୍କ କୌଣସି ସୁରାକ୍‌ ଆଜି ସୁଦ୍ଧା ପାଇପାରି ନାହିଁ।

ଠିକ୍‌ ଏହି ସମାନ ଢଙ୍ଗରେ କଟକ ଘଟଣା ଘଟିଛି। ଗତକାଲି ସକାଳ ପ୍ରାୟ ୯ଟା ୫୫ମିନିଟ୍‌ରେ ୪ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଆଇଆଇଏଫ୍‌ଏଲ୍‌ ଗୋଲଡ୍‌ ଲୋନ୍‌ ସଂସ୍ଥାରେ ପଶିଥିଲେ। ସେ ସମୟରେ ସେମାନେ ମୁଖା ପିନ୍ଧିଥିଲେ। ବ୍ରହ୍ମପୁର ଘଟଣା ଭଳି ପ୍ରଥମେ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ କାବୁ କରିବା ପରେ ଗୋଟିଏ ରୁମ୍‌ରେ ବନ୍ଦ କରି ଦେଇଥିଲେ। ଏହାପରେ ଲକର୍‌ ଖୋଲି ସେଥିରେ ଥିବା ପ୍ରାୟ ୧୨କୋଟି ଟଙ୍କାର ସୁନା ଅଳଙ୍କାର ଓ ନଗଦ ୪ଲକ୍ଷ ଟଙ୍କା ବ୍ୟାଗ୍‌ରେ ଭର୍ତ୍ତି କରି ଚମ୍ପଟ୍‌ ମାରିଥିଲେ। ବ୍ରହ୍ମପୁର ଘଟଣା ଭଳି ଦୁର୍ବୃତ୍ତମାନେ ଯିବା ପୂର୍ବରୁ ସମସ୍ତ କର୍ମଚାରୀଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଉଭୟ ଘଟଣାର ଅପରେସନ୍‌ ତରିକାରେ ଅନେକ ସାମଞ୍ଜସ୍ୟ ରହିଛି। ସେହିପରି ଉଭୟ ଘଟଣାର ଦୁର୍ବୃତ୍ତମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ। ଏଣୁ ଉଭୟ ଘଟଣାରେ ଗୋଟିଏ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ହାତ ଥିବା ନେଇ ସନ୍ଦେହ କରାଯାଉଛି। କଟକରେ ବଡ଼ ଧରଣ ଡକାୟତି ହୋଇଥିବାରୁ ଦୁର୍ବୃତ୍ତଙ୍କୁ ଧରିବା ପୁଲିସ ପାଇଁ ଚାଲେଞ୍ଜ୍‌ ହୋଇଛି। ତେଣୁ ବ୍ରହ୍ମପୁର ଘଟଣା ଲିଙ୍କ୍‌କୁ ଆଧାର କରି କଟକ ଡକାୟତି ଘଟଣାର ତଦନ୍ତ ଖିଅ ମିଳିପାରେ। ଏପରିକି ଉଭୟ ମାମଲାକୁ ଟ୍ୟାଗ୍‌ କରି ମିଳିତ ତଦନ୍ତ ହୋଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର