ଚୋରା ବନ୍ଧୁକ ପାଇଁ ବିପଦରେ କଟକ

କୁଖ୍ୟାତ ଟୁକୁନାର ୩ ସହଯୋଗୀ ଗିରଫ; ପୁଣି ଜବତ ହେଲା ୧୧ ବନ୍ଧୁକ, ୫୧ ରାଉଣ୍ଡ ଗୁଳି

୬ ମାସରେ ଜବତ ହେଲାଣି ୪୪ ବନ୍ଧୁକ, ୧୧୮୧ ରାଉଣ୍ଡ ଗୁଳି

କଟକ : ବନ୍ଧୁକ ଚୋରା କାରବାରରେ ଲିପ୍ତ ଅପରାଧୀଙ୍କୁ ନେଇ ଏବେ ବିପଦରେ କଟକ ସହର। ସହରର ଛୋଟ, ବଡ ଅପରାଧୀଙ୍କ ହାତରେ ବି ଏବେ ବନ୍ଧୁକ। କୁଖ୍ୟାତ ମାଫିଆ, ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ତାଳଚେରର ଟୁକୁନା ସ୍ବାଇଁକୁ ରିମାଣ୍ଡରେ ଆଣି ଜେରାପରେ ତା’ଠାରୁ ବନ୍ଧୁକ କିଣିଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ୧୧ଟି ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ପୁଲିସ ଜବତ କରିଛି। ୨୦୨୦ ଡିସେମ୍ବର ୧୦ରୁ ୨୦୨୧ ଜୁନ୍ ୧୬ ତାରିଖ ଭିତରେ ଅର୍ଥାତ ଗଲା ୬ ମାସ ସମୟ ଭିତରେ କଟକ କମିସନରେଟ୍ ପୁଲିସ ଏହାକୁ ମିଶାଇ ମୋଟ ୪୪ଟି ବନ୍ଧୁକ ଓ ୧୧୮୧ ରାଉଣ୍ଡ ଗୁଳି ଜବତ କରି ସାରିଲାଣି। ଟୁକୁନା ଓ ତା’ର ସହଯୋଗୀଙ୍କୁ ଜେରା କରିବା ପରେ ପୁଲିସ ଏହି କାରବାରର ବହୁ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି। ସହରରେ ଏଭଳି ଚୋରା ବନ୍ଧୁକ ଛାଇଯିବା ଘଟଣା ଏବେ ପୁଲିସ ପାଇଁ ବି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ଚୌଦ୍ବାର ଥାନା ପୁଲିସ ଶେଖବଜାରର ବାବୁଆ ଓରଫ ପ୍ରକାଶ ବେହେରା, ବିଡାନାସୀ ଦେଉଳସାହିର ବୁଦ୍ଧିଆ ଓରଫ ଶରତ ସେଠୀଙ୍କୁ ୨୦୨୦ ଡିସେମ୍ବର ୧୧ ତାରିଖରେ ଗିରଫ କରିବା ପରେ କୁଖ୍ୟାତ ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ତାଳଚେରର ଟୁକୁନା ସ୍ବାଇଁର ଧଳସାମନ୍ତ ଗ୍ୟାଙ୍ଗ ସହିତ ଲିଙ୍କ୍ ସାମ୍‌ନାକୁ ଆସିଥିଲା। ଧଳସାମନ୍ତ ଘରେ ବନ୍ଧୁକ ଲୁଚାଇ ରଖାଯାଇଥିବା ସମ୍ପର୍କରେ ବୁଦ୍ଧିଆ ସେଠୀ ପୁଲିସକୁ ବୟାନରେ କହିଥିଲା। ଧଳସାମନ୍ତ ଗ୍ୟାଙ୍ଗକୁ ୩୦ରୁ ୪୦ ହଜାର ଟଙ୍କାରେ ବନ୍ଧୁକ ଟୁକୁନା ବିକ୍ରି କରିଥିଲା।

ଧଳସାମନ୍ତ ଘରୁ ବନ୍ଧୁକ ମିଳିବା ମାମଲାରେ ଚୌଦ୍ବାର ଥାନା ପୁଲିସ ଟୁକୁନାକୁ ଯୋଡ଼ିବା ସହିତ ଦୁଇଟି ପର୍ଯ୍ୟାୟରେ ତାକୁ ରିମାଣ୍ଡରେ ଆଣି ଖୋଳତାଡ ଆରମ୍ଭ କରିଥିଲା। ଗଲା ୯ ତାରିଖରୁ ୧୬ ତାରିଖ ଭିତରେ ତାକୁ ରିମାଣ୍ଡରେ ଆଣି ଜେରା କରିବା ପରେ ଆଜି ୧୧ଟି ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ କରାଯାଇଛି। ୨୦୧୨ ମସିହା ପରଠାରୁ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ ଥିଲେ ଟୁକୁନାର ଖାସ୍ ବନ୍ଧୁକ ଗ୍ରାହକ। ଟୁକୁନା ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଧଳସାମନ୍ତ ଗ୍ୟାଙ୍ଗକୁ ଯୋଗାଇ ଆସୁଥିଲା। ଟୁକୁନା ବ୍ୟତୀତ ଆଉ ଜଣେ ମୁଙ୍ଗେରର ବନ୍ଧୁକ ମାଫିଆ ନିକଟରୁ ବି ଧଳସାମନ୍ତ ଭାଇ ବନ୍ଧୁକ କିଣୁଥିଲେ। ଚୌଦ୍ବାର ଥାନା ପୁଲିସର ରିମାଣ୍ଡରେ ଆସିଥିବା ଟୁକୁନା ଲିଙ୍କରେ ଆଜି ବଂଧୁକ ଜବତ ସହିତ ତା’ଠାରୁ ବନ୍ଧୁକ କିଣିଥିବା ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ଢିଅସାହିର ସନ୍ତ ଓରଫ ସନ୍ତୋଷ ରାଉତ(୩୫), ବାରିକ ସାହିର ଲିପୁ ଓରଫ ଜ୍ୟୋତିରଞ୍ଜନ ବାରିକ(୩୦), ନୂଆ ସାହିର ପ୍ରଶାନ୍ତ ରାଉତ(୪୦)କୁ ଗିରଫ କରାଯାଇଛି। ଟୁକୁନା ବାଦାମବାଡ଼ିର ସନ୍ତ, ଲିପୁ ଓ ପ୍ରଶାନ୍ତକୁ ୩ଟି ବନ୍ଧୁକ ଓ ୧୩ ରାଉଣ୍ଡ ଗୁଳି ବିକ୍ରି କରିଥିଲା। ଅବଶିଷ୍ଟ ବନ୍ଧୁକ ଓ ଗୁଳି ଟୁକୁନା ନିକଟରୁ ଜବତ ହୋଇଛି।

ଆଜି ଜବତ ମାରଣାସ୍ତ୍ର ଭିତରେ ରହିଛି ୩ଟି ୯ ଏମଏମ ଦେଶୀ ବନ୍ଧୁକ, ୬ଟି ୭.୬୫ ଏମଏମ ଦେଶୀ ବନ୍ଧୁକ, ଗୋଟିଏ ଲେଖାଏ ଦେଶୀ ସିକ୍ସର ଓ ଟୁଏଲଭ୍ ବୋର୍ ବନ୍ଧୁକ। ଏହାସହିତ ୯ ଏମଏମ ଗୁଳି ୧୨ଟି, ୭.୬୫ ଏମଏମ ୩୦ ଗୁଳି, ୦.୩୮ ଏମଏମ ୫ଟି ଗୁଳି, ଟୁଏଲଭ୍ ବୋର୍ ଗୁଳି ୪ଟି ଏବଂ ୧୧ଟି ମାଗାଜିନ୍ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର