ଆତ୍ମହତ୍ୟାରେ କଟକ ପ୍ରଥମ

କଟକ : ରାଜ୍ୟରେ ଆତ୍ମହତ୍ୟା କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହି କଟକ ଏକ ନିନ୍ଦିତ ରେକର୍ଡ ହାସଲ କରିଛି। ଗଲା ଦୁଇ ବର୍ଷ ହେଲା ଏଭଳି ସ୍ଥିତି ଏବେ ଉଦବେଗର କାରଣ ହୋଇଛି। ବଢୁଥିବା ମାନସିକ ଚାପ ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ମାନସିକ ବିଶେଷଜ୍ଞ କହୁଛନ୍ତି। ଜୀବନଚର୍ଯ୍ୟାରେ ପରିବର୍ତ୍ତନ, ଯୋଗ ଅଥବା ବ୍ୟାୟାମକୁ ଗୁରୁତ୍ବ ନ ଦେଲେ ଏ ସଂଖ୍ୟା ହୁଏତ ଆଗକୁ ବଢି ଚାଲିବ ବୋଲି ମାନସିକ ବିଶେଜ୍ଞ ମାନେ ସତର୍କ କରାଇ ଦେଇଛନ୍ତି। ୨୦୨୧ ବର୍ଷରେ କଟକରେ ମୋଟ ୮୭୭ ଜଣ ଆତ୍ମହତ୍ୟା କରିଥିଲେ। ସେଥି‌ରୁ ବିଷ ଖାଇ ୩୫୬ ଜଣ ଆତ୍ମହତ୍ୟା କରିଥିବା ବେଳେ ପାଣିରେ ବୁଡ଼ି ୨୭ ଜଣ, ନିଆଁରେ ପୋଡ଼ି ହୋଇ ୧୪୩ ଜଣ, ଫାଶି ଲଗାଇ ୩୪୯ ଜଣ, ଯୌତୁକ ଜନିତ ଆତ୍ମହତ୍ୟାରେ ୨ ଜଣଙ୍କ ଜୀବନ ଯାଇଥିଲା। ରାଜ୍ୟରେ କଟକ ପଛକୁ ସମ୍ବଲପୁର ଜିଲ୍ଲା ରହିଥିଲା। ସମ୍ବଲପୁର ଜିଲ୍ଲାରେ ମୋଟ ୫୯୮ ଜଣ ଆତ୍ମହତ୍ୟା କରିଥିଲେ। ତୃତୀୟରେ ବ୍ରହ୍ମପୁର ସହର ଥିବା ବେଳେ ସେଠାରେ ୩୨୩ ଜଣ ଆତ୍ମହତ୍ୟା କରିଥିଲେ।

ସେହିଭଳି ୨୦୨୦ରେ କଟକରେ ମୋଟ ୫୬୩ ଜଣ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ବିଷ ଖାଇ ୪୧୯ ଜଣ ଆତ୍ମହତ୍ୟା କରିଥିବା ବେଳେ ନିଆଁରେ ପୋଡ଼ି ହୋଇ ୩୮ଜଣ, ଫାଶି ଲଗାଇ ୧୦୧ ଜଣ ଓ ଯୌତୁକ ଜନିତ ୫ ଜଣ ଆତ୍ମହତ୍ୟା କରିଛନ୍ତି। ସେହି ବର୍ଷ ବି ଆତ୍ମହତ୍ୟାରେ କଟକ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ବିତୀୟରେ ସମ୍ବଲପୁର ଜିଲ୍ଲା ରହିଛି। ସମ୍ବଲପୁରରେ ମୋଟ ୫୧୬ ଜଣ ଆତ୍ମହତ୍ୟା କରିଛନ୍ତି। ତୃତୀୟରେ ମୟୂରଭଞ୍ଜ ଜିଲ୍ଲା ଥିବା ବେଳେ ସେଠାରେ ୩୫୦ ଜଣ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର