କଟକ: ଦୀର୍ଘ ବର୍ଷ ପରେ ନୂଆ ରୂପ ପାଇବାକୁ ଯାଉଛି ଐତିହାସିକ ସ୍ମାରକୀ କଟକ ଜେଲ୍‌। ଏବେ ନବୀକରଣ କାର୍ଯ୍ୟ ଜୋରଦାର୍‌ ଚାଲିଥିବା ବେଳେ ନିର୍ବାଚନ ପରେ ଏହା ଲୋକାର୍ପିତ ହେବ। କଟକ ଜେଲ୍‌ର ଯେଉଁ ୧୫ନଂ ସେଲ୍‌ ରହିଛି, ତାହା ମଧ୍ୟରେ ସେ ସମୟର ପୁରୁଣା ଜିନିଷଗୁଡ଼ିକୁ ସଂଗ୍ରହ କରି ରଖାଯିବ। ଏହା ଉତ୍ତରପିଢ଼ିଙ୍କୁ ପ୍ରେରଣା ଯୋଗାଇବା ସହିତ ସେମାନଙ୍କ ପାଇଁ ଶିକ୍ଷା ଓ ଗବେଷଣାର ଉତ୍ସ ହେବ। କଟକ ପୁରୁଣା ଜେଲ୍ ସ୍ବାଧୀନତା ସଂଗ୍ରାମ ସମେତ ଅନେକ ସମୃଦ୍ଧ ଇତିହାସର ମୂକସାକ୍ଷୀ ଓ ସ୍ମାରକୀପୀଠ। ୧୮୬୪ରେ ଦରଘାବଜାର ଠାରେ କଟକ ଜେଲ୍‌ର ଭିତ୍ତିପ୍ରସ୍ତର ପଡ଼ିଥିବା ବେଳେ ୧୮୮୧ରେ ଏହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ୧୮୮୧ ପୂର୍ବରୁ ଏଠାରେ କଏଦୀଙ୍କୁ ରଖାଯାଇଥିଲା। ସେତେବେଳେ କଏଦୀଙ୍କୁ ମାସିକ ୩ ଟଙ୍କା ମିଳୁଥିଲା। ଏଥିରେ ଜଣେ କଏଦୀଙ୍କୁ ୨ଟି ଧୋତି, ୨ଟି ଚାଦର, ୨ଟି ପଗଡ଼ି, ଏକ କମ୍ବଳ, ଗୋଟିଏ ନଡ଼ାଭର୍ତ୍ତି ତକିଆ ଦିଆଯାଉଥିଲା। ୧୮୭୫‌ ବେଳକୁ କ‌ଏଦୀମାନେ ଜେଲ୍‌ରେ ବିଭିନ୍ନ ଜିନିଷ ତିଆରି କରିବା ଆରମ୍ଭ କଲେ।

Advertisment

୧୯୭୬ରେ କଟକ ଜେଲ୍‌ କଏଦୀଙ୍କ ହାତତିଆରି କାଗଜର ଢ଼େର ଚାହିଦା ଥିଲା। ୧୯୧୨ମସିହାରେ ଓଡ଼ିଶା, ବିହାର ବିଭାଜନ ସମୟରେ ଏହି ଜେଲ୍‌ ଜିଲ୍ଲା ଜେଲ୍‌ ହେଲା। ୧୯୩୬ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ସମୟରେ ଏହା ସେଣ୍ଟ୍ରାଲ୍‌ ଜେଲ୍‌ରେ ପରିଣତ ହୋଇଥିଲା। ଆରମ୍ଭରୁ ଏଠାରେ ମହିଳା କଏଦୀଙ୍କ ରହିବା ପାଇଁ ବ୍ୟବସ୍ଥା ନଥିଲା। କିନ୍ତୁ ପରେ ମହିଳା ଅନ୍ତେବାସୀଙ୍କ ରହିବା ‌ବ୍ୟବସ୍ଥା ହେଲା। କଏଦୀଙ୍କ ସଂଖ୍ୟା ବଢ଼ିବାରୁ ସଂପ୍ରସାରଣ ହେବା ପାଇଁ ୧୯୮୮ମସିହା ବେଳକୁ ଏହା ଚୌଦ୍ବାରକୁ ସ୍ଥାନାନ୍ତରିତ ହେଲା। ଯଦିଓ ସଂପୂର୍ଣ୍ଣ ଜେଲ୍‌ଟି ଥିଲା, ବିଭିନ୍ନ ସମୟରେ ଏହାକୁ ଭଙ୍ଗାଯାଇ ଏବେ କେବଳ ୧୫ନଂ ସେଲ୍‌ଟି ରହିଛି। ୭୦ଫୁଟ୍ ଲମ୍ବ ଓ ୩୦ଫୁଟ ଓସାର ବିଶିଷ୍ଟ ସେଲ୍‌ଟି ଓଡ଼ିଶା ସ୍ବାଧୀନତା ସଂଗ୍ରାମର ଅନ୍ତୁଡ଼ିଶାଳ ଥିଲା। ଏହି ସେଲ୍‌ରେ ନବକୃ‌ଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ମାଳତୀ ଦେବୀ, ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣାଙ୍କ ଭଳି ଅନେକ ସଂଗ୍ରାମୀ ରହୁଥିଲେ। ଏହା ମଧ୍ୟରେ ସଂଗ୍ରାମର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଓ ଅନେକ ପ୍ରମୁଖ ଘଟଣା ଘଟିଛି।

ସ୍ବାଧୀନତା ସଂଗ୍ରାମର ସ୍ମୃତି ସାଇତି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୦ ଜାନୁଆରି ୨୩ତାରିଖ ନେତାଜୀ ଜୟନ୍ତୀ ଅବସରରେ ପୁରୁଣା ଜେଲ୍ ସେଲ୍ ନଂ-୧୫ ନବୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ଦୀର୍ଘବର୍ଷ ପରେ ବିଗତ କିଛିମାସ ତଳେ ଏହାର ନେତାଜୀ କମ୍ପ୍ଲେକ୍ସରେ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୨୨କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିବା ବେଳେ ନବୀକରଣ କାମ ଚାଲୁ ରହିଛି। ‌‌ଏସଂକ୍ରାନ୍ତରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ କହିଛନ୍ତି ଯେ ପୁରୁଣା ଜେଲ୍‌ର ନବୀକରଣ କାର୍ଯ୍ୟ ନେତାଜୀ କମ୍ପ୍ଲେକ୍ସର ଏକ ଅଂଶ। ଏଥିପାଇଁ ୨୨କୋଟି ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ପୁରୁଣା ଜେଲ୍‌ ସେଲ୍ ନଂ-୧୫ର ମୌଳିକତାକୁ ନଷ୍ଟ କରାଯିବ ନାହିଁ। ଏହାର ବାହାର କାର୍ଯ୍ୟ ଚାଲିଛି। ନିର୍ମାଣ ସରିବା ପରେ ଜେଲ୍‌ ସହ ସଂପୃକ୍ତ ପୁରୁଣା ଉପକରଣ ସଂଗ୍ରହ କରାଯାଇ ଏକ ସ୍ମାରକୀ ସଂଗ୍ରହାଳୟ କରାଯିବାର ‌ଯୋଜନା ଅଛି। ନିର୍ବାଚନ ପରେ ନବୀକରଣର ଉଦ୍‌ଘାଟନ ଓ ସଂଗ୍ରହାଳୟ ନିର୍ମାଣ କରାଯିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।