କଟକର ନାବାଳିକା ଛାତ୍ରୀଙ୍କୁ ନୟାଗଡ଼ ନେଇ ଦୁଷ୍କର୍ମ : ପୀଡ଼ିତା ଉଦ୍ଧାର; ଅଭିଯୁକ୍ତ ଗିରଫ

କଟକ : କଟକର ଗତିରାଉତପାଟଣାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ହଟଚମଟ ଚାଲି ଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। କଟକର ପୁରୀଘାଟ ଥାନା ଅନ୍ତର୍ଗତ ନୟାସଡ଼କ ଅଞ୍ଚଳରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଯୁବକ ଅପହରଣ କରିନେଇ ନୟାଗଡ଼ରେ ରଖିବା ସହ ସେଠାରେ ତା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁରୀଘାଟ ଥାନା ପୁଲିସ ଆଜି ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ରାହୁଲ ଦାସକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର ରାହୁଲ ଦାସ ନୟାସଡ଼କ ଅଞ୍ଚଳରେ ଏକ ଡାଲି ଚାଉଳ ଦୋକାନରେ କାମ କରେ। ସେଠି ରହିବା ଭିତରେ ସଂପୃକ୍ତ ଛାତ୍ରୀଙ୍କ ସହିତ ସେ ପ୍ରେମ ସମ୍ପର୍କ ଯୋଡ଼ିଥିଲା। କନ୍ଦରପୁର ଅଞ୍ଚଳର ଏହି ନାବାଳିକା ମାମୁ ଘର ନୟାସଡ଼କରେ ରହୁଥିଲେ। ଗଲା ଏକ ବର୍ଷ ହେବ ରାହୁଲ ସମ୍ପର୍କ ଯୋଡ଼ିଥିଲା ବେଳେ ଗଲା ସେପ୍ଟେମ୍ବର ୧୪ ତାରିଖରେ ନାବାଳିକାଙ୍କୁ ଖଣ୍ଡପଡ଼ା ନେଇଯାଇଥିଲା। ସେଠାରେ ତାକୁ ରଖିବା ସହିତ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳିକାର ପତ୍ତା ନମିଳିବାରୁ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ନୟାଗଡ଼ରୁ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ରାହୁଲକୁ ଗିରଫ କରିଥିବା ଥାନା ଆଇଆଇସି ରଶ୍ମି ରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର