କଟକ: ପ୍ରଥମଦିନ କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ୩୧ରୁ ୩୦ ଜିଲ୍ଲା ପରିଷଦ ଜୋନ୍ ଜିତିଥିବା ବିଜେଡି ଆଜି ଦ୍ବିତୀୟ ଦିନ ଗଣତି ହୋଇଥିବା ୩ଟି ଜିଲ୍ଲାର ୩୩ଟି ଯାକ ଜୋନ୍‌କୁ ପୋଛି ନେବାକୁ ବସିଛି। ଭୋଟ ଗଣତି ଜାରି ରହିଥିବା ବେଳେ ବିଜେଡି ପ୍ରାର୍ଥୀମାନେ ଯେଉଁ ବ୍ୟବଧାନରେ ଆଗୁଆ ରହିଛନ୍ତି, ସେଥିରେ ସେମାନଙ୍କର ବିଜୟକୁ ନେଇ ଆଉ କୌଣସି ଆଶଙ୍କା ନଥିବା କୁହାଯାଉଛି। ୨୦୧୭ ପଂଚାୟତ ନିର୍ବାଚନରେ ଆଜି ଗଣତି ଚାଲିଥିବା ୩୩ଟି ଜୋନ୍‌ ମଧ୍ୟରୁ କଂଗ୍ରେସ ଗୋଟିଏରେ ବି ବିଜୟ ହାସଲ କରି ପାରି ନଥିବା ବେଳେ ବିଜେପି କିନ୍ତୁ ୬ଟି ଜୋନ୍ ଜିତିଥିଲା। ଫଳରେ ବିଜେପି ୬ଟି ‌ଜୋନ୍ ହରାଇ ଏକପ୍ରକାର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

Advertisment

୨୦୧୭ ନିର୍ବାଚନ ଫଳାଫଳ ସହ ତୁଳନା କଲେ ୩ଟି ଜିଲ୍ଲାର ୬୪ ଜୋନ୍ ମଧ୍ୟରୁ ବିଜେପି ଏଥର ୧୪ଟି ଜୋନ୍ ହରାଇବାକୁ ଯାଉଥିବା ବେଳେ କଂଗ୍ରେସ ଗୋଟିଏ ଜୋନ୍ ହାତଛଡା କରି ସାରିଛି।
ପ୍ରଥମ ଦିନ ଭୋଟ ଗଣତିର ଚୂଡାନ୍ତ ଫଳାଫଳ ଅନୁଯାୟୀ କଟକ ଜିଲ୍ଲାର ୧୪ଟି ଜୋନ୍‌ରୁ ୧୩ଟିରେ ବିଜେଡି ବିଜୟୀ ହୋଇଛି। କେବଳ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ଜୋନ୍‌ରେ ବିଜେପି ବିଜୟୀ ହୋଇଛି। କେନ୍ଦ୍ରାପଡାର ୯ଟି ଜୋନ୍‌ ଏବଂ ଜଗତସିଂହପୁରର ୮ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।

ପ୍ରଥମ ଦିନରେ ୩୧ରୁ ୩୦, ଦ୍ବିତୀୟ ଦିନରେ ୩୩ରୁ ୩୩ ବିଜେଡି
୨୦୧୭ ତୁଳନାରେ ବ‌ିଜେପି ହରାଇଲାଣି ୧୪ଟି ଜୋନ୍‌, କଂଗ୍ରେସ ଗୋଟିଏ

ଆଜି ଦ୍ବିତୀୟ ଦିନ ଗଣତି ଜାରି ରହିଥିବା ବେଳେ କଟକ ଜିଲ୍ଲାର ୧୫ଟିଯାକ ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ସେଥିରୁ କେବଳ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ସମସ୍ତ ଜୋନ୍‌ରେ ବିଜେପି ପ୍ରାର୍ଥୀମାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦ୍ବିତୀୟ ଦିନ ଗଣତି ଚାଲିଥିବା ଜୋନ୍ ମଧ୍ୟରୁ ବଡ଼ମ୍ବା ନିର୍ବାଚନମଣ୍ଡଳୀର ‌ବଡ଼ମ୍ବା ୩୦ ନମ୍ବର ଜୋନ୍ ଏବଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ୨୬ ନମ୍ବର ଜୋନ୍‌ ୨୦୧୭ ନିର୍ବାଚନରେ ବ‌ିଜେପି ଖାତାକୁ ଯାଇଥିଲା।

କିନ୍ତୁ ୨ଟିଯାକ ଜୋନ୍‌କୁ ଏଥର ବିଜେଡି ପୁଣି ଦଖଲ କରିବାରେ ସଫଳ ହୋଇଛି।
ସେହିଭଳି କେନ୍ଦ୍ରାପଡାର ଆଜି ୧୦ଟି ଜୋନ୍‌ର ଭୋଟ ଗଣତି ଚାଲିଥିବା ବେଳେ ସବୁଠି ବିଜେଡି ପ୍ରାର୍ଥୀମାନେ ବହୁ ଭୋଟ୍ ବ୍ୟବଧାନରେ ଆଗୁଆ ରହିଛନ୍ତି। କେବଳ ରାଜନଗର ନିର୍ବାଚନ ମଣ୍ଡଳୀର ୨ ନମ୍ବର ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ୯ଟି ଜୋନ୍‌ରେ ବିଜେପି ପ୍ରାର୍ଥୀମାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କିନ୍ତୁ ୨୦୧୭ ନିର୍ବାଚନରେ ବିଜେପି ଏହି ୧୦ଟି ଜୋନରୁ ୪ଟି ଜୋନ୍‌ରେ ବିଜୟୀ ହୋଇପାରିଥିଲା। କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଜୋନ୍ ୬ ଓ ୧୬ ବିଜେପି ଖାତାକୁ ଯାଇଥିବା ବେଳେ ମହାକାଳପଡାର ୨୦ ଓ ୨୧ ନମ୍ବର ଜୋନ୍ ବିଜେପି ଖାତାକୁ ଯାଇଥିଲା। କିନ୍ତୁ ଏଥର ୪ଟି ଯାକ ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ବହୁ ଭୋଟରେ ଆଗୁଆ ରହି ବିଜୟର ନିକଟତର ହୋଇଛନ୍ତି।

ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ୮ଟି ଜିଲ୍ଲା ପରିଷଦ ଜୋନ୍‌ ଭୋଟ ଗଣତି ଆଜି ଚାଲିଥିବା ବେଳେ ସବୁ ଥିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ଓ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଏରସମା ଜୋନ୍‌ରେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନ‌ରେ ରହିଥିବା ବେଳେ ଅନ୍ୟ ୬ଟି ସ୍ଥାନରେ କଂଗ୍ରେସ ପ୍ରାର୍ଥୀମ‌ାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୨୦୧୭ ପଂଚାୟତ ନିର୍ବାଚନରେ ଅବଶ୍ୟ ଏହି ସମସ୍ତ ଜୋନ୍‌ ବିଜେଡି ଖାତାରେ ରହିଥିଲା।