କଟକ/କେନ୍ଦ୍ରାପଡ଼ା: ଗଲା ୨୪ ବର୍ଷ ଧରି ଚାଲିଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ମନ୍ତ୍ରୀ ପଦରୁ କେବେ ବି ବଞ୍ଚିତ ହୋଇ ନଥିବା କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପ୍ରଥମ ସରକାରରେ ମନ୍ତ୍ରୀ ପଦରୁ ବଞ୍ଚିତ ହୋଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୨୦୦୦ରୁ ୨୦୦୯ ନିର୍ବାଚନ ପୂର୍ବ ପର୍ଯ୍ୟନ୍ତ ଚାଲିଥିବା ବିଜେଡି-ବିଜେପି ମିଳିତ ସରକାର ହେଉ ଅଥବା ପରବର୍ତ୍ତୀ ସମୟରେ ବିଜେଡି ସରକାର ହେଉ, ପ୍ରତ୍ୟେକ ସରକାରରେ କଟକ ଓ କେନ୍ଦ୍ରାପଡ଼ା ଉପଯୁକ୍ତ ପ୍ରତିନିଧିତ୍ବ ପାଇ ଆସୁଥିଲା। କଟକରୁ ବିଜେପିର ବରିଷ୍ଠ ନେତା ସମୀର ଦେ, ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଜେନା, ଚନ୍ଦ୍ରସାରଥି ବେହେରାଙ୍କ ଭଳି ନେତୃବୃନ୍ଦ ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସିଥିଲେ। କିନ୍ତୁ ଏଥର କଟକ ଜିଲ୍ଲାରୁ ୨ ଜଣ ବିଜେପି ବିଧାୟକ ଓ ୨ ଜଣ ସ୍ବାଧୀନ (ବିଜେପିର ସହଯୋଗୀ) ବିଧାୟକ ନିର୍ବାଚିତ ହୋଇ ବି ନୂଆ ମନ୍ତ୍ରିମଣ୍ଡଳ ଗଠନ ସମୟରେ କଟକ ପ୍ରତିନିଧିତ୍ବରୁ ବଞ୍ଚିତ ହୋଇଛି। କଟକ ଜିଲ୍ଲାର ସଦର ଆସନରୁ ଇଂଜିନିୟର ପ୍ରକାଶ ସେଠୀ, ନିଆଳି ଆସନରୁ ଛବି ମଲ୍ଲିକ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ବେଳେ ବଡ଼ମ୍ବାରେ ବିଜୟ ଦଳବେହେରା ଓ ମାହାଙ୍ଗାରେ ସାରଦା ପ୍ରଧାନ ସ୍ବାଧୀନ ଭାବେ ନିର୍ବାଚିତ ହୋଇଛନ୍ତି। ବିଜୟ ଓ ସାରଦା ଏବେ ବିଜେପିର ସହଯୋଗୀ ସଦସ୍ୟ ଭାବେ ପରିଗଣିତ ହେବାକୁ ଯାଉଛନ୍ତି।

Advertisment

ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ବି ଗଲା ୨୪ ବର୍ଷ ଭିତରେ ପ୍ରଥମ ଥର ମନ୍ତ୍ରୀ ପଦରୁ ବଞ୍ଚିତ ହୋଇଛି। ଗଲା ୨୪ ବର୍ଷ ଭିତରେ କେନ୍ଦ୍ରାପଡ଼ାରୁ ବିଜୟ ମହାପାତ୍ର, ବେଦପ୍ରକାଶ ଅଗ୍ରୱାଲ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ନେତା ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହି ଆସିଛନ୍ତି। ନବୀନଙ୍କ ଶେଷ ମନ୍ତ୍ରିମଣ୍ଡଳରେ ବି କେନ୍ଦ୍ରାପଡ଼ାରୁ ଦୁଇ ଜଣ ମନ୍ତ୍ରୀ ଭାବେ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟ କରି ଆସୁଥିଲେ।କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଆସନରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ବଡ଼ ବ୍ୟବଧାନରେ ହରାଇଥିବା ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ୫ ବିଧାନସଭା ଆସନ ଭିତରୁ ବିଜେପି ଗୋଟିଏ ଆସନ ମହାକାଳପଡ଼ାରେ ବିଜୟ ହାସଲ କରିଛି। କିନ୍ତୁ ଦୁର୍ଗାପ୍ରସନ୍ନଙ୍କୁ ସୁଯୋଗ ନ ମିଳିବା ଫଳରେ କେନ୍ଦ୍ରାପଡ଼ା ବି ନିରାଶ ହୋଇଛି। ଏଭଳି ସ୍ଥିତିରେ ଜଗତସିଂହପୁର ଜିଲ୍ଲା ବିଜେପିର ପ୍ରଥମ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସୁଯୋଗ ପାଇଛି। ଜଗତସିଂହପୁର ଜିଲ୍ଲାର ୪ ବିଧାନସଭା ଆସନ ମଧ୍ୟରୁ ୨ଟିରେ ବିଜେପି ବିଜୟୀ ହୋଇଥିଲା। ପାରାଦୀପରୁ ସମ୍ପଦ ସ୍ବାଇଁ ଓ ଜଗତସିଂହପୁରରୁ ଅମରେନ୍ଦ୍ର ଦାସ ବିଜୟୀ ହୋଇଛନ୍ତି। ସମ୍ପଦ ଓ ଅମରେନ୍ଦ୍ରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିବା ବେଳେ ଦଳ ସମ୍ପଦଙ୍କୁ ସୁଯୋଗ ଦେଇଛି। ପାରାଦୀପରେ ଲୋକପ୍ରିୟ ଯୁବ ଚେହେରା ଭାବେ ପରିଚିତ ସମ୍ପଦ ୨୦୧୯ ନିର୍ବାଚନ ଲଢି ପରାସ୍ତ ହୋଇଥିବା ବେଳେ ଏଥର ପ୍ରଥମ ବିଜୟରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଜଗତସିଂହପୁରରୁ ବିଭିନ୍ନ ସମୟରେ ଡାକ୍ତର ଦାମୋଦର ରାଉତ, ବିଷ୍ଣୁ ଦାସ ଓ ରଘୁ ନନ୍ଦନ ଦାସ ମନ୍ତ୍ରୀ ହେବାର ସୁଯୋଗ ପାଇ ଆସିଥିଲେ।