କଟକ : ମାଲଗୋଦାମ ଉପରେ ନିର୍ଭର କରୁଥିବା ପଡ଼ୋଶୀ ଜିଲ୍ଲାର ବ୍ୟବସାୟୀମାନେ ଏବେ ଆସିବାକୁ ଭୟ କଲେଣି। ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାର ବ୍ୟବସାୟୀ ଆଦୌ ଆସୁନଥିବା କୁହାଯାଉଛି। ଦୈନିକ ପାଖାପାଖି ୧ ହଜାର ବ୍ୟବସାୟୀ ଆସୁଥିବା ବେଳେ ଏବେ ୫୦ ଜଣ ଆସିବା ବି କଷ୍ଟକର ହେଲାଣି। କଟକରେ ସାହି ସାହିରେ କରୋନା ସଂକ୍ରମଣ ମାଡ଼ିବା ଏବଂ ମାଲଗୋଦାମ ‌ପାର୍ଶ୍ବ ତେଲଗୁ ବସ୍ତିରୁ ସଂକ୍ରମିତ ଚିହ୍ନଟ ପରେ ପଡ଼ୋଶୀ ଜିଲ୍ଲାର ବ୍ୟବସାୟୀ ମାଲଗୋଦାମ ଆସୁ ନାହାନ୍ତି। ବ୍ୟବସାୟ ପ୍ରଭାବିତ ହେବାରୁ ମାଲଗୋଦାମରେ ପାଖାପାଖି ୯ଟି ଦୋକାନ ବନ୍ଦ ହୋଇଥିବାବେଳେ ଏଭଳି ସ୍ଥିତି ଲାଗି ରହିଲେ ମାଲଗୋଦାମରେ ସମ୍ପୂର୍ଣ୍ଣ ତାଲା ଝୁଲିବା ନେଇ ଆଶଙ୍କା କରାଯାଉଛି।

Advertisment

publive-image Telegraph India

ସୂଚନା ଅନୁଯାୟୀ, କଟକ ମାଲଗୋଦାମ ଉପରେ କଟକ ଜିଲ୍ଲା ସମେତ ପଡ଼ୋଶୀ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ଦୈନିକ ୧ ହଜାର ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସିଥାନ୍ତି। ସେହି ହିସାବରେ ଦୈନିକ ୫୦ କୋଟି ଟଙ୍କାର କାରବାର ମାଲଗୋଦାମରେ ସାଧାରଣ ଦିନଗୁଡ଼ିକରେ ହୁଏ। ଏବେ କଟକରେ କରୋନା ସ୍ଥିତି ଭୟଙ୍କର ହେବାରୁ ବ୍ୟବସାୟୀମାନେ ଆସିବାକୁ ଭୟ କଲେଣି। କେବଳ ବ୍ୟବସାୟୀ ନୁହନ୍ତି, ମାଲଗୋଦାମକୁ ଦୈନିକ ୧୨ଶହ ଗୋଦାମ କର୍ମଚାରୀ ଆସୁଥିଲେ। ଏବେ ସେମାନଙ୍କ ଭିତରୁ ୪୦୦ ଆସିବା ବି କଷ୍ଟକର ହୋଇପଡ଼ୁଛି। ସେହିପରି ମାଲଗୋଦାମରକୁ ଦୈନିକ ପାଖାପାଖି ୨ ହଜାର ଶ୍ରମିକ ଓ ଟ୍ରଲିଚାଳକ ଆସୁଥିବାବେଳେ ଏବେ ମାତ୍ର ୯ଶହରୁ ଏକ ହଜାର ଆସୁଛନ୍ତି। ଏବେ ନୂଆ କୋଭିଡ୍‌ କଟକଣା ଅନୁଯାୟୀ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଖୋଲିବାକୁ ଅନୁମତି ମିଳିଥିବାରୁ ମାଲଗୋଦାମରେ ଖୁଚୁରା ଦୋକାନୀ ସକାଳ ୬ଟାରେ ଖୋଲୁଥିବା ବେଳେ ଦିନ ୧୧ଟା ବେଳେ ବ୍ୟବସାୟ ଆରମ୍ଭ ହେଉଛି। ସେପଟେ, ଦିନ ୧୨ଟାରେ ବନ୍ଦ କରିବାକୁ ପଡ଼ୁଛି। ହୋଲସେଲିଂ ଗୋଦାମ ଅବସ୍ଥା ବି ସେହିଭଳି। ଦିନ ୯ଟାରେ ଗୋଦାମ ଖୋଲୁଥିବା ବେଳେ ୧୨ଟା ବେଳକୁ ବନ୍ଦ କରି ଦିଆଯାଉଛି। ୧୦ଟାରୁ ୧୨ଟା ଦୁଇଘଣ୍ଟା ମଧ୍ୟରେ ଯାହା କିଛି ବ୍ୟବସାୟ ହେଉଛି। ଗୋଦାମକୁ ବି ଲେବର ସକାଳ ୯ଟା ପୂର୍ବରୁ ଆସୁ ନଥିବାରୁ ଗୋଦାମ ଖୋଲିବା ସମ୍ଭବପର ହୋଇପାରୁ ନାହିଁ। ଏଭଳି ମାନ୍ଦାବସ୍ଥା ବୃଦ୍ଧି ପାଉଥିବାରୁ ଏବେ ମାଲଗୋଦାମରେ ୪ଟି ଖୁଚୁରା ଦୋକାନ ବନ୍ଦ ହୋଇଥିବାବେଳେ ଆସନ୍ତାକାଲି ଆହୁରି ୫ଟି ଦୋକାନ ବନ୍ଦ କରିବାକୁ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟ ଅଳ୍ପ ସମୟ ମଧ୍ୟରେ ହୋଇପାରୁ ନଥିବାରୁ କୋଭିଡ ସମୟରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

publive-image Telegraph India

ଏଭଳି ଅବସ୍ଥା ଜାରି ରହିଲେ କ୍ରମାଗତ ଭାବେ ମାଲଗୋଦାମରେ ଦୋକାନରେ ତାଲା ଝୁଲିବା ଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ବ୍ୟବସାୟୀମାନେ ଆଶଙ୍କା କଲେଣି। ମାଲଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ କହିଛନ୍ତି ଯେ, କଟକରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ବାହାର ଜିଲ୍ଲାର ବ୍ୟବସାୟୀ ଆସିବାକୁ ଭୟ କଲେଣି। ବ୍ୟବସାୟୀ ନ ଆସିଲେ ହୋଲସେଲିଂ ଗୋଦାମର କାରବାର ବ୍ୟାପକ ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। କରୋନା ସମୟରେ ଘରଭଡ଼ା ଛାଡ଼ି କରିବାକୁ ସରକାର କହିଥିବାବେଳେ ଏହି ନିୟମ ମାଲଗୋଦାମ ଅଞ୍ଚଳରେ ସେଭଳି କାର୍ଯ୍ୟକାରୀ ହୋଇପାରି ନାହିଁ। ଏବେ ମାଲଗୋଦାମକୁ ଯେଉଁ ଟ୍ରକ ଡ୍ରାଇଭର ଓ କର୍ମଚାରୀ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରି ଆଣୁଛନ୍ତି, ସେମାନଙ୍କୁ ବି କରୋନା ଯୋଦ୍ଧାର ମାନ୍ୟତା ଦେବାର ଆବଶ୍ୟକତା ରହିଛି।