କଟକ ପାଣିପାଗ କେନ୍ଦ୍ରକୁ ମିଳିଲା ଐତିହାସିକ ମାନ୍ୟତା

୧୮୬୭ରେ ବ୍ରିଟିସ୍‌ ଖୋଲିଥିଲେ କେନ୍ଦ୍ର, ନୌବାଣିଜ୍ୟ କାରବାର ପାଇଁ ଖୋଲାଯାଇଥିଲା

କଟକ : କଟକ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ରକୁ ଐତିହାସିକ ପର୍ଯ୍ୟବେକ୍ଷଣ କେନ୍ଦ୍ରର ମାନ୍ୟତା ମିଳିଛି। ଏହି କେନ୍ଦ୍ର ୧୫୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପାଣିପାଗ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଶହେରୁ ଅଧିକ ବର୍ଷ ସେବା ଯୋଗାଇଥିବା ଓଡ଼ିଶାର କଟକ, ଗୁଜରାଟର ଭେରାବାଲ ଓ ଦ୍ବାରିକା କେନ୍ଦ୍ରକୁ ଆଜି ଐତିହାସିକ ମାନ୍ୟତା ଦିଆଯିବା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଘୋଷଣା କରାଯାଇଛି। ଏହି ତିନିଟି କେନ୍ଦ୍ର ମଧ୍ୟରୁ କଟକ ସବୁଠାରୁ ପୁରୁଣା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ୧୮୭୫ ଜାନୁଆରି ୧୫ ତାରିଖରେ ଭାରତୀୟ ପାଣିପାଗ ବିଭାଗ ଆରମ୍ଭ ହୋଇଥିଲା। ଏହାର ୮ବର୍ଷ ପୂର୍ବରୁ ନୌବାଣିଜ୍ୟ କାରବାର ଚାଲିଥିବା ନଦୀ ଓ ସମୁଦ୍ର ତଟବର୍ତ୍ତୀ ଓଡ଼ିଶାର କଟକ ସମେତ ବିଭିନ୍ନ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ପାଣିପାଗର ସୂଚନା, ସମୁଦ୍ରର ଗତିପଥ, ନଦୀର ଗତିପଥ ସମ୍ପର୍କରେ ନାବିକ ଓ ବ୍ୟବସାୟୀଙ୍କୁ ଅବଗତ କରାଇବା ନିମନ୍ତେ ବ୍ରିଟିସ୍‌ମାନଙ୍କ ଦ୍ବାରା ଏଭଳି କେନ୍ଦ୍ର ଖୋଲାଯାଇଥିଲା। କଟକରେ ନୌବାଣିଜ୍ୟ ପରମ୍ପରା ଅତ୍ୟନ୍ତ ପ୍ର‌ାଚୀନ। କଟକର ଗଣେଶ ଘାଟରୁ ବ୍ୟବସାୟୀମାନେ ବ୍ୟବସାୟ ପାଇଁ ବାଲି, ବର୍ଣ୍ଣିଓ, ଜାଭା, ସୁମାତ୍ରା ସମେତ ବିଭନ୍ନ ‌ଦେଶକୁ ଯାତ୍ରା କରୁଥିଲେ। ସେହିସମୟରେ କଟକର ପୋଷ୍ଟାଲ୍‌ ବିଭାଗର ଟେଲିଗ୍ର‌ାମ୍‌ ହେଉଥିବା ସ୍ଥାନ ମିସନ୍‌ରୋଡ୍‌ରେ ୧୮୬୭ ମାର୍ଚ୍ଚ ୨୩ ତାରିଖ ଏହି କାର୍ଯ୍ୟାଳୟ ଖୋଲାଯାଇଥିଲା। ସେତେବେଳେ ଏହାର ଆଞ୍ଚଳିକ କାର୍ଯ୍ୟାଳୟ କୋଲକାତାରେ ରହିଥିଲା। କଟକ ଭଳି ଓଡ଼ିଶାର ପୁରୀ, ଗୋପାଳପୁର, ଚାନ୍ଦବାଲି ଓ ବାଲେଶ୍ବରରେ ମଧ୍ୟ ପାଣିପାଗ କେନ୍ଦ୍ର ଖୋଲାଯାଇଥିଲା। ୧୦୦ରୁ ଅଧିକ ବର୍ଷ ଧରି ପାଣିପାଗ ସମ୍ପର୍କିତ ପର୍ଯ୍ୟବେକ୍ଷଣ ଓ ସୂଚନା ପ୍ରଦାନ କରି ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ରକୁ ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ଭାବେ ଆଜି ଆଇଏମ୍‌ଡି ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି।

ଅପରପକ୍ଷରେ, ୨୦୦୦ ମସିହାରୁ କଟକର ଏହି କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର ହୋଇଛି। ଏବେ ସ୍ବତନ୍ତ୍ର ଭାବେ କଟକ ପାଣିପାଗ କେନ୍ଦ୍ର ନାହିଁ। ଜିଲ୍ଲା ଜରୁରୀକାଳୀନ ବିଭାଗ ମାଧ୍ୟମରେ ଏହା ନିୟନ୍ତ୍ରିତ ହେଉଛି। ରାଜ୍ୟରେ ପାଣିପାଗ ବିଭାଗର ୧୦ଟି ନିଜସ୍ବ କେନ୍ଦ୍ର ରହିଥିଲା ବେଳେ କଟକ ସମେତ ଅନ୍ୟ ୨୯ଟି ସ୍ଥାନରେ ଏହା ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ବାରା ନିୟନ୍ତ୍ରିତ ହେଉଛି।

ସମ୍ବନ୍ଧିତ ଖବର