କଟକ ନାବାଳିକା ଦୁଷ୍କର୍ମକୁ ନେଇ ହଇଚଇ : ପୁଲିସର ତତ୍ପରତା, ୨ ଅଭିଯୁକ୍ତ ଗିରଫ

ସାମ୍‌ନାକୁ ଆସିଲା ବହୁ ଚାଞ୍ଚଲ୍ୟକର ତଥ୍ୟ

କଟକ-ମହାନଦୀ ବିହାର : ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ଆଜି ଦିନତମାମ କଟକରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏପଟେ ପୁଲିସ୍‌ ଧଡ଼ପଗଡ଼ ସହ ତଦନ୍ତ ପାଇଁ ସିଡବ୍ଲୁସି କମିଟି ଗଠନ କରିଥିବାବେଳେ ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ତଦନ୍ତରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି।

ଗତିରାଉତପାଟଣା ଅଞ୍ଚଳରେ ଏକ ଚିକେନ୍ କାଉଣ୍ଟରରେ ୨୨ ଦିନ କାଳ ଦୁଇ ଜଣ ଯୁବକ ଜଣେ ତିର୍ତ୍ତୋଲ ଅଞ୍ଚଳର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଆଜି ଏ ସମ୍ପର୍କରେ ଖବର ପ୍ରକାଶ ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। କଟକରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରଶ୍ନ ଉଠାଇଥିଲେ ବହୁ ବୁଦ୍ଧିଜୀବୀ। ଏହି ଘଟଣା ପରେ ପୁଲିସ୍‌ ପକ୍ଷରୁ ମଧ୍ୟ ତତ୍‌ପରତା ପ୍ରକାଶ ପାଇଥିଲା। ଆଜି ସାଇଣ୍ଟିଫିକ ଟିମ୍‌ ଓ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସମୟରେ ଚିକେନ୍ କାଉଣ୍ଟର ଭିତରୁ ମଦ ବୋତଲ, କଣ୍ଡମ୍‌, ନିଶା ଇଂଜେକସନ ଜବତ କରାଯାଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ପାଟଣା ଗ୍ରାମର ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେହେରା ଓରଫ ଟିକି ଏବଂ ରାକା ଦିନରେ ରଙ୍ଗ ମିସ୍ତ୍ରି କାମ କରୁଥିବାବେଳେ ପ୍ରାୟ ଚାରି ମାସ ପୂର୍ବରୁ ରାସ୍ତାକଡ଼ରେ ଏକ ଚିକେନ୍ କାଉଣ୍ଟର କରିଥିଲେ। କିନ୍ତୁ ଏହି ଚିକେନ୍ କାଉଣ୍ଟରଟି ସନ୍ଧ୍ୟା ପର ଠାରୁ ବନ୍ଦ ହୋଇ ଯାଉଥିଲା। ରାସ୍ତା ପଟକୁ ଚିକେନ କାଉଣ୍ଟର ଥିବାବେଳେ ଏହାର ପଛପଟେ ତାଳଦଣ୍ଡା କେନାଲକୁ ଲାଗି ଗୋଟିଏ ଛୋଟ ଅସ୍ଥାୟୀ ଘର କରାଯାଇଥିଲା। ସନ୍ତୋଷ ଏବଂ ରାକା ବିଭିନ୍ନ ସମୟରେ ଦେହଜୀବୀମାନଙ୍କୁ ଏଠାକୁ ଆଣୁଥିଲେ। ନିର୍ଦ୍ଦିଷ୍ଟ ଗରାଖ ସେଠାକୁ ଆସୁଥିବାବେଳେ ସ୍ଥାନୀୟ କିଛି ଯୁବକଙ୍କୁ ହାତରେ ରଖି ସେମାନେ ରୀତିମତ ବ୍ୟବସାୟ ଚଳାଇ ଆସୁଥିଲେ। ରାକା ଓ ସନ୍ତୋଷଙ୍କ ଗରାଖ ତାଲିକାରେ ଟ୍ରକ୍‌ ଓ ଗାଡ଼ି ଡ୍ରାଇଭର ଏମିତିକି କଲେଜ ପଢୁଥିବା ଛାତ୍ର ବି ଥିବା ପୁଲିସକୁ ସୂଚନା ମିଳିଛି। ବିଳମ୍ବିତ ରାତିରେ ସେହି ଘରେ ଏଭଳି କାରବାର ଚାଲୁଥିବାରୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣି ପାରୁନଥିଲେ। ଚାଉଳିଆଗଞ୍ଜ ପୁଲିସ ପ୍ରଥମେ ରାକାକୁ ଧରିଥିବା ‌ବେଳେ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟତମ ଅଭିଯୁକ୍ତ ସନ୍ତୋଷକୁ ମଧ୍ୟ ଗିରଫ କରିବାକୁ ସମର୍ଥ ହୋଇଛି।

ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସିଡବ୍ଲୁସିର ଏକ ଟିମ୍ ଗଠନ କରାଯାଇ ନାବାଳିକା ସହ ଦୁଷ୍କର୍ମ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ନାବାଳିକା ଜଣକ ଏଭଳି ସ୍ଥିତିରେ ଫସିଲେ ସେ ସଂପର୍କରେ ଯାଞ୍ଚ ଆରମ୍ଭ ହୋଇଛି। ଡିସିପିଓଙ୍କ ତତ୍ବାବଧାନରେ ଏହି ଟିମ୍ ପୀଡ଼ିତା, ପୀଡ଼ିତାଙ୍କ ପରିବାର ଓ ପୁଲିସ ଠାରୁ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି। କିନ୍ତୁ ଏହି ଘଟଣା କଟକ ପାଇଁ ଲଜ୍ଜାଜନକ ବୋଲି ଅଭିଯୋଗ କରିବା ସହିତ ବିଧାୟକ ମହମ୍ମଦ ମୋକିମ ଏଥିପାଇଁ ପୁଲିସ ଅପାରଗତାକୁ ଦାୟୀ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଘଟଣା ପଛରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାକୁ କଂଗ୍ରେସ ପକ୍ଷରୁ କଟକ ଡିସିପିଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ଆଜି କଟକ ଡିସିପିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁ‌ଷ୍ଠାନ, ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର