ଭୁବନେଶ୍ବର: କଟକ-ନିର୍ଗୁଣ୍ଡି ମଧ୍ୟରେ ୧୫.୯୯ କିଲୋମିଟରର ଚତୁର୍ଥ ରେଳଲାଇନ ଏବଂ ନିର୍ଗୁଣ୍ଡିଠାରେ ଏକ ରେଳ ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ୮୦୨.୯ କୋଟି ଟଙ୍କା ମଞ୍ଜୁରି ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ବାରା ହାଓଡା-ଚେନ୍ନାଇ ମୁଖ୍ୟ ଲାଇନ ସେକ୍ସନ୍‌ ଓ କଟକ-ପାରାଦୀପ ସେକ୍ସନ୍‌ରେ ଟ୍ରେନ ପରିଚାଳନାର କ୍ଷମତା ବୃଦ୍ଧି ପାଇବ। କଟକ-ନିର୍ଗୁଣ୍ଡି ସେକ୍ସନ୍‌ରେ ପାରାଦୀପ ବନ୍ଦରରୁ କଟକରେ ମୁଖ୍ୟ ଲାଇନକୁ କ୍ରସିଂ କରୁଥିବାରୁ ଏହି କରିଡର୍‌ରେ ବର୍ତ୍ତମାନ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। 

Advertisment

ତାଳଚେର ଯିବାକୁ କଟକରେ କୌଣସି ସିଧାସଳଖ ଜଙ୍କସନ୍‌ ବ୍ୟବସ୍ଥା ନଥିବାରୁ ଟ୍ରେନ୍‌ଗୁଡ଼ିକ ବହୁ ବିଳମ୍ବିତ ହେଉଛି। ଚତୁର୍ଥ ରେଳ ଲାଇନ ଓ ରେଳ ଫ୍ଲାଏଓଭରକୁ ମୁଖ୍ୟ ଲାଇନ୍‌ ରୁଟ୍‌ ଗୁଡ଼ିକରୁ ପାରାଦୀପ ବନ୍ଦର ଯାଉଥିବା ଟ୍ରାଫିକ୍‌କୁ ପୃଥକ କରି କଟକ ଓ ଢେଙ୍କାନାଳ ମଧ୍ୟରେ ଭିଡ଼ ହ୍ରାସ କରିବାକୁ ଡିଜାଇନ୍ ହୋଇଛି। ଏହି ପ୍ରକଳ୍ପ କଟକ ଓ ଭୁବନେଶ୍ୱର ସେକ୍ସନ୍‌ରୁ ଯା’ଆସ କରୁଥିବା ମୁଖ୍ୟ ଲାଇନ ସେକ୍ସନ୍‌ରେ ଯାତ୍ରୀବାହୀ, ମେଲ୍‌ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକର ଅଟକ ହ୍ରାସ କରିବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପର ଅଂଶ ଭାବେ ମହାନଦୀ ଓ ବିରୂପା ନଦୀ ଉପରେ ସେତୁ ନିର୍ମାଣ ହେବ। ଫ୍ଲାଏଓଭର ସହିତ ଏହି ପ୍ରକଳ୍ପ ଲାଇନଟି କବଚ ସୁରକ୍ଷା ବୈଶିଷ୍ଟ୍ୟ ଏବଂ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଟ୍ରେନ୍‌ ଗତି କରିବା ଭଳି ଡିଜାଇନ୍ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।