ନିତିଦିନ ବିଳମ୍ବରେ ଚାଲୁଛି କଟକ-ପାରାଦୀପ ପାସେଞ୍ଜର

ପାରାଦୀପ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶରେ ଚାଲିଛି ଏଭଳି ଅବ୍ୟବସ୍ଥା!, କାହା ସ୍ୱାର୍ଥରେ ଚୁପ୍‌ ବସିଛି ରେଳବାଇ?, ଏହା କ’ଣ ଡିଜିଟାଲ ଇଣ୍ଡିଆ?

ଭୁବନେଶ୍ୱର : ଗୋଟିଏ ପଟେ କେନ୍ଦ୍ର ସରକାର ଏବେ ବୁଲେଟ ଟ୍ରେନ୍‌ ଗଡ଼ାଇବାକୁ ଯୋଜନା କରୁଥିବା ବେଳେ ଆଉ ଗୋଟିଏ ପଟେ, ସାଧାରଣ ଟ୍ରେନ୍‌ ଗୁଡ଼ିକ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଶାସନ, ସବ୍‌ କା ସାଥ ସବ୍‌ କା ବିକାଶ ଓ ଡିଜିଟାଲ ଇଣ୍ଡିଆର ନାରାବାଜି ଦେଉଛନ୍ତି କିନ୍ତୁ ତାଙ୍କ ସରକାରଙ୍କ ରେଳ ବିିଭାଗରେ ଏହିସବୁ ସ୍ଳେଗାନ୍‌ କେବଳ ଏକ ବୟାନ୍‌ ବାଜି ହୋଇ ରହି ଯାଇଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭଦ୍ରକ-କଟକ-ପାରାଦୀପ ପାସେଞ୍ଜର ଟ୍ରେନ୍‌ର ସମୟ ସାରଣୀ।

ଶହଶହ ଗ୍ରାମୀଣ ଅଞ୍ଚଳର ଲୋକେ ନିର୍ଭର କରୁଥିବା ଏହି ଟ୍ରେନ୍‌ଟି କଟକ ଷ୍ଟେସନରେ ସନ୍ଧ୍ୟା ୭ଟାରେ ପହଞ୍ଚିବା ନେଇ ରେଳବାଇ ସମୟ ସାରଣୀରେ ଉଲ୍ଲେଖ ରହିଛି। କିନ୍ତୁ ନିତିଦିନ ଏହି ଟ୍ରେନ୍‌ଟି ଘଣ୍ଟା ଘଣ୍ଟା ବିଳମ୍ବରେ ପହଞ୍ଚୁଛି। ଏନେଇ ବାରମ୍ବାର କଟକ ଷ୍ଟେସନ ମ୍ୟାନେଜରଙ୍କ ନିକଟରେ ଅବଗତ କରିବା ଦ୍ୱାରା ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରୁ ନାହିଁ। କିନ୍ତୁ ଏହି ପାସେଞ୍ଜର ଟ୍ରେନ୍‌ର ସମସ୍ତ ସମୟ ପୂର୍ବତଟ ରେଳପଥ, ଖୋର୍ଦ୍ଧା ଡିଭିଜନର ପାରାଦୀପ କଣ୍ଟ୍ରୋଲରଙ୍କ ହାତରେ ରହିଛି ବୋଲି ଜଣାପଡ଼ିଛି। ତେବେ ପାରାଦୀପ କଣ୍ଟ୍ରୋଲର କାହିଁକି ଏହି ନିର୍ଦ୍ଧିଷ୍ଟ ଟ୍ରେନକୁ ବିଳମ୍ବିତ କରିବା ପାଇଁ ଚେଷ୍ଟା କରୁଛନ୍ତି? ଏହା ପଛରେ ତାଙ୍କର କ’ଣ ଉଦ୍ଦେଶ୍ୟ ରହିଛି? କିଛି ରାଜନୈତିକ ଚାପ ନା ବିଳମ୍ବିତ ରାତିରେ ଏହି ଟ୍ରେନ୍‌ ଯୋଗେ ପାରାଦୀପକୁ କିଛି ଚୋରା ଚାଲାଣ ତାହା ଏବେ ସନ୍ଦେହ ଘେରରେ ରହିଛି। ସାଧାରଣ ଜନତାଙ୍କ ଜୀବନକୁ ବିପଦରେ ପକାଇ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଚେଷ୍ଟା କରାଯାଉଥିବା ନେଇ ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି।

ଉଲ୍ଳେଖଯୋଗ୍ୟ, ଏହି ପାସେଞ୍ଜର ଟ୍ରେନ୍‌ ଉପରେ କଟକ ଓ ଜଗତସିଂହପୁର ଜିଲ୍ଲାର ଗ୍ରାମାଞ୍ଚଳ ଅଞ୍ଚଳର ଶହ ଶହ ଲୋକ ନିର୍ଭରଶୀଳ। କାର୍ଯ୍ୟ କରୁଥିବା ଅନେକ ମହିଳା ଓ ଯୁବତୀ ମଧ୍ୟ କଟକରୁ ଘରକୁ ଫେରିବା ପାଇଁ ଏହି ଟ୍ରେନ୍‌ ଉପରେ ନିର୍ଭର କରିଥାନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପାରାଦୀପ ଅଞ୍ଚଳକୁ ଯିବା ପାଇଁ ଏହି ପାସେଞ୍ଜରଟି ହେଉଛି ଶେଷ ସାହା ଭରସା। ଟ୍ରେନ୍‌ଟି ନିତିଦିନ ଘଣ୍ଟାଏ,ଦୁଇଘଣ୍ଟାରୁ ନେଇ ଦିନେ ଦିନେ ରାତି ୧୧ଟା ୧୨ଟା ବେଳେ ମଧ୍ୟ ଆସୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ପାସେଞ୍ଜରଙ୍କର ସୁରକ୍ଷା ପାଇଁ ଦାୟୀ କିଏ ହେବେ? ତେଣୁ ଟ୍ରେନ୍‌ ନମ୍ବର ୫୮୪୦୧ କଟକ-ପାରାଦୀପ ଏବଂ ଟେନ୍‌ ନମ୍ବର ୫୮୪୩୫ ଭଦ୍ରକ-କଟକ ପାସେଞ୍ଜର ଟ୍ରେନକୁ ନିର୍ଦ୍ଧାରିତ ସମୟାନୁସାରେ ପରିଚାଳିତ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ଏନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅବଗତ କରାଯାଇଛି। ସେପଟେ, ପୂର୍ବତଟ ରେଳପଥର ଖୋର୍ଦ୍ଧା ଡିଭିଜନ ଡିଆରଏମ୍‌ଙ୍କୁ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଓ ସବ୍‌କା ସାଥ ସବ୍‌କା ବିକାଶ ସ୍ୱପ୍ନ ଆଧାରରେ ଭଦ୍ରକ-କଟକ ଓ କଟକ-ପାରାଦୀପ ପାସେଞ୍ଜର ଟ୍ରେନ୍‌ ଉପରେ ନିର୍ଭରଶୀଳ ସମସ୍ତ ଯାତ୍ରୀଙ୍କ ସୁବିଧା ନିମନ୍ତେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ କରିବାକୁ ରେଳବାଇ ନିକଟରେ ଦାବି ହୋଇଛି।

ସମ୍ବନ୍ଧିତ ଖବର