କଟକ-ପାରାଦୀପ ମେମୁ ପାସେଞ୍ଜର ପୁନଃ ଚଳାଚଳ କରିବାକୁ ଦାବି

ଭୁବନେଶ୍ବର : ଦୀର୍ଘ ୩ମାସରୁ ଅଧିକ ଦିନ ହେବ କଟକ-ପାରାଦୀପ ମେମୁ ପାସେଞ୍ଜର ଟ୍ରେନ ବନ୍ଦ ରହିଛି। ଏହାକୁ ପୁନଃ ଚଳାଚଳ କରିବାକୁ ଲୋକେ ଦାବି କରିଛନ୍ତି। କରୋନା ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିବାରୁ ଲୋକେ ପୁଣି କାର୍ଯ୍ୟରେ ଯୋଗ ଦେଉଛନ୍ତି। ଫଳରେ ଅନେକ କର୍ମଜୀବୀ ଉଭୟ କଟକ ଓ ଭୁବନେଶ୍ବରରେ କାର୍ଯ୍ୟରେ ଯୋଗଦେବା ତଥା ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏହା ବ୍ୟତୀତ କଟକ, କଟକ ସଦର ଓ ଜଗତସିଂହପୁର ଜିଲ୍ଲା ଓ ଗ୍ରାମାଞ୍ଚଳରୁ ଶହ ଶହ ଲୋକ ସେମାନଙ୍କର ଦୈନନ୍ଦିନ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଦ୍ବୈତନଗରୀରେ କାର୍ଯ୍ୟରତ ଅନେକ ମହିଳା ଓ ଦିବ୍ୟାଙ୍ଗମାନେ ମଧ୍ୟ ଏହି ଟ୍ରେନ୍ ଉପରେ ନିର୍ଭରଶୀଳ। ତେଣୁ ଯଥାଶୀଘ୍ର ଏହାକୁ ଚଳାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ଅପରପକ୍ଷରେ କୋଭିଡ୍‌ର ପ୍ରଥମ ଲହରରେ ଦୀର୍ଘ ୮ମାସ ମେମୁ ଟ୍ରେନ ନମ୍ବର ୫୮୪୦୧ ଓ ୫୮୪୦୨ ବନ୍ଦ ରହିଥିଲା। ଜନ ଅସନ୍ତୋଷ ଦେଖାଦେବାରୁ ଶେଷରେ ଏହାକୁ ସ୍ପେସାଲ ଟ୍ରେନ କରାଯାଇଥିଲା। ଫଳରେ ଟିକେଟ୍ ଭଡ଼ା ବୃଦ୍ଧି ସହିତ ମାସିକ ଟିକେଟ୍ ବ୍ୟବସ୍ଥା ମଧ୍ୟ ଉଚ୍ଛେଦ କରାଯାଇଥିଲା। ଯାହାର ସର୍ବନିମ୍ନ ଟିକେଟ୍ ଭଡ଼ା ୩୦ଟଙ୍କା ରଖାଯାଇଥିଲା। ଅହେତୁକ ଟିକେଟ୍ ଭଡ଼ା ସାଙ୍ଗକୁ ମାସିକ ଟିକେଟ୍ ବ୍ୟବସ୍ଥା ଉଠାଇବା ଯୋଗୁଁ ଲୋକେ ବାଧ୍ୟ ହୋଇ ଯାତାୟାତ ପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଇଥିଲେ। ତେଣୁ କୋଭିଡ୍ ପରିସ୍ଥିତିରେ ଟ୍ରେନ୍ ଯାତାୟାତ ଭଳି ସାମୂହିକ ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ପୁନଃ ଟ୍ରେନ୍ ଚଳାଚଳ କରିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର