କୋଲକାତା ସାଇବର ଠକ ଆଡ଼ାରେ କଟକ ପୁଲିସ

ଶଳା-ଭିଣୋଇ ଗ୍ୟାଙ୍ଗ୍‌ର ୨୫ଟି ବ୍ୟାଙ୍କ ଆକାଉଣ୍ଟ ଜବତ
ଲୁଟିଥିଲେ ୪୦ ଲକ୍ଷ; ମିଳିଲା ୨୬ ଲକ୍ଷ ଟଙ୍କା

କଟକ : ରିଲାଏନ୍ସ ଜିଓ ଟାଓ୍ବାର ବସାଇଲେ ଲକ୍ଷାଧିକ ଟଙ୍କା ମିଳିବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ସାରା ଦେଶରେ ଠକୁଥିବା ଶଳା-ଭିଣୋଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କଟକ କମିସନରେଟ୍ ପୁଲିସ। ଜଗତପୁରର ଜଣେ ଯୁବକଙ୍କ ନିକଟରୁ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଏହି ଗ୍ୟାଙ୍ଗକୁ ପୁଲିସ କୋଲକାତା‌ରେ ଧରିବାରେ ସଫଳ ହୋଇଛି।

ଏହି ଠକ ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର ଅଭୟ ତିୱାରି ଏବେ କଲିକତା ଜେଲ୍‌ରେ ଥିବାବେଳେ ଦୁଇ ଭିଣୋଇ ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନର ଅନିଲେଶ ଆନନ୍ଦ(୨୩) ଓ ଅଙ୍କିତ ରାୟ(୨୩)ଙ୍କୁ କଟକ ଡିସିପିଙ୍କ ସାଇବର୍ ସେଲ୍ ଓ ଜଗତପୁର ଥାନା ଗିରଫ କରିଛି। ଖୁବଶୀଘ୍ର ଅଭୟକୁ ପୁଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଏହି ଠକ ଗ୍ୟାଙ୍ଗ ନିକଟରୁ ପୁଲିସ ମୋଟ ୨୫ ଲକ୍ଷ ୭୦ ହଜାର ୩୦୦ ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା ସାଇବର୍ ଅପରାଧୀ ଗ୍ୟାଙ୍ଗ ନିକଟରୁ ଜବତ ହେବା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

କମିସନରେଟ୍ ପୁଲିସ ମାଷ୍ଟରମାଇଣ୍ଡ ଅଭୟ ତିୱାରିକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବା ପାଇଁ କୋଲକାତା ବିଧାନନଗର ଏସିଡିଜେଏମ୍ କୋର୍ଟରେ ଆବେଦନ କରିଛି। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଡିସିପି ଅଫିସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଠକେଇ ଗ୍ୟାଙ୍ଗର କାରବାର ସମ୍ପର୍କରେ ସୂଚନା ଦେଇଥିବା ବେଳେ ତଦନ୍ତ ପାଇଁ ଆବଶ୍ୟକ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପୁଲିସ ରାଜ୍ୟ ବାହାରକୁ ଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର