କଟକ-ମହାନଦୀବିହାର : ଶନିବାର ଦିନ ଏସ୍ସିବି ମେଡିକାଲରୁ ହାଇଦର ଫେରାର ହେବାପରେ ରବିବାର ଭୋର୍ରୁ କଟକ କମିସେନରେଟ୍ ପୁଲିସର ଏକ ୮ଜଣିଆ ଟିମ୍ ମଙ୍ଗୁଳି ଚେକ୍ଗେଟ୍ରେ ପହଞ୍ଚି ସେଠାରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ୍ ନେଇଆସିଛି। ଏକ ଧଳାରଙ୍ଗର ସ୍ୱିଫ୍ଟ୍ କାର୍ରେ ୫ରୁ ୬ ଜଣ ବ୍ୟକ୍ତି ଟୋଲ୍ଗେଟ୍ ଦେଇଥିବା ଯାଇଥିବା ପୁଲିସ ସନ୍ଦେହ କରୁଛି।
ସୂଚନା ଅନୁସାରେ, ସେମାନେ ଯାଉଥିବାବେଳେ ଟୋଲ୍ଗେଟ୍ରେ ତରତର ଭାବେ ଏକ ୫ଶହ ଟଙ୍କିଆ ନୋଟ୍ ଦେଇ ଆଉ ଟଙ୍କା ମାଗି ନଥିଲେ। ମଙ୍ଗୁଳି ଟୋଲଗେଟ୍ରେ ଥିବା ଜଣେ କର୍ମଚାରୀ ତାଙ୍କୁ ବଳକା ଟଙ୍କା ଦେବାକୁ ଯାଉଥିବା ବେଳେ ସେମାନେ ଗାଡ଼ି ନେଇ ପଳାଇଥିଲେ। ପୁଲିସ ଟିମ୍ ଆଜି ସକାଳେ ଚେକ୍ଗେଟ୍ ସିସିଟିଭି ଯାଞ୍ଚ କରିବା ପରେ କାର୍ରେ ପଶ୍ଚିମବଙ୍ଗର ନମ୍ବର ଥିବା ଜାଣିବାକୁ ପାଇଥିଲେ। ଏହା ପଶ୍ଚିମବଙ୍ଗ ଶିଲିଗୁଡ଼ି ଅଞ୍ଚଳର ଜଣେ ଲୋକଙ୍କ ମାଲିକାନାରେ ଥିବାବେଳେ ପୁଲିସ ଉକ୍ତ କାର୍ଟିକୁ ପଶ୍ଚିମବଙ୍ଗ ପୁଲିସ ସହଯୋଗରେ ସେଠାରେ ଅଟକ ରଖିଥିବା ସୂଚନା ମିଳିଛି।
ସେପଟେ, କଟକ ମହମଦିଆ ବଜାର ଅଞ୍ଚଳର ହାଇଦର୍ର ଜଣେ ପୁରୁଣା ସହଯୋଗୀ କିଛିଦିନ ପୂର୍ବରୁ ବଡ଼ ଡାକ୍ତରଖାନାରେ ହାଇଦର୍କୁ ଦେଖା କରିବାକୁ ଯାଇଥିଲା। ପୁଲିସ ଆଜି ବଡ଼ ଡାକ୍ତରଖାନାରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ହାଇଦରକୁ ଭେଟିବାକୁ ଯାଇଥିବା ଉକ୍ତ ସହଯୋଗୀକୁ ଚିହ୍ନିଥିଲା। ସେ କିଛିବର୍ଷ ପୂର୍ବରୁ ବାଂଲାଦେଶରେ ମେକାନିକ ଭାବେ କାମ କରୁଥିବା ବେଳେ କରୋନା ମହାମାରୀ ଯୋଗୁଁ ଜଳପଥରେ ବାଂଲାଦେଶରୁ କଲିକତା ଦେଇ କଟକ ଆସିଥିଲା। ତାର ଦୁଇଭାଇ ବର୍ତ୍ତମାନ ବାଂଲାଦେଶରେ ରହୁଥିବା ପୁଲିସ ଜାଣିବାକୁ ପାଇଛି। ଉକ୍ତ ତିନିଭାଇ ସନ୍ଦେହ ଘେରରେ ଥିବାରୁ କଟକ ପୁଲିସର ଏକ ଟିମ୍ କାର ଯୋଗେ ଉକ୍ତ ବ୍ୟକ୍ତିକୁ ଧରି ପଶ୍ଚିମବଙ୍ଗକୁ ଯାଇଛି। ତେବେ, ପଶ୍ଚିମବଙ୍ଗରେ ନିର୍ବାଚନ ମାହୋଲ ସରଗରମ ଥିବାରୁ ପୁଲିସକୁ ହାଇଦରର ସୂଚନା ମିଳିବାରେ କଷ୍ଟ ହେଉଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/police-ad.jpg)