କଟକ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଆଜି ସକ୍ରିୟ ରାଜନୀତିରେ ବିଶିଷ୍ଟ ଚିକିତ୍ସକ ପ୍ରଫେସର୍‌ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନାମ ଯୋଡ଼ି ହୋଇଯାଇଛି। ଡାକ୍ତର ମହାପାତ୍ରଙ୍କୁ ବିଜେପି ରାଜ୍ୟ ଉପସଭାପତି ଭାବେ ଆଜି ନିଯୁକ୍ତ କରାଯାଇଛି। ଏହାକୁ ନେଇ କଟକ ରାଜନୀତି ହଠାତ ଚଳଚଞ୍ଚଳ ହୋଇ ଉଠିବା ସହ ଆଗାମୀ ଦିନରେ ଡାକ୍ତର ମହାପାତ୍ରଙ୍କ ଭୂମିକା କ’ଣ ରହିବ, ତାହାକୁ ନେଇ ଆଲୋଚନା, ଆକଳନ ଆରମ୍ଭ ହୋଇଯାଇଛି। କିନ୍ତୁ ଆଜି ଗୋଆରେ ଥିବା ଡାକ୍ତର ମହାପାତ୍ର ତାଙ୍କ ପାଇଁ ବି ଏ ଖବର ଅପ୍ରତ୍ୟାଶିତ ବୋଲି ‘ସମ୍ବାଦ’କୁ ଦେଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି।

Advertisment

publive-image

ଡାକ୍ତର ମହାପାତ୍ର କହିଛନ୍ତି ଯେ ଆଜି ଦିନ ୧୧ଟା ବେଳକୁ ତାଙ୍କୁ ଖବର ମିଳିଲା ଯେ ତାଙ୍କ ନାମ ବିଜେପି ରାଜ୍ୟ ଉପସଭାପତି ଭାବେ ଘୋଷଣା କରାଯାଇଛି। ଯଦିଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ତାଙ୍କର ସଂପର୍କ ରହିଛି, କିନ୍ତୁ ସେ ବିଧିବଦ୍ଧ ଭାବେ ସକ୍ରିୟ ରାଜନୀତିରେ ପୂର୍ବରୁ ଯୋଗ ଦେଇନଥିଲେ କି ପୂର୍ବରୁ କୌଣସି ଦଳର ସଦସ୍ୟତା ଗ୍ରହଣ କରିନଥିଲେ। ରାଜନୀତି ପ୍ରତି ତାଙ୍କର ବିଶେଷ ଆଗ୍ରହ କେବେ ନଥିଲା। ଗତ ସାଧାରଣ ନିର୍ବାଚନ ସମୟରେ ବି ରାଜ୍ୟର ଅନ୍ୟ ଏକ ପ୍ରମୁଖ ଦଳ ପକ୍ଷରୁ ତାଙ୍କୁ ନିର୍ବାଚନ ଲଢ଼ିବାର ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ତାହାକୁ ବିନମ୍ରତାର ସହ ପ୍ରତ୍ୟାଖାନ କରିଥିଲେ। ଆଗକୁ ନିର୍ବାଚନ ଲଢ଼ିବେ କି ନାହିଁ, ତାହାକୁ ନେଇ ସେ ବିଶେଷ ଉତ୍ସାହିତ ନୁହନ୍ତି। ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ବି ତାଙ୍କ ସହ ସଂପର୍କରେ ଥିଲେ। ତେଣୁ ଆଗକୁ କ’ଣ ହେବ ଦେଖିବା। ଓଡ଼ିଶା ଫେରିଲେ ଏ ସଂପର୍କରେ ଆଲୋଚନା କରିବା ବୋଲି ଡାକ୍ତର ମହାପାତ୍ର ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି।

ଗୋଆରେ ଥିବା ଡାକ୍ତର ମହାପାତ୍ରଙ୍କ ପ୍ରତିକ୍ରିୟା: ଏ​ ଘୋଷଣା ମୋ ପାଇଁ ଅପ୍ରତ୍ୟାଶିତ
ପୂର୍ବରୁ ସକ୍ରୀୟ ରାଜନୀତିରେ ନଥି​ଲି କି କୌଣସି ଦଳର ସଦସ୍ୟ ବି ନଥିଲି

ଅନ୍ୟପଟେ କିନ୍ତୁ ଡାକ୍ତର ମହାପାତ୍ର କଟକରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବାକୁ ଯାଉଥିବା ଆଲୋଚନା ଆରମ୍ଭ ହୋଇଯାଇଛି। ୨୦୧୯ ନିର୍ବାଚନରେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ବିଜେପିର ଲୋକସଭା ପ୍ରାର୍ଥୀ ଭାବେ କଟକରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଶ୍ରୀ ମିଶ୍ର ଭଲ ଭୋଟ୍ ବି ପାଇଥିଲେ। କିନ୍ତୁ ନିର୍ବାଚନ ସମୟରେ ଅଥବା ନିର୍ବାଚନ ପରେ ଶ୍ରୀ ମିଶ୍ର ଲୋକଙ୍କ ସହ ଯୋଡ଼ି ହୋଇ ପାରି ନଥିଲେ। ଅନ୍ୟପଟେ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଜଣେ ଲୋକପ୍ରିୟ ଡାକ୍ତର ଭାବେ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ରହିଥିବା ବେଳେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ସଂପୃକ୍ତ ରହି ଆସିଛନ୍ତି। ତେଣୁ ତାଙ୍କର ଲୋକପ୍ରିୟତା, ଜନସଂପର୍କକୁ ବିଜେପି ଏବେ ପୁଞ୍ଜି କରି ଆଗାମୀ ସାଧାରଣ ନିର୍ବଚନରେ ତାଙ୍କୁ କଟକରେ ଉତାରିବାକୁ ଯୋଜନା ଆରମ୍ଭ କରି ଦେଇଛି। ଅନ୍ୟପଟେ ଡାକ୍ତର ମହାପାତ୍ର ବିଜେପିରେ ସାମିଲ ହୋଇଥିବା ବେଳେ ବିଜେଡିରୁ ବର୍ତ୍ତମାନର ସାଂସଦ ଭର୍ତ୍ତୃହରି ମହତାବ ନା ଆଉ କିଏ, ତାହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ପ୍ରକାର ସମୀକରଣରେ ଭର୍ତ୍ତୃହରିଙ୍କୁ ହୁଏତ ଅନ୍ୟ କୌଣସି ଭୂମିକାରେ ଦେଖିବାକୁ ମିଳିବ ବୋଲି ମଧ୍ୟ ରାଜନୈତିକ ସମୀକ୍ଷକ ଆଲୋଚନା କରୁଛନ୍ତି। କିନ୍ତୁ ଡାକ୍ତର ମହାପାତ୍ରଙ୍କ ରାଜନୀତିରେ ଯୋଗଦାନ କଟକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଭାସ ଦେଉଛି।