ଜଳବନ୍ଦୀ ସମସ୍ୟା ବନାମ କେନ୍ଦ୍ରୀୟ ବିଦ୍ୟାଳୟ: ବିଧାୟକ-କମିସନରଙ୍କ ସ୍ଥିତି ଅନୁଧ୍ୟାନ ବେଳେ ଉତ୍ତେଜନା

ପୁଣି ତେଜିଲା କଟକ ରାଜନୀତି

କଟକ : ଗୋଟିଏ ପଟେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଚାଲି ଥିବା ବେଳେ ଅନ୍ୟପଟେ ଏହି ଭିତ୍ତିଭୂମି ପ୍ରସ୍ତୁତି ପ୍ରକ୍ରିୟାରେ ଜଳବନ୍ଦୀ ସମସ୍ୟାରେ ପଡ଼ିଛନ୍ତି ଶତାଧିକ ସହରବାସୀ। କେନ୍ଦ୍ରୀୟ ବିଦ୍ୟାଳୟ-୨ ନିର୍ମାଣ ପାଇଁ ଖାଲୁଆ ସ୍ଥାନକୁ ଏବେ ଜାଇକା ମାଟି ପକାଇ ପୋତୁଛି। କିନ୍ତୁ ସେହି ବାଟ ଦେଇ ପୂର୍ବରୁ ଜଳ ନିଷ୍କାସନ ହେଉଥିବା ବେଳେ ତାହା ବନ୍ଦ ହୋଇଯିବାରୁ ନୂଆପଡ଼ା, ବାଲିସାହି, ପ୍ରେସ କଲୋନି, ଲେବର କଲୋନି ଅଞ୍ଚଳର ଜଳ ନିଷ୍କାସନ ହୋଇ ନ ପାରି ଏବେ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଶନିବାର ଦିନ ସେହି ସମସ୍ୟାର ସମାଧାନ ପାଇଁ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଓ ସିଏମ୍‌ସି କମିସନର ଅନନ୍ୟା ଦାସ ସେଠାରେ ପହଞ୍ଚି ଥିବା ବେଳେ ଉପସ୍ଥିତ କେତେକ ବ୍ୟକ୍ତି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକଳ୍ପ ବନ୍ଦ ପାଇଁ ଏହା ଉଦ୍ୟମ ବୋଲି ଅଭିଯୋଗ ଆଣି ପ୍ରତିବାଦ କରିଥିଲେ।

ଏଭଳି ସ୍ଥିତିରେ ଜଳବନ୍ଦୀ ସମସ୍ୟାରେ ପଡିଥିବା ବ୍ୟକ୍ତି ଓ କେନ୍ଦ୍ରୀୟ ବିଦ୍ୟାଳୟ ସପକ୍ଷବାଦୀଙ୍କ ମଧ୍ୟରେ ପାଟିତୁଣ୍ଡ, ଉତ୍ତେଜନାରେ ବିଧାୟକ ଓ କମିସନର ଫସି ଯାଇଥିଲେ। ସେଠାରେ ଆଉ କିଛି ବ୍ୟକ୍ତି ନୂଆପଡା-ବାଲିସାହି ବସ୍ତି ବାସିନ୍ଦାଙ୍କ ସମସ୍ୟାକୁ ନେଇ ବିଧାୟକ ଓ କମିସନରଙ୍କୁ ଆକ୍ଷେପ ଆରମ୍ଭ କରିବାରୁ ଅଧିକ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଧାୟକ ଏତେ ଦିନ ଯାଏ କେଉଁଠି ଥିଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଲୋକଙ୍କୁ ବୁଝାସୁଝା କରି ବିଧାୟକ ଓ କମିସନର ସେଠାରୁ ଚାଲି ଯାଇଥିଲେ। ଜଳବନ୍ଦୀ ସମସ୍ୟାର ଅଗ୍ରାଧିକାର ଭିତ୍ତିରେ ସମାଧାନ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକଳ୍ପ ବି ତ୍ବରାନ୍ବିତ କରାଯିବ ବୋଲି କମିସନର ଓ ବିଧାୟକ ବୁଝାଇବାକୁ ଉଦ୍ୟମ କରିଥିଲେ ବି ପ୍ରତିବାଦ କରୁଥିବା ଲୋକେ ସହଜରେ ଶାନ୍ତ ପଡି ନଥିଲେ। କିନ୍ତୁ ଗୋଟିଏ ପଟେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପଛରେ ସେମାନଙ୍କର ଭୂମିକା ରହିଛି ବୋଲି ବିଜେପି ନେତା ଦାବି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଜଳବନ୍ଦୀ ସମସ୍ୟାକୁ ବିଧାୟକ ଗୁରୁତ୍ବ ଦେଇ ସେଠାରେ ପହଞ୍ଚି ଯିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ଗଲା ତିନି ଦିନ ତଳେ କାଳବୈଶାଖୀ ଯୋଗୁଁ ନୂଆପଡା-ବାଲିସାହି ଅଞ୍ଚଳରେ ଥଇଥାନ ହୋଇଥିବା ବସ୍ତି ବାସିନ୍ଦାଙ୍କ ଅସ୍ଥାୟୀ ଟେଣ୍ଟ୍ ଭୁଶୁଡି ପଡିଥିଲା। ଏହି ଘଟଣାରେ ସେମାନଙ୍କ ଆସବାବପତ୍ର ନଷ୍ଟ ହୋଇଯାଇଥିବା ବେଳେ ଅନେକ ବସ୍ତିବାସିନ୍ଦା ଆହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ସେଠାରେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ପ୍ରଭାତରଂଜନ ବିଶ୍ବାଳ ପହଞ୍ଚି ଥିଲେ। ଯଦିଓ ଅଞ୍ଚଳ ସଦର ନିର୍ବାଚନ ମଣ୍ଡଳୀ ଅର୍ନ୍ତଭୁକ୍ତ କିନ୍ତୁ ସେହି ବସ୍ତି ବାସିନ୍ଦା ପୂର୍ବରୁ ଚୌଦ୍ବାର-କଟକ ଅଞ୍ଚଳରେ ରହୁଥିବାରୁ ସୌଭିକ-ପ୍ରଭାତ ସେଠାରେ ପହଞ୍ଚି ଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ପୁଲିସ ଗାଡି ଭଙ୍ଗାରୁଜା କରିବା ସହିତ ପୁଲିସକୁ ଆକ୍ରମଣ କରିଥିଲେ। ସୌଭିକ ଓ ପ୍ରଭାତ ସ୍ଥିତି ନିୟନ୍ତ୍ରଣ କରି ଜିଲ୍ଲାପାଳ ଓ କମିସନରଙ୍କୁ ଆସିବାକୁ ଅନୁରୋଧ କରିଥିଲେ ବି କେହି ନ ପହଞ୍ଚିବାରୁ ସେମାନେ ଶତାଧିକ ବସ୍ତିବାସିନ୍ଦାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ପ୍ରଭାତ ସେଠାରେ କମିସନରଙ୍କ ବିରୋଧରେ ଖୁବ୍ ବର୍ଷିବା ସହିତ କମିସନର ଲୋକ ପ୍ରତିନିଧିଙ୍କ କଥା ଶୁଣୁ ନଥିବା ଅଭିଯୋଗ କରିଥିଲେ। ଏହା ପରେ କମିସନରଙ୍କ ବଦଳି ଦାବି ଚୌଦ୍ବାର-କଟକ ଅଞ୍ଚଳରେ ଜୋର ଧରି ଥିବା ବେଳେ ଆଜି ସେହି ନୂଆପଡା-ବାଲିସାହି ଅଞ୍ଚଳରେ ସଦର ବିଧାୟକ ଓ କମିସନର ପହଞ୍ଚିବା ଘଟଣା ପଛର ରହସ୍ୟକୁ ନେଇ ଚର୍ଚ୍ଚା ସଦର ରାଜନୀତିକୁ ଏବେ ଅଧିକ ସରଗରମ କରିଛି।

ସମ୍ବନ୍ଧିତ ଖବର