କଟକ: କଟକର ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସପ୍ତମ ଅଭିଯୁକ୍ତର ପତ୍ତା ମିଳୁନାହିଁ। ଏହି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅନ୍ୟପଟେ ଗିରଫ ୬ ଅଭିଯୁକ୍ତଙ୍କ ଠାରୁ ଜବତ ୬ଟି ମୋବାଇଲ୍ ଫୋନ୍ ସୋମବାର ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରି(ଏସ୍‌ଏଫ୍‌ଏସ୍‌ଏଲ୍) ପଠାଯିବ। ଏହି ମୋବାଇଲଗୁଡ଼ିକରେ ପୀଡ଼ିତା ଛାତ୍ରୀଙ୍କ ନଗ୍ନ ଭିଡିଓ ରହିଥିବା ବେଳେ ଏହାକୁ ଅଭିଯୁକ୍ତମାନେ ଡିଲିଟ୍ କରିଦେଇଥିବାରୁ ଲାବୋରେଟୋରିରେ ବିଶେଷଜ୍ଞ ଦଳ ଏହାକୁ ପୁଣି ଥରେ କାଢ଼ିବାକୁ ଉଦ୍ୟମ କରିବେ। ଏହି ଘଟଣାରେ ମହିଳା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଟକ ଡିସିପିଙ୍କୁ ଭେଟି ଫେରାର୍ ଅନ୍ୟତମ ଅଭିଯୁକ୍ତକୁ ଧରିବାକୁ ଦାବି କରିଛନ୍ତି।

Advertisment

ସୂଚନା ଅନୁଯାୟୀ, କଟକରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହି ଘଟଣାକୁ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଉଭୟ ବିଜେପି-ବିଜେଡି ରବିବାର ମୁହାଁମୁହିଁ ହୋଇଛନ୍ତି। ମହିଳା ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଦିନ ପ୍ରାୟ ଗୋଟାଏ ବେଳେ କଟକ ଡିସିପି ଜଗମୋହନ ମୀନାଙ୍କୁ ଭେଟିଛନ୍ତି। ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ବରେ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ, ପୂର୍ବତନ ମହିଳା କମିସନ୍‌ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ସମେତ ମହିଳା ନେତ୍ରୀମାନେ ଡିସିପିଙ୍କୁ ଭେଟିଛନ୍ତି।

ଆଜି ଲାବୋରେଟୋରି ଯିବ ୬ ମୋବାଇଲ୍‌
ଡିସିପିଙ୍କୁ ଭେଟିଲା ମହିଳା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ 

ଗସ୍ତ ଅବସରରେ ଶ୍ରୀମତୀ ଛୁରିଆ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟଜନକ କଥା। ଏହି ସରକାରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଝିଅ ଜଣକ ଥାନାରୁ ଥାନା ବୁଲିଛନ୍ତି। ବାରଙ୍ଗ, ପୁରୀଘାଟ, ସଦର ଥାନାକୁ ଯାଇଛନ୍ତି। ସବୁ ଥାନାରେ ତାଙ୍କୁ ମନା କରାଯାଇଛି ଓ ଏତଲା ରଖାଯାଇ ନଥିଲା। ଶେଷରେ ଏତଲା ରଖାଯାଇଛି। ପୁଲିସ ପ୍ରଶାସନ ତରଫରୁ ଅବହେଳା ହୋଇଛି। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଥାନାକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ଥାନାରେ ତୁରନ୍ତ ଏତଲା ରୁଜୁ ହେଉଥିଲା। କିନ୍ତୁ ଆଜି ଏତଲା ରୁଜୁ ହେଉନାହିଁ। ‘ଵାନ୍ ଚଏସ୍ କାଫେ’ ବେଆଇନ ଭାବେ ଚାଲୁଥିଲା। ସେଠି ହୁକା ଚାଲୁଥିଲା। ସେହି କାଫେ ସାମନାରେ ବିଜେପି ୨୬ ନମ୍ବର କର୍ପୋରେଟର୍‌ ଗଗନ ଓଝାଙ୍କ ଘର। ଘରର ମାଲିକ ବି ଜଣେ ବିଜେପି କାର୍ଯ୍ୟକର୍ତ୍ତା। ତେଣୁ ସେମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଉ। ଯେଉଁ ଅଜଣା ବ୍ୟକ୍ତି ଏହି ଗଣଦୁଷ୍କର୍ମ ଘଟଣାରେ ଅଛି ତାକୁ ବି ଗିରଫ କରାଯାଉ। ୫ ମାସ ସରକାରରେ ୭ଟି ଗଣଦୁଷ୍କର୍ମ ମାମଲା ହେଲାଣି। ଆଜି ବି ନୀଳଗିରିରେ ଗୋଟିଏ ଦୁଷ୍କର୍ମ ମାମଲା ହୋଇଛି। ‘ଲୋକଙ୍କ ସରକାର’ ବୋଲି କହୁଛନ୍ତି। କିନ୍ତୁ ମହିଳାମାନେ ଏଠି ସୁରକ୍ଷିତ ନୁହନ୍ତି। କଟକର ପୀଡ଼ିତା ମହିଳା ‌କେଉଁଠି ଅଛନ୍ତି ଆମେ ଜାଣିନାହୁଁ। ତାଙ୍କ ସୁରକ୍ଷା ଦାବି କରିଛୁ। ସେ ଝିଅ ପାଠ ପଢ଼ୁଛନ୍ତି। ସେ କିଭଳି ପୁଣି ଥରେ ଆସି ପାଠ ପଢ଼ିବେ ଏବଂ ତାଙ୍କ ସୁରକ୍ଷା ଆମ ପାଇଁ ସବୁଠାରୁ ବଡ଼ ଚିନ୍ତା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଟିମ୍ ଏଠିକି ଆସିଛୁ। ଯେଉଁ ଦିଗକୁ ସନ୍ଦେହ କରୁଛୁ ସେ ଦିଗରେ ତଦନ୍ତ ହେଉ। ତୁରନ୍ତ ଚାର୍ଜସିଟ୍ ଦାଖଲ ହେଉ। 

ଅପରପକ୍ଷରେ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଗଗନ ଓଝା କହିଛନ୍ତି ଯେ ଏଭଳି ସମ୍ବେଦନଶୀଳ ଘଟଣାରେ ବିଜେଡି ରାଜନୀତି କରୁଛି। ନବୀନ ସରକାର ସମୟରେ ଅନେକ ନିର୍ଯାତିତା ମହିଳା ନ୍ୟାୟ ପାଇନାହାନ୍ତି। ଘଟଣା ସମ୍ପର୍କରେ ତଥ୍ୟ ନଥାଇ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଣମାଧ୍ୟମରେ ବିବୃତି ରଖିଛି ବୋଲି ଶ୍ରୀ ଓଝା କହିଛନ୍ତି। ସେପଟେ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍‌ କହିଛନ୍ତି ଯେ, ଏହି ଗଣଦୁଷ୍କର୍ମ ଘଟଣାରେ ଜଣେ ଅଭିଯୁକ୍ତ ଏବେ ବି ଗିରଫ ନହେବା ଦୁର୍ଭାଗ୍ୟଜନକ। ଭରତପୁର ଘଟଣା ହେଉ କି କଟକ ଘଟଣା, ଏହା ସୂଚାଉଛି କି ରାଜ୍ୟରେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା କେମିତି ରହିଛି।  ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ କହିଛନ୍ତି ଯେ ଆଉ ଜଣେ ଅଜଣା ଅଭିଯୁକ୍ତ ଏହି ଘଟଣାରେ ସମ୍ପୃକ୍ତ ଅଛି। ତାକୁ ବି ଧରିବାକୁ ଖୋଜାଖୋଜି ହେଉଛି। ଆସନ୍ତାକାଲି ସୋମବାର ଏସ୍‌ସି ଏସ୍‌ଟି କୋର୍ଟ ମାଧ୍ୟମରେ ଗିରଫ ୬ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଯିବ। ମୋବାଇଲ୍‌ରେ କେଉଁ ପ୍ରକାର ଡାଟା ରହିଥିଲା, ତାହାକୁ କଢ଼ାଯିବ। ଅନ୍ୟପଟେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହିତ ପୁଲିସ ଯୋଗାଯୋଗ କରିଥିଲା। ସେମାନେ ଭଲରେ ଥିବା ଶ୍ରୀ ମୀନା ସୂଚନା ଦେଇଛନ୍ତି।