ଦେବଗଡ଼: ନିଆଁରେ ପୋଡ଼ି ଗୁରୁତର ହୋଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶୀତତାପ ନିୟନ୍ତ୍ରିତ କକ୍ଷରେ ଚିକିତ୍ସାଧୀନ ଥିବା ବାରକୋଟ ବ୍ଲକ୍ ଚକ୍ରପାଲି ଗ୍ରାମର ଶିଶୁ କନ୍ୟା ସ୍ନେହା (୭)କୁ ଅଧିକ ଚିକିତ୍ସା ଲାଗି କଟକ ସ୍ଥାନାନ୍ତର କରାଯାଇଛି। ତିଲେଇବଣି ବିଡିଓଙ୍କୁ ମାଡ଼ ଘଟଣାରେ ଗିରଫ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ହେବା ପରେ ଉକ୍ତ ଶୀତତାପ ନିୟନ୍ତ୍ରିତ କକ୍ଷରୁ ସ୍ନେହାକୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇ ବିଧାୟକଙ୍କୁ ସେଠାରେ ରଖାଯାଇଥିଲା। ଏ ନେଇ ଖବର ପ୍ରକାଶିତ ହେବା ପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଦେବଗଡ଼ ସିଡିଏମଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ।
ଅନ୍ୟପଟେ ‘ହାପି ଟୁ ହେଲ୍ପ’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁରୁତର ସ୍ନେହାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅନ୍ୟ ଏକ ଦେୟ ଏସି କ୍ୟାବିନରେ ଭର୍ତ୍ତି କରିବା ସହ ସମସ୍ତ ଚିକତ୍ସା ଖର୍ଚ୍ଚ ବହନ କରିଥିଲା। ଶନିବାର ଉକ୍ତ ଶିଶୁର ଅଧିକ ଚିକିତ୍ସା ଆବଶ୍ୟକତା ଥିବା ଜାଣିବା ପରେ ରାଜ୍ୟ ଶ୍ରମ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ସହଯୋଗର ହାତ ବଢ଼ାଇଛନ୍ତି। ଆଜି ସକାଳେ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗୁରୁତର ସ୍ନେହାକୁ ଜେଜେ କ୍ଷୀରୋଦ ଓ ଆଈ ଜେମା ନାୟକଙ୍କ ସହ ଏକ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ସ୍ନେହା କଟକ ମେଡିକାଲ୍ରେ ପହଞ୍ଚିବା ପରେ ସେଠାରେ ତା’ର ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ସ୍ବେଚ୍ଛାସେବୀ ସଂଗଠନର ସଭାପତି ଶୁକଦେବ ଭଞ୍ଜ, ସଦସ୍ୟ ରାଜକିଶୋର ଦାଶ, କାଉନ୍ସିଲର ଯତୀନ ନାୟକ, ପ୍ରତାପ ଦେବ, ସଦସ୍ୟ ଦୀପନ ନାୟକ ଓ ସୁକେନ ମୁଖୀଙ୍କ ସହ ସଦସ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/14-2.jpg)