କଟକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା : ରିଂ ବନ୍ଧ ହେବ ୬ ଲେନ୍

ହାଡ଼ିଆପଠାର ବିକାଶ ସହିତ କଟକ ହେବ ଆନ୍ତର୍ଜାତିକ ସ୍ତରର ସହର

କଟକ : କଟକକୁ ଘେରି ରହିଥିବା ମହାନଦୀ ଓ କାଠଯୋଡ଼ି ରିଂ ବନ୍ଧର ସଂପ୍ରସାରଣ କରାଯିବ। ଦୁଇ ପଟ ରିଂ ବନ୍ଧ ୬ ଲେନ୍ ବିଶିଷ୍ଟ ହେବ। ବରଫି ଯୋଜନାରେ ହାଡ଼ିଆ ପଠାର ବିକାଶ ସହିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏମ୍ସ ପ୍ଲସ୍ ହସ୍ପିଟାଲରେ ପରିଣତ କରାଯିବ। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ କାର୍ଯ୍ୟ ଆରମ୍ଭ ହେବ। ନେତାଜୀ ଜୟନ୍ତୀ ଅବସରରେ କଟକକୁ ଆସି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ହାଡିଆ ପଠାକୁ ଯାଇ ଯୋଜନାର ରୂପରେଖ ସମୀକ୍ଷା କରିବା ପରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଏହି ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କଟକବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀ ଓଡ଼ିଶାବାସୀଙ୍କ ଜୀବନଧାରା। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସ୍ଥ ଓ ତାଜା ଜୀବନଶୈଳୀ ଉପଭୋଗ କରିବାର ସୁଯୋଗ ଦିଆଯିବ। ଏଥିପାଇଁ ଏଠାରେ ଅଧିଗ୍ରହଣ ହୋଇଥିବା ୪୨୪ ଏକର ଜମିର ପ୍ରତ୍ୟେକ ଇଞ୍ଚ୍‌ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯିବ।

ମହାନଦୀପଠାରେ ହେବାକୁ ଥିବା ଏସ୍‌ସିବି ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା‌ ପରେ ଏଠାରେ ହେବାକୁ ଯାଉଥିବା ବହୁ ପ୍ରକଳ୍ପ ମାଧ୍ୟମରେ କଟକକୁ ଆନ୍ତର୍ଜାତିକସ୍ତରର ସହର ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଭଳି ସୁଯୋଗ ଜୀବନରେ ଥରେ ଆସିଛି। କଟକର ଜୀବନଧାରା ମହାନଦୀ ପଠାରେ ଇକୋଲୋଜିକାଲ, ରିକ୍ରିଏସନାଲ୍‌, କ୍ରୀଡ଼ା, ସ˚ସ୍କୃତି, ଆସ୍ପିରେସନାଲ, ଟେକ୍ନୋଲୋଜିକାଲ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ କରାଯିବ। ରାଜ୍ୟର ଏହି ପୁରାତନ ସହର ପାଇଁ ଏଠାରେ ପ୍ରଶସ୍ତ ରାସ୍ତା, ସହଜରେ ଯାତାୟାତ କରିବା ଭଳି ସୁବିଧା, ପାର୍କ, ଅତ୍ୟାଧୁନିକ ଭିତ୍ତିଭୂମି, ପାର୍କି˚ ଓ ସବୁଜିମା ପରିବେଶ ଇତ୍ୟାଦି ଉପଲବ୍ଧ କରାଯିବ। ଅଧିଗ୍ରହଣ ହୋଇଥିବା ଜମିର ଅଧିକା˚ଶ ଭାଗକୁ ସବୁଜିମାମୟ କରାଯିବ ଓ ଉନ୍ମୁକ୍ତ ରଖାଯିବ। ଅନ୍ୟ ସ୍ଥାନଗୁଡ଼ିକୁ ଉନ୍ନୟନ କାର୍ଯ୍ୟରେ ବ୍ୟବହାର କରାଯିବ। ଏସବୁ ଯୋଜନାର ବାସ୍ତବ ରୂପ ପାଇଁ ସିଟି ପ୍ଲାନରମାନଙ୍କୁ ନିୟୋଜିତ କରାଯିବ। ସାଧାରଣ ଜନତାଙ୍କଠୁ ପ୍ରତିକ୍ରିୟା ସ˚ଗ୍ରହ କରାଯିବ। ଏଭଳି ଯୋଜନାକୁ ସଫଳ କରାଇବା ପାଇଁ କଟକ ସହରର ଜନସାଧାରଣଙ୍କ ସ˚ପୃକ୍ତି ଓ ସହଯୋଗ ନିହାତି ଆବଶ୍ୟକ। ଏପରି ହେଲେ ଆମେ ଦେଖିଥିବା ସ୍ବପ୍ନକୁ ବାସ୍ତବରେ ପରିଣତ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହିତ ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା‌ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ, ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ।

ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଆବଜାରସ୍ଥିତ ଜାନକୀନାଥ ଭବନରେ ପହଞ୍ଚିଥିଲେ। ସେଠାରେ କଟକ ଜିଲ୍ଲାର ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ନେତାଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ହାଡ଼ିଆପଠାକୁ ଯାଇ ସେଠାରେ ମନ୍ତ୍ରୀ ଓ ବିଧାୟକଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ୫-ଟି ସଚିବ ଭି.କେ. ପାଣ୍ତିଆନ ଓ ଅନ୍ୟ ସଚିବମାନଙ୍କ ସହ ମହାନଦୀପଠାରେ ନିର୍ମାଣ ହେବାକୁ ଥିବା ବିଭନ୍ନ ପ୍ରକଳ୍ପର ନକ୍ସାକୁ ଅନୁଧ୍ୟାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନଦୀପଠାରେ କିଛି ସମୟ ବୁଲିବା ସହ ସେଠାକାର ପରିବେଶକୁ ଉପଭୋଗ କରିଥିଲେ।

ଭର୍ତ୍ତୃହରି ରହିଲେନି…
ନେତାଜୀ ଜୟନ୍ତୀରେ ପ୍ରତ୍ୟେକ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନକୁ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଆଜି ମୁଖ୍ୟମନ୍ତ୍ରୀ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ହାଡିଆପଠା ବୁଲି କଟକର ବିକାଶ ପାଇଁ ହୋଇଥିବା ଯୋଜନାର ସମୀକ୍ଷା କରିବା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିଲା। କଟକ ଜିଲ୍ଲାର ସମସ୍ତ ବିଜେଡି ନେତା, ବିଧାୟକ, ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିବା ବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅନୁପସ୍ଥିତି ରହିଥିଲେ। ସୂଚନା ଅନୁଯାୟୀ ଭର୍ତ୍ତୃହରି ଗତକାଲି କଟକରେ ଥିବା ବେଳେ ଆଜି ଭୋରଭୋର୍‌ରୁ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଦିଲ୍ଲୀ ଫେରି ଯାଇଥିଲେ। କିନ୍ତୁ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କଟକ ଆସୁଥିବା ବେଳେ ସାଂସଦ ଭର୍ତ୍ତୃହରିଙ୍କ ଅନୁପସ୍ଥିତି ଆଜି ଦିନସାରା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର