କଟକ: ନିଜ ଜନ୍ମକଲା ନାବାଳିକା ଝିଅକୁ ବି ଛାଡ଼ିଲାନି ପିଶାଚ ବାପା। ଘରେ ଭିତରେ ଏକ ମାସ କାଳ ଯୌନ ନିର୍ଯାତନା ଦେବା ଭଳି ଚାଞ୍ଚଲ୍ୟକର ଘଟଣା କଟକରେ ଘଟିଛି। ଏ ସଂକ୍ରାନ୍ତରେ ପୀଡ଼ିତା ନାବାଳିକା ନିଜେ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛି। ପୁଲିସ ନାବାଳିକାର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ଏଭଳି ଲଜ୍ଜାଜନକ କାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ବାପାକୁ ପୁଲିସ ଘରୁ ଟେକିନେଇଥିବା ସୂଚନା ମିଳିଛି।
ବାଦାମବାଡ଼ି ଥାନା ଶଙ୍କରପୁର ମଙ୍ଗଳାଲେନ୍ ଅଞ୍ଚଳରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କ ଦୁଇ ଝିଅ ରୁହନ୍ତି। ସ୍ବାମୀ ଜୟଶ୍ରୀ ସିନେମା ହଲ୍ ନିକଟରେ ଫଳ ବ୍ୟବସାୟ କରେ। ଗଲା ଏକମାସ ହେବ ତା ପତ୍ନୀ ଅନ୍ୟ ଜଣେ ଯୁବକ ସହିତ କେଉଁଆଡ଼େ ଫେରାର୍ ହୋଇଯାଇଥିଲେ। ଘରେ ଦୁଇ ଝିଅ ଓ ବାପା ରହୁଥିଲେ। ତେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ୧୫ ବର୍ଷୀୟା ନାବାଳିକା ଝିଅକୁ, ବାପା ଗଲା ଏକ ମାସ ହେବ ଦୁଷ୍କର୍ମ କରିଆସୁଥିଲା। ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ନାବାଳିକାଜଣକ ବାଦାମବାଡ଼ି ଥାନାରେ ଫେରାଦ ହୋଇଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରିଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛି। ତୁରନ୍ତ ନାବାଳିକାର ପ୍ରାଥମିକ ଚିକିତ୍ସା ପରେ ବସୁନ୍ଧରାରେ ଭର୍ତ୍ତି କରାଯାଇଛି। ୧୨ ବର୍ଷୀୟ ସାନ ଭଉଣୀକୁ ବି ପୁଲିସ ଉଦ୍ଧାର କରିଛି। ଅନ୍ୟପଟେ ଆସନ୍ତାକାଲି ପୀଡ଼ିତା ନାବାଳିକାଙ୍କୁ ସିଡବ୍ଲୁସିରେ ହାଜର କରାଯିବ। ସେଠାରେ ପୀଡ଼ିତାର ବୟାନ ରେକର୍ଡ କରାଯିବ। ଘର ଭିତରେ ନାବାଳିକା ଝିଅକୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା କଟକ ସହରରେ ଗଲା ୧୦ ବର୍ଷ ଭିତରେ ୬ଟି ଘଟିଲାଣି। ଏଥିରୁ ତିନୋଟି ମାମଲାରେ କୋର୍ଟ ଅଭିଯୁକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରିଥିବା ସୂଚନା ମିଳିଛି।
୨୦୧୩ରୁ ଏଯାଏ ଲଜ୍ଜା
୨୦୨୧ ମାର୍ଚ୍ଚ ୩୦ ତାରିଖରେ ଲାଲବାଗ ଅଞ୍ଚଳରେ ବାପା ନିଜ ୧୨ ବର୍ଷୀୟା ଦିବ୍ୟାଙ୍ଗ ଝିଅକୁ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲା। ୨୦୧୮ ଡିସେମ୍ବର ୨୫ ତାରିଖରେ ଲାଲବାଗ ଥାନା ଡଗରପଡ଼ା ଅଞ୍ଚଳରେ ନବମ ଶ୍ରେଣୀରେ ପଢ଼ୁଥିବା ନିଜ ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ଅଭିଯୁକ୍ତ ବାପା ସୂର୍ଯ୍ୟମଣି ବେହେରାକୁ ଗିରଫ କରିଥିଲା। ୨୦୧୮ ଜୁନ ୨ ତାରିଖରେ ଚୌଦ୍ବାର ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା କଟକ ଡିସିପି ଅଫିସରେ ଅଭିଯୋଗ ହୋଇଥିଲା। ୨୦୧୬ ମେ ୨୦ ତାରିଖରେ ଗୋପାଳ ଦାସ ଓରଫ ଭୋଇକୁ ବାରଙ୍ଗ ଥାନା ପୁଲିସ ଗିରଫ କରିଥିଲା। ୨୦୧୩ ନଭେମ୍ବର ୧୩ ତାରିଖରେ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ସୁରଜ ପ୍ରସାଦକୁ ମହିଳା ଥାନା ପୁଲିସ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/rape1.jpg)