କଟକ: ୨୪ ବର୍ଷ ହେଲାଣି କଟକ ସଦର ନିର୍ବାଚନ ମଣ୍ଡଳୀ ଅଣକଂଗ୍ରେସ ଗଡ଼ ଭାବେ ପରିଗଣିତ ହୋଇ ଆସୁଛି। ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟ‌ାରେ ସଦର ନିର୍ବାଚନ ମଣ୍ଡଳୀର ଭୌ‌ଗୋଳିକ ପରିବର୍ତ୍ତନ ହୋଇଥିଲା। କିନ୍ତୁ ନିର୍ବାଚନ ମଣ୍ଡଳୀ ପୂର୍ବ ଭଳି କଟକ ସଦର ରହି ଆସିଛି। ୧୯୯୫ରେ ଶେଷ ଥର କଟକ ସଦର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟଲକ୍ଷ୍ମୀ ସାହୁ ବିଜୟୀ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସ ସଦର ନିର୍ବାଚନ ମଣ୍ଡଳୀରେ ଦୁର୍ବଳରୁ ଦୁର୍ବଳ ପ୍ରଦର୍ଶନ କରି ଚାଲିଥିବା ବେଳେ ବିଜେପି, ବିଜେଡି ନିଜନିଜର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହୋଇ ରହି ଆସିଛନ୍ତି। ଏବେ ଯଦି ‌ବିଜେଡି-ବିଜେପି ମେଣ୍ଟ ହୁଏ ତେବେ କିଏ ପ୍ରତିଦ୍ବନ୍ଦ୍ବିତାର ସୁଯୋଗ ପାଇବ ଏବଂ ସେଭଳି ସ୍ଥିତିରେ ବିରୋଧୀ କଂଗ୍ରେସ ମେଣ୍ଟକୁ କେତେ ଟକ୍କର ଦେବାରେ ସଫଳ ହେବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

୨୦୧୯ ନିର୍ବାଚନରେ ସଦରରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା ୨୬ ହଜାର ୧୨୬ ଖଣ୍ଡ ଭୋଟରେ ବିଜେପିର ଦିଲ୍ଲୀପ କୁମାର ମଲ୍ଲିକଙ୍କୁ ପରାସ୍ତ କରିଥିଲେ। ବିଜେଡିକୁ ୫୫.୪୧ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିର ଭୋଟ ହାର ଥିଲା ୩୮.୬୭ ପ୍ରତିଶତ। କଂଗ୍ରେସ ପ୍ରାର୍ଥୀ ମାତ୍ର ୬ ହଜାର ୨୨୯ ଖଣ୍ଡ ଭୋଟ ପାଇଥିଲେ। ଭୋଟ ହାର ମାତ୍ର ୪ ପ୍ରତିଶତ ରହିଥିଲା। ୨୦୦୯ ନିର୍ବାଚନରେ ବିଜେଡିର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିଲା କଂଗ୍ରେସ। ୨୦୦୯ରେ ବିଜେଡି ପ୍ରାର୍ଥୀ କାଳନ୍ଦୀ ଚରଣ ବେହେରା ୭୧ ହଜାର ୬୩୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଂଗ୍ରେସର ଅସୀମା ମହାନନ୍ଦ ୨୨ହଜାର ୨୮୭ ଖଣ୍ଡ ଭୋଟ ଓ ବିଜେପିର ଦିଲ୍ଲୀପ ମଲ୍ଲିକ ୧୫ ହଜାର ୪୦୭ ଖଣ୍ଡ ଭୋଟ ପାଇଥିଲେ। କିନ୍ତୁ ୨୦୧୪ ନିର୍ବାଚନରେ ବିଜେପି କଂଗ୍ରେସକୁ ଟପିଗଲା। ବିଜେଡି ପ୍ରାର୍ଥୀ ଭାବେ ଚନ୍ଦ୍ରସାରଥି ବେହେରା ୭୧ହଜାର ୨୪୭ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକ ୪୫ ହଜାର ୪୫୬ ଖଣ୍ଡ ଭୋଟ ପାଇଥିଲେ ଓ କଂଗ୍ରେସ ଦୁର୍ବଳ ପ୍ରଦର୍ଶନ କରି ତୃତୀୟ ସ୍ଥାନରେ ରହିଥିଲା। ୨୦୧୯ ନିର୍ବାଚନରେ ତ କଂଗ୍ରେସ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କଲା। ଯଦି ବିଜେଡି-ବିଜେପିର ମେଣ୍ଟ ହୁଏ ତେବେ ୨୦୧୯ରେ ମାତ୍ର ୪ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ମେଣ୍ଟ ପ୍ରାର୍ଥୀଙ୍କୁ ମୁକାବିଲା କରିବାରେ କେତେ ସଫଳ ହେବ, ତାହାକୁ ‌ଗୋଟିଏ ପଟେ ଆକଳନ କରାଯାଉଥିବା ବେଳେ ଅନ୍ୟପଟେ ମେଣ୍ଟ ପରୋକ୍ଷରେ ହୁଏତ ‌ଏଠାରେ କଂଗ୍ରେସର ଶକ୍ତି ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି।
୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ କଟକ ପୌର ନିଗମର ୩ଟି ୱାର୍ଡ, କଟକ ସଦର ବ୍ଲକ୍‌ ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୧୪ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠନ ହୋଇଥିଲା। ଅନୁସୂଚିତ ଜାତି(ଏସ୍‌ସି) ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ଏହି ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ଚନ୍ଦ୍ରସାରଥି ବେହେରା ଲଗାତାର ଦୁଇ ଥର (୨୦୧୪, ୨୦୧୯) ବିଜୟୀ ହୋଇଥିବା ବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀ ଭାବେ ତାଙ୍କ ବାପା କାଳିନ୍ଦୀ ବେହେରା ଏଠାରୁ ନିର୍ବାଚିତ ହୋଇଥିଲେ।

ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପୂର୍ବର ସ୍ଥିତି ଦେଖିଲେ ୧୯୫୭ରୁ ୨୦୦୪ ଯାଏ ହୋଇଥିବା ୧୨ଟି ନିର୍ବାଚନ ମଧ୍ୟରୁ ୭ଥର ଏହି ଆସନ କଂଗ୍ରେସ ହାତରେ ରହିଥିବା ବେଳେ ଥରଟିଏ ବିଜେପି ହାତରେ ରହିଥିଲା। ଥରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରଭାତରଂଜନ ବିଶ୍ବାଳ ଏଠାରୁ ୨୦୦୪ରେ ନିର୍ବାଚିତ ହୋଇଥିଲେ। ୨୦୦୦ ନିର୍ବାଚ‌ନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିବେଦିତା ପ୍ରଧାନ ବିଜୟୀ ହୋଇଥିଲେ।