କଟକ: କଟକ ସଦର ସଂରକ୍ଷିତ ନିର୍ବାଚନମଣ୍ଡଳୀରେ ଏଥର ଲଗାତାର ତୃତୀୟ ଥର ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା। ଗଲା ଦୁଇଟି ନିର୍ବାଚନରେ ଚନ୍ଦ୍ରସାରଥି ବିଜୟୀ ହୋଇଥିବା ବେଳେ ଏଥର କିନ୍ତୁ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବଦଳି ଯାଇଛନ୍ତି। ଚନ୍ଦ୍ରସାରଥିଙ୍କୁ ସଦରରେ ଗଲା ଦୁଇଟି ନିର୍ବାଚନରେ ଟକ୍କର ଦେଇ ଆସୁଥିବା ବରିଷ୍ଠ ନେତା ଦିଲୀପ ମଲ୍ଲିକଙ୍କୁ ଏଥର ବିଜେପି ଟିକେଟ ନ ଦେଇ ତାଙ୍କ ସ୍ଥାନରେ ନବାଗତ ପ୍ରକାଶ ସେଠୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ବି ଏଥର ରାମଚନ୍ଦ୍ର ଗୋଚ୍ଛାୟତଙ୍କୁ ନୂଆ ଚେହେରା ଭାବେ ସାମନାକୁ ଆଣିଛି। କିନ୍ତୁ ଦିଲୀପ ଅଥବା ତାଙ୍କ ଅନୁଗତ ପ୍ରଦୀପ ବେହେରାଙ୍କୁ ଟିକେଟ ନ ମିଳିବା ଘଟଣାକୁ ନେଇ ସେ ଓ ତାଙ୍କ ସମର୍ଥକ ଅସନ୍ତୁଷ୍ଟ ଥିବାବେଳେ ଆଗାମୀଦିନରେ ସେମାନଙ୍କ ଭୂମିକା ସଦର ଫଳାଫଳକୁ ନିର୍ଭର କରିବ ବୋଲି କୁହାଯାଉଛି।
ନିଜ ପ୍ରାର୍ଥିତ୍ବ ସମ୍ପର୍କରେ ଚନ୍ଦ୍ରସାରଥି କହିଛନ୍ତି, ସଦର ଅଞ୍ଚଳରେ ଗଲା ୧୦ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ସେ ପୁଣି ଲୋକଙ୍କ ପାଖକୁ ଯିବେ। ଅପରପକ୍ଷେ, ସଦର ଅଞ୍ଚଳରେ ଚାଲିଥିବା ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ତାଙ୍କ ନିର୍ବାଚନର ପ୍ରସଙ୍ଗ ହେବ ବୋଲି ପ୍ରକାଶ କହିଛନ୍ତି। ସେହିପରି, କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ରାମଚନ୍ଦ୍ର ଗୋଚ୍ଛାୟତ କହିଛନ୍ତି, ଶୀତଳଭଣ୍ଡାର, ଗମନାଗମନ, ରାସ୍ତାଘାଟଠାରୁ ଆରମ୍ଭ କରି ଲୋକଙ୍କ ମୌଳିକ ସମସ୍ୟା ସୁଧୁରୁନି। ଏସବୁ ପ୍ରସଙ୍ଗକୁ ନେଇ ସେ ଭୋଟରଙ୍କ ପାଖକୁ ଯିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନମଣ୍ଡଳୀରେ ୧ ଲକ୍ଷ ୧୬ ହଜାର ୫୪ ଜଣ ପୁରୁଷ, ୧ ଲକ୍ଷ ୧୧ ହଜାର ୫୫ ଜଣ ମହିଳା, ୨୨ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଅଛନ୍ତି। ୨ ଲକ୍ଷ ୨୭ ହଜାର ୧୩୧ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ।