ଅନୁଗୁଳ : ଆସନ୍ତା ବର୍ଷ ଆରମ୍ଭ ହେବା ଆଗରୁ କଟକ-ସମ୍ବଲପୁର ୪ ଥାକିଆ ରାସ୍ତା ନିର୍ମାଣ ଶେଷ ହେଇଯିବ। ଏବେ ସୁଦ୍ଧା ୬୫ ପ୍ରତିଶତରୁ ଅଧିକ କାମ ଶେଷ ହୋଇଥିଲାବେଳେ ୧୯୪ କିମି ରାସ୍ତାକୁ ୪ ଥାକିଆ କରାଯାଇଛି। ବାକି କାମ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ସମୟସୀମା ଭିତରେ ରାସ୍ତା ପ୍ରଶସ୍ତୀକରଣ ଶେଷ ହେବା ନେଇ ରାଜ୍ୟ ସରକାର ଆଶା ଦେଖାଇଥିଲାବେଳେ କଟକରୁ ଢେଙ୍କାନାଳ ରାସ୍ତା ଜୁନ୍ ବେଳକୁ ଶେଷ ହେବ ବୋଲି ସୂଚନା ମିଳିଛି।
ଉପକୂଳ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ଯୋଡ଼ୁଥିବା ଜାତୀୟ ରାଜପଥ-୫୫ ର ପ୍ରଶସ୍ତୀକରଣ କାମ ଚାଲିଛି। ୨୦୨୦ ସୁଦ୍ଧା ଏହି ରାସ୍ତା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ବିଭିନ୍ନ କାରଣର ପାଇଁ ଏହା ବିଳମ୍ବିତ ହୋଇଛି। କାମ କରିବାକୁ ନୂଆ ଠିକା ସଂସ୍ଥାକୁ ଦାୟିତ୍ବ ଦେବା ପରେ କାମ ପୁଣି ତ୍ବରାନ୍ବିତ ହୋଇଛି। ଏହି ନୂଆ ଠିକାସଂସ୍ଥା ପାଇଁ ନୂଆ ଡେଡ୍ଲାଇନ୍ ଧାର୍ଯ୍ୟ କରାଯାଇଛି।
ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେଇଥିବା ସୂଚନା ଅନୁସାରେ, କଟକର ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ପ୍ରାୟ ୨୬୫ କିମି ରାସ୍ତାକୁ ୩ ଭାଗରେ ବିଭକ୍ତ କରାଯାଇ ରାସ୍ତା ପ୍ରଶସ୍ତୀକରଣ କରାଯାଉଛି। କଟକରୁ ଢେଙ୍କାନାଳ ପର୍ଯ୍ୟନ୍ତ ୬୦ କିମି ରାସ୍ତା ନିର୍ମାଣ କାମ ୨୦୧୮ ଜାନୁଆରିରୁ ଆରମ୍ଭ ହୋଇଥିଲାବେଳେ ଆସନ୍ତା ଜୁନ୍ ଶେଷ ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରାସ୍ତାର ୬୭ ପ୍ରତିଶତ କାମ ଶେଷ ହୋଇଛି। ଢେଙ୍କାନାଳ-ଅନୁଗୁଳ ରାସ୍ତାର ୫୨ କିମି ରାସ୍ତା ପ୍ରଶସ୍ତୀକରଣ କାମର ୫୮ ପ୍ରତିଶତ ସରିଛି। ଏହି ରାସ୍ତା ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସରିବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୮ ମାର୍ଚ୍ଚରେ ଏହି ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲାବେଳେ ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ସାରିବାକୁ ପ୍ରାଥମିକ ପର୍ଯ୍ୟାୟରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଅନୁଗୁଳ-ସମ୍ବଲପୁର ସେକ୍ସନରେ ଥିବା ୧୫୩ କିମି ରାସ୍ତା ଭିତରୁ ୧୧୫ କିମି ରାସ୍ତାକୁ ଏ ଭିତରେ ୪ ଥାକିଆ କରାଯାଇଛି। ସମୁଦାୟ କାମ ଭିତରୁ ୭୨ ପ୍ରତିଶତ କାମ ସରିଥିଲାବେଳେ ୨୦୨୩ ଶେଷ ସୁଦ୍ଧା କାମ ସରିବ ବୋଲି ସରକାର କହିଛନ୍ତି।