କଟକ ପରିମଳ ପରିଚାଳନା ମହାଦୁର୍ନୀତି: ୫ ବର୍ଷ ହେଲା ଠିକାରେ ଚାଲିଛି ବ୍ୟବସ୍ଥା

ବିଧାନସଭାରେ ପ୍ରଶ୍ନ, ସଚିବଙ୍କୁ ଚିଠି ପରେ ବି କାର୍ଯ୍ୟାନୁ‌ଷ୍ଠାନ ଶୂନ

କଟକ : ବିବିଜି ସିଣ୍ଡିକେଟ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରତି କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଏତେ ଅନୁକମ୍ପା କାହିଁକି? ୨୦୧୮ରୁ ଠିକାରେ କଟକର ପରିମଳ ଦାୟିତ୍ବ ସଂସ୍ଥା ହାତକୁ ଟେକିଦେଇ କାହିଁକି କର୍ତ୍ତୃପକ୍ଷ ନିଶ୍ଚିନ୍ତରେ ବସିଛନ୍ତି? କଟକ ମହାନଗର ରାସ୍ତା, ଗଳିକନ୍ଦିର ଆବର୍ଜନାମୟ ପରିବେଶ ଲୋକଙ୍କ ପ୍ରତିକ୍ରିୟାର କାରଣ ହୋଇଥିବାବେଳେ କାହିଁକି କର୍ତ୍ତୃପକ୍ଷ ଉକ୍ତ ଘରୋଇ ସଂସ୍ଥା ବିରୋଧରେ ପଦକ୍ଷେପ ନେଉନାହାନ୍ତି? କଟକର ପରିମଳ ମହାଦୁର୍ନୀତିକୁ ନେଇ ବାରମ୍ବାର ଅଭିଯୋଗ, ବିଧାନସଭାରେ ପ୍ରଶ୍ନ, ସଚିବଙ୍କୁ ଚିଠି ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ କି ସହରର ପରିମଳ ସ୍ଥିତି ସୁଧୁରୁ ନାହିଁ।

ସୂଚନା ଅନୁଯାୟୀ ପୂର୍ବରୁ ଟେଣ୍ଡର ଜରିଆରେ ମହାନଗରର ପରିମଳ ବ୍ୟବସ୍ଥାର ପରିଚାଳନା ଦାୟିତ୍ବ ନେଇଥିବା ରାମ୍‌କିର ଅବଧି ୨୦୧୬ରେ ସରି ଯିବା ପରେ ୨୦୧୮ ଯାଏ ସଂପୃକ୍ତ ସଂସ୍ଥା ଠିକାରେ କାର୍ଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ ୨୦୧୮ରୁ ଠିକାରେ ବିବିଜି ସିଣ୍ଡିକେଟ୍ ପରିମଳ ପରିଚାଳନା କାର୍ଯ୍ୟ ତୁଲାଇ ଆସୁଛି। ପରିମଳ ଟେଣ୍ଡର ବିଭ୍ରାଟକୁ ନେଇ ମାମଲା ହାଇକୋର୍ଟରେ ଗଡୁଥିବାବେଳେ ତ୍ରୁଟି ସୁଧାରି ତାହାକୁ ବ୍ୟବସ୍ଥିତ କରିବା ବଦଳରେ କର୍ତ୍ତୃପକ୍ଷ କୋର୍ଟ ଆଳରେ ଏକପ୍ରକାର ହାତ ବାନ୍ଧି ବସିଛନ୍ତି। ମାସକୁ ପରିମଳ ପରିଚାଳନା ବାବଦକୁ ହାରାହାରି ଭାବେ ୨ କୋଟି ଟଙ୍କା ନେଉଥିବା ବିବିଜି ସିଣ୍ଡିକେଟ୍ ଏଭଳି ସ୍ଥିତିରେ ସଂପୂର୍ଣ୍ଣ ମନମାନି ଢଙ୍ଗରେ କାର୍ଯ୍ୟ କରୁଥିଲେ ବି କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଏମିତିକି ୨୦୨୦ କରୋନାର ସଂପୂର୍ଣ୍ଣ ଲକ୍‌ଡାଉନ୍ ସମୟରେ ସଂସ୍ଥା ସାଧାରଣ ସମୟ ଠାରୁ ବି ଅଧିକ ଆବର୍ଜନା ଉଠାଉଥିବା ଦର୍ଶାଇ ବିଲ୍ କରିଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡିଥିଲା। ଦୈନିକ ହାରାହାରି ସହରରୁ ୧୮୦ରୁ ୨୦୦ ମେଟ୍ରିକ ଟନ୍ ଆବର୍ଜନା ଉଠୁଥିବା ବେଳେ ଏହି ସମୟରେ ହାରାହାରି ୧୩୬ ମେଟ୍ରିକ ଟନ୍ ଅଧିକ ଆବର୍ଜନା ଉଠିଛି ଦର୍ଶାଇ ବିଲ୍ କରାଯାଇଥିଲା। ୭ ବର୍ଷ ହେଲା ସତୀଚୌରାରେ ଥିବା ଓଜନ କଣ୍ଟା ଅଚଳ ହୋଇ ପଡିଥିବା ବେଳେ ଏଭଳି ହାରାହାରି ହିସାବରେ ଆବର୍ଜନା ପରିବହନ ବିଲ୍ କରି ସଂପୃକ୍ତ ସଂସ୍ଥାକୁ ପୈଠ କରାଯାଉଛି। ଗଲା ଏପ୍ରିଲ ମାସରେ କଟକର ପରିମଳ ମହାଦୁର୍ନୀତି ସଂପର୍କରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ। ପରବର୍ତ୍ତୀ ସମୟରେ କଟକର ବରିଷ୍ଠ ନେତା ଅଶୋକ ସାମଲ ମଧ୍ୟ ଏ ସଂକ୍ରାନ୍ତରେ ନଗର ଉନ୍ନୟନ ସଚିବଙ୍କୁ ଚିଠି ଲେଖି ଏଭଳି ଦୁର୍ନୀତିର ତଦନ୍ତ ଦାବି କରିଥିଲେ। କିନ୍ତୁ ଏଯାଏ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ବେଳେ ମହାନଗରର ପରିମଳ ସ୍ଥିତି ଅଧିକରୁ ଅଧିକ ବିଗିଡିବାରେ ଲାଗିଛି। ବିପର୍ଯ୍ୟସ୍ତ ରାସ୍ତାଘାଟ, ପରିମଳକୁ ନେଇ କଟକ ମହାନଗରବାସୀ ଅତିଷ୍ଠ ହୋଇ ପଡିଥିବା ବେଳେ କର୍ତ୍ତୃପକ୍ଷଙ୍କ ଅସମ୍ଭବ ନିରବତାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର