କଟକ : କଟକ ସହରରେ କରୋନା ସ୍ଥିତି ଦିନକୁ ଦିନ ଉଦ୍ବେଗଜନକ ହେଉଛି। ଏଭଳି ସ୍ଥିତିରେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଆସନ୍ତା ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଂପୂର୍ଣ୍ଣ ସହରକୁ ସଟଡାଉନ୍ କରି ଦିଆଯାଇଛି। ଗତକାଲି ରାଣୀହାଟର ମାଳିସାହି ଓ ତେଲିସାହିରୁ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା, ଚାଉଳିଆଗଂଜର ଗୋଟିଏ ଘରୋଇ ନର୍ସିଂହୋମରୁ ୬ ଜଣ କରୋନା ଚିହ୍ନଟ ହେବା ପରେ ସିଏମ୍ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମହାନଗର ନିଗମର ୫୯ଟି ୱାର୍ଡରେ ଏହି ସଟଡାଉନ୍ ନିଷ୍ପତ୍ତି ଲାଗୁ କରାଯାଇଛି। ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍ ପରେ ରବିବାର ରାତି ୧୨ଟା ଠାରୁ ଆସନ୍ତା ୮ ତାରିଖ ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ସହରରେ ସଟ୍ଡାଉନ୍ ଜାରି ରହିବ। ଏହି ସମୟ ମଧ୍ୟରେ ସହର ମଧ୍ୟରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି। ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାକୁ ଛାଡ଼ି ଦେଲେ ସହରବାସୀଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି। ସଟ୍ଡାଉନ୍ ସମୟରେ ସମସ୍ତ ଅଣଅତ୍ୟାବଶ୍ୟକ ଦୋକାନ ବନ୍ଦ ରହିବ। ସିଏମସି ଅଞ୍ଚଳରେ ସାମାଜିକ ଦୂରତ୍ବ ନିୟମ ଓ ମାସ୍କ ପିନ୍ଧିବା ନିୟମ ମାନି ଲୋକେ ସକାଳ ୫ରୁ ସଂଧ୍ୟା ୬ ମଧ୍ୟରେ ଦୋକାନ ସଉଦା, ପରିବା, କ୍ଷୀର ଇତ୍ୟାଦି ସଂଗ୍ରହ କରିପାରିବେ। ଅନଲାଇନ୍ରେ ଅତ୍ୟାବଶ୍ୟକ ସମାଗ୍ରୀ ଡେଲିଭେରି ଉପରେ କୌଣସି କଟକଣା ଲଗାଯାଇନାହିଁ। ବିଜୁଳି ଓ ପାଣି ପରି ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଲୋକଙ୍କ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ।
କଟକ ମହାନଗର ନିଗମ ଅଞ୍ଜଳରେ ଗଲା ଦୁଇଦିନରେ ୮୨ଜଣ ଆକ୍ରାନ୍ତ ବାହାରିଲେଣି। ଜୁଲାଇ ୨ ତାରିଖରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ରାଣୀହାଟ ମାଳିସାହି ଓ ତେଲି ସାହରୁ ୧୩ ଜଣ ଆକ୍ରାନ୍ତ ବାହାରିଥିବା ବେଳେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫ ଜଣ, ଏସ୍ସିବି ଆଇସୋଲେସନରୁ ୪ ଜଣ, ଚାଉଳିଆଗଂଜର ଏକ ଘରୋଇ କ୍ଲିନିକରୁ ୬ଜଣ, ସିଏମସିର ବିଦ୍ୟାଧରପୁର କ୍ବାରାଣ୍ଟିନ୍ରୁ ୫, ବୋସ୍ କ୍ବାରାଣ୍ଟିନ୍ରୁ ୨ ଓ ୩ ଜଣ ଓଡ୍ରାଫ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।