ଚିନ୍ତାରେ ଡାକ୍ତର : ଗୋଟିଏ ହୃତପିଣ୍ଡ ଥିଲେ ମାରାତ୍ମକ!

ପରୀକ୍ଷା ସରିଲା, ଆଜି ରିପୋର୍ଟ ଆସିବ

ଏବେ ବି ବିପଦମୁକ୍ତ ନୁହଁନ୍ତି ଗଙ୍ଗା-ଯମୁନା

କଟକ : ଶିଶୁଭବନରେ ଚିକିତ୍ସିତ ହେଉଥିବା ଯାଆଁଳା ଶିଶୁ ଗଙ୍ଗା-ଯମୁନାଙ୍କୁ ନେଇ ଡାକ୍ତରୀ ଦଳର ଚିନ୍ତା ବଢିବାରେ ଲାଗିଛି। ଉଭୟ ଗଙ୍ଗା ଓ ଯମୁନା ସ୍ଥିତି ଏବେ ବି ବିପଦମୁକ୍ତ ନାହାନ୍ତି। ଉଭୟ ଗଙ୍ଗା ଏବଂ ଯମୁନାଙ୍କୁ ଶିଶୁଭବନ ଡାକ୍ତର ‘ଏ’ ଓ ‘ବି’ ନାମରେ ନାମିତ କରିଛନ୍ତି। ଗଙ୍ଗା ଆଜି ଚୁପ୍‌ଚାପ ରହିଥିଲା ଓ ତାର ସ୍ଥିତି ଯମୁନା ତୁଳନାରେ ଟିକିଏ ଅଧିକ ଗୁରୁତର ରହିଛି। ତେବେ ଯମୁନି କାନ୍ଦିବା ସହିତ ହାତ ଗୋଡ଼ ହଲାଇଥିଲା। ଉଭୟଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କହିଛନ୍ତି।

ସାଧାରଣତଃ ଏଭଳି କ୍ଷେତ୍ରରେ ଗୋଟିଏ ହୃତପିଣ୍ଡ ଓ ଯକୃତ ଥାଏ। ତେବେ ଗଙ୍ଗା ଓ ଯମୁନାଙ୍କ କ୍ଷେତ୍ରରେ ହୃତପିଣ୍ଡ ଓ ଯକୃତ ଅଲଗା ରହିଛି କିମ୍ବା ଗୋଟାଏ, ତାହା ଜାଣିବା ଲାଗି ଆଜି ପରୀକ୍ଷା କରାଯାଇଛି। ଆସନ୍ତାକାଲି ଏ ସଂକ୍ରାନ୍ତ ରିପୋର୍ଟ ମିଳିବା ପରେ ସ୍ପଷ୍ଟ ଚିତ୍ର ପଦାକୁ ଆସିବ। ଯଦି ହୃତପିଣ୍ଡ ଗୋଟିଏ ଥାଏ, ତେବେ ଅପରେସନ୍‌ ଅସମ୍ଭବ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି।

ଏହା ସତ୍ତ୍ୱେ ଡାକ୍ତରୀ ଦଳ ଉଭୟଙ୍କୁ ନେଇ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଉଭୟଙ୍କୁ ନେଇ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯିବ। ସବୁକିଛି ଠିକ୍‌ଠାକ୍‌ ଥିଲେ, ଯଦି ହାର୍ଟସର୍ଜରୀ ଆବଶ୍ୟକ ପଡେ, ତେବେ ସେମାନଙ୍କ ଅବସ୍ଥା ସ୍ଥିର ହେବା ପରେ ଦିଲ୍ଲୀ ଏମ୍‌ସକୁ ପଠାଯାଇପାରେ।

ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ପି.କେ. ଜେନା କହିଛନ୍ତି, ‘‘ଏବେ ଉଭୟ ଶିଶୁଙ୍କ ଅପରେସନ୍‌ କଥା ଚିନ୍ତା କରାଯାଇ ନାହିଁ। ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ଅପରେସନ୍‌ କଥା ଚିନ୍ତା କରାଯିବ। ସେମାନଙ୍କୁ କେବଳ ସାଲାଇନ୍‌ ଦିଆଯାଉଛି। ଏକ ସପ୍ତାହ ଉଭୟଙ୍କୁ ଅନୁଧ୍ୟାନ କରାଯିବ। ଆବଶ୍ୟକ ପଡ଼ିଲେ ବଡ଼ ମେଡିକାଲ୍‌ରେ କରାଯାଇଥିବା ପରୀକ୍ଷାଗୁଡ଼ିକ ଆହୁରି ଦୁଇ ତିନି ଥର କରାଯିବ’’।

ବିଶେଷଜ୍ଞଙ୍କର କହିବା କଥା ହେଉଛି, ଏ ପ୍ରକାର ଜନ୍ମଗତ ସମସ୍ୟାକୁ ‘ଖୋରାକୋ ଓମ୍‌ଫାଲୋ ପାଗସ୍‌’ ବୋଲି ଡାକ୍ତରୀ ଭାଷାରେ କୁହାଯାଇଥାଏ। ଆମେରିକୀୟ ଶିଶୁ ରୋଗ ବିଶେଷଜ୍ଞ ଏଭଳି ରୋଗ ସମ୍ପର୍କରେ ଚାଞ୍ଚଲ୍ୟକର ରିପୋର୍ଟ ସାମ୍‌ନାକୁ ଆଣିଛନ୍ତି। ରିପୋର୍ଟ ଆନୁଯାୟୀ ଜନ୍ମ ହେଉଥିବା ପ୍ରତି ଦଶ ଲକ୍ଷ ଶିଶୁରେ ୫ ଜଣ ଏ ପ୍ରକାର ଜନ୍ମଗତ ସମସ୍ୟାରେ ପଡ଼ୁଛନ୍ତି। ସାଧାରଣତଃ କ୍ରୋମୋଜମ୍‌ ଏବଂ ଜିନ୍‌ରେ ସମସ୍ୟା କାରଣରୁ ଶିଶୁପାଖରେ ଏଭଳି ସ୍ଥିତି ଉପୁଜିଥାଏ।

ଉଲ୍ଲେଖଯୋଗ୍ୟ, ଶିଶୁଭବନ ଆଡ୍‌ଭାନ୍ସ କେୟାର ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟରର ନିକୁ(ନିଓନାଟାଲ୍‌ ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ୍‌)ର ବେଡ୍‌ ନମ୍ବର ୨୩୦ରେ ଗଙ୍ଗା-ଯମୁନାଙ୍କ ଚିକିତ୍ସା ଚାଲିଛି। ପ୍ରତି ଏକ ଘଣ୍ଟାରେ ଥରେ ୧୨ ଜଣିଆ ଡାକ୍ତରୀ ଦଳ ଗତ ଦୁଇ ଦିନ ହେବ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଓ୍ଵାର୍ଡକୁ ଆସୁଛନ୍ତିି। ଆଜି ସକାଳେ ୮ ଜଣ ଡାକ୍ତର ଆସି ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଟିକିନିଖି ଯାଞ୍ଚ୍‌ କରିଥିଲେ। ମଧ୍ୟାହ୍ନ ୧୨ଟା ବେଳେ ଶିଶୁଭବନ ପରିସରରେ ଉଭୟଙ୍କ ଏକ୍ସରେ କରାଯାଇଥିଲା। କଟକ ବଡ଼ ମେଡିକାଲ୍‌ରେ ପରୀକ୍ଷା ହୋଇଥିବା ଅଲ୍‌ଟ୍ରାସାଉଣ୍ଡ, ଇକୋ, ସିିଟି ସ୍କାନ୍‌ ରିପୋର୍ଟ ଏବଂ ଶିଶୁଭବନର ଏକ୍ସରେ ରିପୋର୍ଟ ଆସନ୍ତାକାଲି ଆସିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ନୟାଗଡ଼ ଜିଲ୍ଲା ଖାଲିଆପାଟଣାର କିଶୋର ଦତ୍ତ ଏବଂ ସୁମିତ୍ରା ଦତ୍ତଙ୍କ ଶିଶୁ କନ୍ୟା ଗଙ୍ଗା-ଯମୁନା ଶୁକ୍ରବାର ଜନ୍ମ ହେବା ପରେ ବିଳମ୍ବିତ ରାତିରେ ଶିଶୁଭବନରେ ଦୁହିଁଙ୍କୁ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ପେଟ ଓ ଛାତି ଯୋଡ଼ି ରହିଛି। ଉଭୟଙ୍କ ଚିକିତ୍ସା ଓ ଅପରେସନ୍‌ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର