ଜବରଦଖଲରେ ଫସିଛି କଟକ ଶିଶୁଭବନ: ମୁଖ୍ୟ ଫାଟକକୁ ମାଡ଼ିବସିଲେଣି; ଆମ୍ବୁଲାନ୍ସ ଯିବାକୁ ବାଟ ପାଉନି

ବେଆଇନ ପାର୍କିଂ ପାଇଁ ଫାଟକ ବନ୍ଦ; ରୋଗୀ ସଂପର୍କୀୟ, କର୍ମଚାରୀ ସମସ୍ୟାରେ

କଟକ : ୫୬ ବର୍ଷ ଧରି ରାଜ୍ୟର ଏକମାତ୍ର ଶିଶୁ ରୋଗ ଡାକ୍ତରଖାନା ଭାବେ ପରିଗଣିତ ହୋଇ ଆସୁଥିବା ଶିଶୁଭବନ ମୁଖ୍ୟ ଫାଟକ ବି ଜବରଦଖଲରେ। ରାସ୍ତାକୁ ଏବେ ହୋଟେଲ୍ ବ୍ୟବସାୟୀ ଓ ଉଠା ଦୋକାନୀ ଏକପ୍ରକାର ଜବରଦଖଲ କରିନେଇଛନ୍ତି। ଶିଶୁଭବନ ପଛପଟ ଗେଟର ସ୍ଥିତି ଆହୁରି ସଂଗିନ। ଅଟୋ ଚାଳକମାନେ ପଛ ଗେଟ୍ ସାମନାକୁ ଜବରଦଖଲ କରି ନେଇଥିବାରୁ ଶିଶୁଭବନକୁ ରିଙ୍ଗ ବନ୍ଧ ବାଟେ ଆମ୍ବୁଲାନ୍ସ ପଶିବାକୁ ବି ଅନେକ ସମୟରେ ବାଟ ପାଉନାହିଁ। ସାରା ସହରରେ ଜବରଦଖଲକାରୀଙ୍କୁ ପୁଲିସ ଓ ସିଏମ୍‌ସି ଉଚ୍ଛେଦ କରୁଥିବା ବେଳେ ଶିଶୁଭବନ ସାମନାରେ ଲାଲବାଗ ଥାନା ରହିଥିଲେ ବି ଏ କ୍ଷେତ୍ରରେ ଉଭୟ ପୁଲିସ ଓ ପ୍ରଶାସନର ଅସ୍ବାଭିବକ ନିରବତା ସନ୍ଦେହର କାରଣ ହୋଇଛି।

ଶିଶୁଭବନ ମେଡିକାଲ୍ ଓାର୍ଡ-୧ ଓ କାଜୁଆଲିଟି ସାମନାରେ ଘରୋଇ ଆମ୍ବୁଲାନ୍ସ ଓ କାର୍ ପାର୍କିଂ ହେବାରୁ ୨୦୧୫-୧୬ରେ ବଡ଼ ବିଚିତ୍ର ନିଷ୍ପତ୍ତି ନେଇଥିଲେ ଶିଶୁଭବନ ଓ କଟକ ଜିଲ୍ଲା ପ୍ରଶାସନ। ଲାଲବାଗ ଥାନା ପଟେ ଥିବା ଶିଶୁଭବନର ମୁଖ୍ୟ ଗେଟ୍ ବନ୍ଦ କରି ଦିଆଯାଇଥିଲା। ହସପିଟାଲ କର୍ତ୍ତୃପକ୍ଷ ସୁରକ୍ଷାକର୍ମୀ ମୁତୟନ କରି ବେଆଇନ ପାର୍କିଂ ରୋକିବା ବଦଳରେ ମୁଖ୍ୟ ଗେଟରେ ତାଲା ପକାଇ ଦିଆଗଲା। କେବଳ ମୁଖ୍ୟ ଗେଟ କଡ଼ରେ ଥିବା ଗୋଟିଏ ଛୋଟ ଗେଟ୍ ଦୁଇ ଚକିଆ ଯାନ ଚଳାଚଳ ପାଇଁ ଖୋଲା ରହିଲା। ବଡ଼ ଗାଡ଼ି ରିଙ୍ଗ ବନ୍ଧରେ ଆସି ଶିଶୁଭବନ ପଛପଟ ଗେଟରେ ଭିତରକୁ ପ୍ରବେଶ କଲା। କିନ୍ତୁ ଯେଉଁ କାରଣରୁ ମୁଖ୍ୟ ଫାଟକ ବନ୍ଦ କରାଯାଇଥିଲା ଏହାଦ୍ବାରା ରୋଗୀ ହିଁ ଏବେ ସିଧାସଳଖ ପ୍ରଭାବିତ ହେଉଛନ୍ତି। ଘରୋଇ ଗାଡ଼ି ଚାଳକମାନେ ପଛପଟ ଗେଟ୍ ବାଟେ ଗାଡ଼ି ଆଣି ପୂର୍ବ ଭଳି ଶିଶୁଭବନ ଭିତରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଛନ୍ତି। ସାମ୍‌ନା ପଟ ରାସ୍ତାରେ ବାଇକ୍ ଚାଳକ ଆସିବା ପାଇଁ ଯେଉଁ ଛୋଟ ଗେଟ୍ ଥିଲା ସେହି ରାସ୍ତାରେ ଏବେ ସାଇକେଲ୍ ଖଣ୍ଡେ ବି ଆସିବା ସମ୍ଭବପର ହେଉନାହିଁ।

ରାସ୍ତା ଦୁଇ ପଟେ ବ୍ୟବସାୟୀମାନେ ଜବରଦଖଲ କରି ହୋଟେଲ୍ ଖୋଲି ଦେଇଥିବା ବେଳେ ରାସ୍ତା ମଝିରେ ଉଠା ଦୋକାନୀମାନେ ଅକ୍ତିଆର କରିନେଇଛନ୍ତି। ଆଉ ଯେଉଁ ସ୍ଥାନ ଖାଲି ପଡ଼ିଛି, ସେଠି ବି ଗାଡ଼ି ପାର୍କିଂ ହେଉଛି। ସମ୍ପୂର୍ଣ୍ଣ ଭାବେ ଏହି ରାସ୍ତା ଏବେ ଜବରଦଖଲକାରୀଙ୍କ ନିୟନ୍ତ୍ରଣରେ। ଶିଶୁଭବନ ନିରାମୟ କେନ୍ଦ୍ରରେ କୌଣସି ଔଷଧ ନମିଳିଲେ କିମ୍ବା କୌଣସି ନମୁନା ପରୀକ୍ଷା ପାଇଁ ରୋଗୀଙ୍କୁ ଚାନ୍ଦିନୀଚୌକ ଛକ ଯିବାକୁ ହେଲେ ସାମନା ପଟ ଗେଟରେ ଆସିବା ଆଉ ସମ୍ଭବପର ହେଉନାହିଁ। ରିଙ୍ଗ୍‌ ବନ୍ଧ ବାଟ ଦେଇ ଡିପିଓ ଗଡ଼ାରେ ହାଇକୋର୍ଟ ଛକ ରାସ୍ତାରେ ଚାନ୍ଦିନୀଚୌକ ଆସିବାକୁ ପଡ଼ୁଛି। ଶିଶୁ ଭବନକୁ ଦୈନିକ ହାରାହାରି ୪୦୦ରୁ ୪୫୦ ଶିଶୁରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଶିଶୁଭବନକୁ କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ଝାଡ଼ଖଣ୍ଡ, କଲିକତା, ବିହାରରୁ ଶିଶୁରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି। ଶିଶୁଭବନକୁ ୫୫ରୁ ୬୦ଟି ଆମ୍ବୁଲାନ୍ସ ଦୈନିକ ଆସୁଛି। ଆମ୍ବୁଲାନ୍ସ ବାଦ୍ ରୋଗୀଙ୍କୁ ନେଇ ଘରୋଇ ଚାରି ଚକିଆ ଓ ଦୁଇ ଚକିଆ ଗାଡ଼ି ସଂଖ୍ୟା ୩୦୦ ଟପିଯାଉଛି। ଚାନ୍ଦିନୀଚୌକ, ନିମଚଉଡ଼ି, ବୁଢ଼ୀ ଠାକୁରାଣୀ, କାଳୀଗଳିରେ ଶିଶୁଭବନ ଅଧିକାଂଶ ନର୍ସ ଭଡ଼ାରେ ରହୁଛନ୍ତି। ଶିଶୁଭବନ କ୍ୟାମ୍ପସରେ ପ୍ରାୟ ୭୦ କ୍ବାର୍ଟରରେ କର୍ମଚାରୀମାନେ ପରିବାର ସହିତ ରହୁଥିବା ବେଳେ ସେମାନେ ବି ଚାନ୍ଦିନୀଚୌକ ବଜାର ଉପରେ ନିର୍ଭରଶୀଳ। କିନ୍ତୁ ସେମାନଙ୍କ ପାଇଁ ମୁଖ୍ୟ ଫାଟକ ବାଟେ ରାସ୍ତା ନାହିଁ।

ଏବେ ଯେଉଁଠି ସାମ୍‌ନା ପଟ ଗେଟ ରହିଛି, ତାକୁ ମୁଖ୍ୟ ରାସ୍ତା ନିକଟକୁ ଉଠାଇ ଆଣିବାକୁ ଶିଶୁଭବନ କର୍ତ୍ତୃପକ୍ଷ ଯୋଜନା କରିଥିଲେ। ରାସ୍ତା ଦୁଇ ପଟେ ଥିବା ହୋଟେଲ୍ ଓ ଅନ୍ୟ ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ କରି ପାଚେରୀ ଉଠାଇବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ମୁଖ୍ୟ ରାସ୍ତାରୁ ବର୍ତ୍ତମାନ ଯେଉଁଠି ମୁଖ୍ୟ ଗେଟ୍ ରହିଛି, ସେ ପର୍ଯ୍ୟନ୍ତ ତଳ ଭାଗ ଗଲା ଦୁଇ ବର୍ଷ ତଳେ ଢଳେଇ ବି ପଡ଼ିଥିଲା। କିନ୍ତୁ ଏସବୁ ଯୋଜନା ଆଜି ପର୍ଯ୍ୟନ୍ତ ବାସ୍ତବ ରୂପ ନେଇପାରିଲା ନାହିଁ। ଲାଲବାଗ ଥାନା ଆଇଆଇସି ରବିନାରାୟଣ ଭଞ୍ଜ କହିଛନ୍ତି ଯେ ଶିଶୁଭବନ ସାମନା ପଟ ଗେଟରେ ଏଭଳି ଜବରଦଖଲ ଉପରେ ନଜର ରଖାଯାଇଛି। ଖୁବଶୀଘ୍ର ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ଅନ୍ୟପଟେ ସିଏମସି ଡେପୁଟି କମିସନର(ଏନଫୋର୍ସମେଣ୍ଟ) ଅବିନାଶ ରାଉତ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର