ମୋଦିଙ୍କ ‘ମନ୍‌ କି ବାତ୍‌’ରେ ପ୍ରକାଶ ରାଓ

କଟକ ଗସ୍ତବେଳେ ହୋଇଥିଲେ କଥାବାର୍ତ୍ତା

କଟକ : ‘‘ରାଓ ସାହେବ୍‌! ଆପଣଙ୍କ ବିଷୟରେ ଅନେକ ଶୁଣିଛି। ପିଲାମାନଙ୍କ ବିଷୟରେ କହନ୍ତୁ। ଚା’ ବିକି ଏତେ କାମ କରୁଛନ୍ତି କିପରି? ଆପଣ ଅନ୍ୟମାନଙ୍କ ପାଇଁ ଉଦାହରଣ।’’ ଇଏ ଥିଲା ବିଶିଷ୍ଟ ସମାଜସେବୀ ଡି.ପ୍ରକାଶ ରାଓଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବେଗଭରା ଉକ୍ତି। ଏଇ କେଇ ପଦ କଥା ପ୍ରକାଶ ରାଓଙ୍କ ସମେତ ପିଲାମାନଙ୍କୁ ଅସୀମ ପ୍ରେରଣା ଓ ପ୍ରୋତ୍ସାହନ ଦେଇଛି। ଆଜି ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମରେ ଡି.ପ୍ରକାଶ ରାଓଙ୍କ ନାମ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଉଚ୍ଚାରଣ କରିବା ସହିତ ତାଙ୍କୁ ପ୍ରଶଂସା କରିଥିଲେ।

ଗତକାଲି କଟକ ବାଲିଯାତ୍ରା ପଡ଼ିଆ ଜନକଲ୍ୟାଣ ସମାବେଶ ପୂର୍ବରୁ ସମାଜସେବୀ ଡି.ପ୍ରକାଶ ରାଓଙ୍କ ସମେତ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆଶା ଓ ଆଶ୍ୱାସନା ବସ୍ତି ସ୍କୁଲ’ର ୧୫ଜଣ ଛାତ୍ରଛାତ୍ରୀଙ୍କୁ ମଞ୍ଚ ପାଖ ପ୍ରକୋଷ୍ଠରେ ଭେଟିଥିଲେ। ସେମାନଙ୍କ ସହିତ ୧୮ମିନିଟ୍‌ ଧରି ମନଖୋଲା କଥା ହୋଇଥିଲେ ମୋଦି। ପଚାରିଥିଲେ, ତୁମେମାନେ ଜୀବନରେ କ’ଣ ହେବ ? ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, କଣ୍ଠଶୀଳ୍ପୀ… ହେବେ ବୋଲି ପିଲାମାନେ ଉତ୍ତର ଦେଇଥିଲେ। ‘କଣ୍ଠଶିଳ୍ପୀ’ ଉତ୍ତର ରଖିଥିବା ଇନ୍ଦିରାଗାନ୍ଧୀ ମହିଳା କଲେଜ ଯୁକ୍ତ ଦୁଇ ଛାତ୍ରୀ କେ.ରେଣୁକାଙ୍କୁ ଗୀତ ବୋଲିବାକୁ କହିଥିଲେ ମୋଦି। ରେଣୁକାଙ୍କ କଣ୍ଠରୁ ‘ନିଦଭରା ରାତି, ମଧୁଝରା ଜହ୍ନ, ଏକା ଏକା ଭଲ ଲାଗେନା…’ ଶୁଣି ତଟସ୍ଥ ହୋଇଥିଲେ ପ୍ରଧାନମନ୍ତ୍ରୀ। ପଞ୍ଚମ ଶ୍ରେଣୀର ଛାତ୍ରୀ ଜ୍ୟୋତି ରୋଷେଇ କରୁଥିବା ଜାଣି ତାକୁ କ’ଣ ରୋଷେଇ ଆସିବ ବୋଲି ସେ ପ୍ରଶ୍ନ କରିଥିଲେ। ଉତ୍ତର ମିଳିଥିଲା, ଭାତ-ଡାଲ୍‌ମା। ଡାଲ୍‌ମା ବିଷୟରେ ସେ ପଚାରି ବୁଝିଥିଲେ। ଆଗାମୀ ଦିନରେ କଟକ ଆସିଲେ, ତୁମ ଘରେ ଡାଲ୍‌ମା ଖାଇବି ବୋଲି ମୋଦି ଜ୍ୟୋତିକୁ କହିଥିଲେ। ଏହିପରି ଗୋଟି ଗୋଟି କରି ୧୫ଜଣ ପିଲାଙ୍କ ସହିତ କଥା ହୋଇଥିଲେ ମୋଦି। ପ୍ରକାଶ ରାଓଙ୍କ ସହ ଚା’ ଦୋକାନ, ସ୍କୁଲ, ରକ୍ତଦାନ, ସମାଜସେବା ଆଦି ବିଷୟରେ ଆଲୋଚନା କରିବା ପରେ ରାଓଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଗୁରୁଙ୍କ କଥା ମାନିବା, ମନଦେଇ ପାଠ ପଢ଼ିବା, ସମାଜ ପାଇଁ କିଛି କରିବା ପାଇଁ ପିଲାମାନଙ୍କୁ ଉପଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୨୫ ତାରିଖ ଶୁକ୍ରବାର ଅପରାହ୍‌ଣରେ ଦିଲ୍ଲୀ ପିଏମ୍‌ଓ ଅଫିସ୍‌ରୁ ପ୍ରକାଶ ରାଓଙ୍କ ମୋବାଇଲ୍‌କୁ ଫୋନ୍‌ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ତାରିଖ ଦିନ କଟକରେ ପ୍ରକାଶଙ୍କୁ ଭେଟିବାକୁ ଚାହୁଁଥିବା ଖବର ମିଳିଥିଲା। ଏଥିରେ ପ୍ରକାଶ ରାଓ ଉତ୍ସାହିତ ହୋଇଥିଲେ। ୨୬ତାରିଖ ସମାବେଶ ଅପରାହ୍‌ଣ ୫ଟାରେ ପ୍ରକାଶ ରାଓ, କେ.ରେଣୁକା, ବି.ଜୟା, ନୀଳାଦ୍ରୀ, ଜ୍ୟୋତି, ରାମଲକ୍ଷ୍ମୀଙ୍କ ସମେତ ୧୫ଜଣ ଛାତ୍ରଛାତ୍ରୀଙ୍କୁ ଧରି ମୋଦିଙ୍କୁ ଭେଟିବାକୁ ଯାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଡିଏମ୍‌ ରଘୁରାମ ଆର୍‌.ଆୟାର ପିଲାମାନଙ୍କୁ ନେଇ ବାଲିଯାତ୍ରା ପଡ଼ିଆ ସ୍ଥିତ ମୋଦିଙ୍କ ଅସ୍ଥାୟୀ ପ୍ରକୋଷ୍ଠରେ ଭେଟ କରିବାର ବ୍ୟବସ୍ଥା କରିଥିଲେ। ଅପରାହ୍ନ ୪ଟା ୪୫ମିନିଟ୍‌ରୁ ୫ଟା ୩ ପର୍ଯ୍ୟନ୍ତ ପ୍ରକାଶ ରାଓଙ୍କ ସମେତ ପିଲାଙ୍କ ସହିତ ସେ ମନଖୋଲା କଥା ହୋଇଥିଲେ। ଶ୍ରୀ ରାଓ ୨ଶହରୁ ଅଧିକ ଥର ରକ୍ତଦାନ କରିଥିବା ଜାଣି ବିଶେଷ ଆନନ୍ଦ ପ୍ରକଟ କରିଥିଲେ ମୋଦି। ଜୀବନରେ ଅନେକ କଷ୍ଟ କରିଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହିତ ଏଇ କେଇ ମିନିଟ୍‌ କଥାବାର୍ତ୍ତା ଜୀବନର ସବୁ କଷ୍ଟକୁ ଲାଘଭ କରିଛି ବୋଲି କହିଛନ୍ତି ଶ୍ରୀ ରାଓ। ମୁଁ ମୋ କାମ କରିଚାଲିଛି। ବାସ୍‌, ଆଉ ସବୁ ଆପେ ଆପେ ମିଳିଛି ବୋଲି ଆନନ୍ଦରେ ପ୍ରକାଶ କରିଛନ୍ତି ପ୍ରକାଶ ରାଓ।

ସମ୍ବନ୍ଧିତ ଖବର