କଟକ (ସୀମନ୍ତିକା ନନ୍ଦ): କଟକ ଜିଲ୍ଲାର ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ମଧ୍ୟରୁ ପ୍ରାୟ ଅଧିକାଂଶ ଆସନରେ ଏଥର ବିଜେପିର ନୂଆ ଚେହେରା ଦେଖିବାକୁ ମିଳିବେ ବୋଲି ଆକଳନ କରାଯାଉଛି। ବିଶେଷକରି ବିଧାନସଭା ଆସନଗୁଡ଼ିକରେ ଏକାଧିକ ଆଶାୟୀ ମୁଣ୍ଡ ଟେକି ଥିବା ବେଳେ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ଏହା ସରଗରମ କରିଛି। କଟକ ଲୋକସଭା କ୍ଷେତ୍ରରେ ବାରବାଟୀ-କଟକ, ଚୌଦ୍ବାର-କଟକ, କଟକ ସଦର, ବାଙ୍କୀ, ଆଠଗଡ଼ ଓ ବଡମ୍ବା ବିଧାନସଭା କ୍ଷେତ୍ର ରହିଥିବାବେଳେ ସାଲେପୁର ଓ ମାହାଙ୍ଗା ବିଧାନସଭା ମଣ୍ଡଳୀ କେନ୍ଦ୍ରାପଡ଼ା, ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ନିଆଳି ଯାଉଛି। କଟକ ଲୋକସଭା ଆସନରୁ ଏଥର ଦଳ ବିଶିଷ୍ଟ ଚିକିତ୍ସାବିତ୍ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଦଳ ଭିତରେ ଲୋକସଭା ଆସନ ପାଇଁ ଆଉ କେହି ଦାବିଦାର ମୁଣ୍ଡ ଟେକି ନଥିବା ବେଳେ ଗତ ନିର୍ବାଚନର ପ୍ରାର୍ଥୀ ପୂର୍ବତନ ଡିଜି ପ୍ରକାଶ ମିଶ୍ର ବି ଆଉ ବିଶେଷ ଦେଖିବାକୁ ମିଳୁ ନାହାନ୍ତି।
ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଦିନ ଧରି ଅଖଣ୍ଡ ପ୍ରଭାବ ରଖି ଆସିଥିବା ପୂର୍ବତନ ମନ୍ତ୍ରୀ ସମୀର ଦେ ସ୍ବାସ୍ଥ୍ୟଗତ କାରଣରୁ ବାହାରକୁ ବାହାରି ପାରୁ ନଥିବା ବେଳେ ଏହି ଆସନ ପାଇଁ ଏଯାଏ କେହି ଖୋଲାଖୋଲି ଆଗ୍ରହ ପ୍ରକାଶ କରି ନଥିଲେ ବି ଭିତରେ ଭିତରେ ଅଭିଯାନ ଜାରି ରଖିଛନ୍ତି। ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଲକ୍ଷ୍ମୀଧର ପ୍ରଧାନ, ବରିଷ୍ଠ ଆଇନଜୀବୀ ସୌର ମହାପାତ୍ରଙ୍କ ଭଳି ଅନେକ ନେତାଙ୍କ ନାମ ବି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଛି। କଟକ ସଦର ଆସନରୁ ପୂର୍ବରୁ ପ୍ରତିଦ୍ବନ୍ଦ୍ବିତା କରି ଆସିଥିବା ଦିଲ୍ଲୀପ ମଲ୍ଲିକ ପୁଣି ପ୍ରାର୍ଥୀ ହେବେ ନା ପ୍ରଦୀପ ବେହେରା, ଇଂଜିନିୟର ପ୍ରକାଶ ସେଠୀଙ୍କ ଭଳି ନୂଆ ଚେହେରା ସାମନାକୁ ଆସିବେ, ତାହାକୁ ନେଇ ଏବେ ଆକଳନ ଆରମ୍ଭ ହୋଇଛି। ଚୌଦ୍ବାର-କଟକ ଆସନରୁ ଲଢ଼ି ଆସୁଥିବା ବରିଷ୍ଠ ନେତା ନୟନ କିଶୋର ମହାନ୍ତି ଏବେ ବି ପ୍ରମୁଖ ଦାବିଦାର ଥିବା ବେଳେ ପ୍ରମୋଦ ସାହୁ, ସନ୍ତୋଷ ମହାନ୍ତି, ଅଭିନେତା ଶ୍ରୀତମ ଦାସ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି। ନିଆଳି ନିର୍ବାଚନମଣ୍ଡଳୀରୁ ଗତ ନିର୍ବାଚନର ପ୍ରାର୍ଥୀ ଛବି ମଲ୍ଲିକଙ୍କ ସହିତ ସୁଶାନ୍ତ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ବେଣୁଧର ବେହେରା ପ୍ରମୁଖ ଦାବିଦାର ଅଛନ୍ତି। ଆଠଗଡ଼ ନିର୍ବାଚନମଣ୍ଡଳୀରୁ ଗତ ନିର୍ବାଚନରେ ବ୍ରଜେନ୍ଦ୍ର ରାୟ ପ୍ରାର୍ଥୀ ଥିବା ବେଳେ ଏବେ ଅଭୟ ବାରିକଙ୍କ ନାମ ସାମନାକୁ ଆସିଛି। ବାଙ୍କୀରେ ୨୦୧୯ରେ ଶୁଭ୍ରାଂଶୁ ମୋହନ ପାଢୀ ଦଳର ପ୍ରାର୍ଥୀ ହୋଇଥିଲେ।
ଜିଲ୍ଲାପରିଷଦ ସଭ୍ୟ ତୁଷାର ଚକ୍ରବର୍ତ୍ତୀ ପ୍ରାର୍ଥୀ ହେବା ଆଶାରେ ନିଜର ରଣନୀତି ପ୍ରସ୍ତୁତିରେ। ବଡ଼ମ୍ବାରେ ଗତ ନିର୍ବାଚନରେ ପ୍ରାର୍ଥୀ ଥିବା ବିଜୟ ଦଳବେହେରା ନିଜର ସମର୍ଥକକୁ ଧରି ସଙ୍ଗଠନ ଚଳାଇଥିବା ବେଳେ ଗତକାଲି ଆଇଆରଏସ୍ ଅଧିକାରୀ ସମ୍ବିତ ତ୍ରିପାଠୀ ବିଜେପିରେ ଯୋଗଦେବା ପରେ ଏହି ଆସନ ପାଇଁ ବି କସରତ ଆରମ୍ଭ ହୋଇ ଯାଇଛି। କେବଳ ସାଲେପୁର ଓ ମାହାଙ୍ଗା ଆସନ ପାଇଁ ଯଥାକ୍ରମେ ବିଜେପିର ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ପ୍ରକାଶ ବେହେରା ଓ ପୂର୍ବରୁ ପ୍ରାର୍ଥୀ ହୋଇ ଆସୁଥିବା ସାରଦା ପ୍ରଧାନଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି ବୋଲି କୁହାଯାଉଛି। ଯେଉଁସବୁ ଆସନରେ ବିଜେପିରୁ ଏକାଧିକ ଆଶାୟୀ ଟିକଟ ପାଇଁ କସରତ ଆରମ୍ଭ କରିଛନ୍ତି, ସେଠାରେ ନିର୍ବାଚନ ବେଳକୁ ଦଳ କିଭଳି ସଂଗଠିତ ହୋଇ ପ୍ରତିଦ୍ବନ୍ଦ୍ବିତା କରିବ, ତାହା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।