ପାରାଦୀପରୁ ଯାତ୍ରୀବାହୀ ଟ୍ରେନ୍‌ ସବୁଦିନ ବିଳମ୍ବ : ବିକ୍ଷୋଭ, ରେଳରୋକ ପରେ ବି ସୁଧୁରୁନି ସ୍ଥିତି

ଜଗତସିଂହପୁର : କଟକ-ପାରାଦୀପ ରେଳ ଚଳାଚଳରେ ବାରମ୍ବାର ବିଳମ୍ବ ହେଉଛି। କୌଣସି କାରଣ ନଥାଇ ଜାଣିଶୁଣି ରେଳ ଚଳାଚଳରେ ବିଳମ୍ବ କରାଯାଇଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ପାରାଦୀପରୁ ବିଶେଷ କରି ଜଗତସିଂହପୁର ଜିଲ୍ଲାର ଅନେକ ଲୋକ କଟକ ଓ ଭୁବନେଶ୍ୱରରେ ଚାକିରି କରୁଥିବାରୁ ସେମାନେ ଟ୍ରେନ୍‌ ଉପରେ ନିର୍ଭର କରି ସମସ୍ୟାରେ ପଡ଼ୁଛନ୍ତି। ଅନ୍ୟପଟେ ବନ୍ଦର ପଣ୍ୟ କାରବାର ପାଇଁ ଚଳାଚଳ କରୁଥିବା ମାଲବାହୀ ଟ୍ରେନ୍‌ ଯୋଗୁଁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ଏଭଳିି ବିଳମ୍ବ ହେଉଛି ବୋଲି ଷ୍ଟେସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କଟକ-ପାରାଦୀପ ସିଙ୍ଗିଲ୍‌ ଲାଇନ୍‌ ହୋଇଥିବାରୁ ଏଭଳି ସମସ୍ୟା ଉପୁଜୁଛି।

ଯାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ପାରାଦୀପରୁ କଟକ ଚଳାଚଳ କରୁଥିବା ୫୮୪୩୫ ଓ ୫୮୪୦୧ ଭଦ୍ରକ-କଟକ-ପାରାଦୀପ ଟ୍ରେନ୍‌ ତଥା ୫୮୪୦୨ ପାରାଦୀପ-କଟକ ଟ୍ରେନ୍‌ ନିୟମିତ ବିଳମ୍ବରେ ଆସୁଛି। ୫୮୪୩୫ ଓ ୫୮୪୦୧ ଭଦ୍ରକ-କଟକ-ପାରାଦୀପ ଟ୍ରେନ୍‌ଟି ସକାଳ ୬ଟା ୩୦ରେ ପାରାଦୀପ ଆସୁଥିବା ବେଳେ ୫୮୪୦୨ ପାରାଦୀପ-କଟକ ଟ୍ରେନ୍‌ଟି ୧ଟା ୩୦ରେ ଆସୁଛି। ମାତ୍ର ଏହି ଦୁଇଟି ଟ୍ରେନ୍‌ ଆଦୌ ଠିକଣା ସମୟରେ ପାରାଦୀପ ଛାଡ଼ୁନାହାନ୍ତି। ଫଳରେ ବିଭିନ୍ନ ଷ୍ଟେସନରେ ଅପେକ୍ଷା କରୁଥିବା ଯାତ୍ରୀମାନଙ୍କର ଯିବା ଆସିବା କରିବାରେ ବହୁ ସମସ୍ୟା ସୃଷ୍ଟି ହୋଇଛି। ଜଗତସିଂହପୁର ଜିଲ୍ଲାରୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଚାକିରି କରୁଥିବା ଯାତ୍ରୀମାନେ ଠିକଣା ସମୟରେ ପହଞ୍ଚି ପାରୁ ନାହାନ୍ତି। ପ୍ରତ୍ୟେକ ଦିନ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଯା୍ରତୀମାନେ ବାରମ୍ବାର ଏ ନେଇ ରେଳ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ନ ମିଳିବାରୁ ନିକଟରେ ରଘୁନାଥପୁରରେ ରେଳରୋକ କରିଥିଲେ। ବିଭାଗୀୟ ଅଧିକାରୀମାନେ ଉତ୍ତ୍ୟକ୍ତ ଯାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ଏହି ରେଳ ରୋକ ହଟିଥିଲା। ଯାତ୍ରୀମାନେ ନିର୍ଦ୍ଦିଷ୍ଟ ଜଣେ ରେଳ ବିଭାଗ ଅଧିକାରୀଙ୍କ ମନମାନିରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ଆଣିଥିଲେ। ମାତ୍ର ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏ ସମସ୍ୟା ଦୂର କରିବା ସହଜ ହେଉନାହିଁ। ପାରାଦୀପ ବନ୍ଦରକୁ ପଣ୍ୟ କାରବାର ବଢି ଚାଲିଥିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନ ପାଗ ଖରାପ ରହୁଥିବାରୁ ପଣ୍ୟ ଖଲାସ ହେବାରେ ବିଳମ୍ବ ହେଉଛି। ଏହି ଲାଇନରେ ଅଧିକ ମାଲବାହୀ ଟ୍ରେନ୍‌ ଚଳାଚଳ କରୁଥିବାରୁ ତାହାର ସମୟ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ପ୍ରଭାବିତ କରୁଛି। ପାରାଦୀପ ଓ କଟକ ମଧ୍ୟରେ ସିଙ୍ଗିଲ୍‌ ଲାଇନ୍‌ ଥିବାରୁ ଅଧିକ ମାଲବାହୀ ଟ୍ରେନ୍‌ ଚଳାଚଳ ଯାତ୍ରୀବାହୀ ଟ୍ରେନ୍‌ ସମୟକୁ ବିଳମ୍ବିତ କରୁଛି। ଏଣୁ ନିୟମିତ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ କ୍ଷେତ୍ରରେ ଯୋଜନାବଦ୍ଧ ନିୟମ ନକଲେ ସମସ୍ୟା ସହଜରେ ସୁଧୁରିବ ନାହିଁ ବୋଲି ସଂପୃକ୍ତ ଅଧିକାରୀ ମତ ଦେଇଛନ୍ତି। କିନ୍ତୁ ବାଣିଜ୍ୟିକ କାରବାର ପାଇଁ ଯାତ୍ରୀମାନଙ୍କ ସ୍ୱାର୍ଥକୁ ଏଭଳି ସଂପୂର୍ଣ୍ଣ ଅଣଦେଖା କରିବାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର