କଟକ : କଟକ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ନିର୍ବାଚନରେ ମତଦାନ ହାର ମାତ୍ର ୫ପ୍ରତିଶତ। ୪୨ହଜାର ୮୨ ଭୋଟରଙ୍କ ମଧ୍ୟରୁ ମାତ୍ର ୨ହଜାର ୧୦୯ ଜଣ ଭୋଟ୍ ଦେଇଥିବା ଜଣାପଡିଛି। ୩୯ହଜାର ୯୭୩ଜଣ ଭୋଟର କାହିଁକି ଭୋଟ୍ଦାନରୁ ବିରତ ରହିଲେ ତାକୁ ନେଇ ସବୁ ମହଲରେ ଚର୍ଚ୍ଚା। ତେବେ, ନିର୍ବାଚନରେ ବାଜିମାତ୍ କରିଛନ୍ତି ବିଜେଡି ପ୍ୟାନେଲ୍ର ପ୍ରାର୍ଥୀମାନେ। ୧୧ଟି ନିର୍ଦ୍ଦେଶକ ପଦପାଇଁ ହୋଇଥିବା ନିର୍ବାଚନରେ କେବଳ ୨ ନମ୍ବର ଜୋନ୍ରେ ବିଜେଡି ପ୍ୟାନେଲ୍ର ସଂଜୟ ଜେନାଙ୍କୁ ବାଦ୍ ଦେଲେ ଅନ୍ୟ ୧୦ଟି ଆସନରେ ଦଳୀୟ ନିର୍ଦ୍ଦେଶକମାନେ ବିଜୟୀ ହୋଇଛନ୍ତି। ଶ୍ରୀ ଜେନା ୨୪ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ପୂର୍ବରୁ ୪ଟି ଆସନରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଥିଲେ। ବର୍ତ୍ତମାନର ଫଳାଫଳ ଅନୁସାରେ ୧୫ଟି ନିର୍ଦ୍ଦେଶକ ପଦରୁ ୧୪ଟି ବିଜେଡି ହାତରେ ରହିଛି। ଆଜିର ନିର୍ବାଚନ ଓ ଫଳାଫଳ ଘୋଷଣା ପରେ କିଏ ବ୍ୟାଙ୍କ ସଭାପତି ଆସନରେ ବସିବେ ତାକୁ ନେଇ ଚର୍ଚ୍ଚା ଓ ଲବି ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ୧ ନମ୍ବର ଜୋନ୍ରୁ ବିଜେଡି ସମର୍ଥିତ ଇମ୍ରାନ୍ ଖାନ୍ ୧୦୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ୨ରୁ ବିଜେଡି ସମର୍ଥିତ ସଞ୍ଜୟ କୁମାର ଜେନା ୨୪ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଛନ୍ତି। ଏହି ଜୋନ୍ରୁ ସୁରେନ୍ଦ୍ର କୁମାର ଦାସ ୮୯ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ୩ ନମ୍ବର ଜୋନ୍ରୁ ବିଜେଡି ସମର୍ଥିତ ନୀଳମଣି କର ୧୧୬ଖଣ୍ଡ, ୪ରୁ ବିଜେଡି ସମର୍ଥିତ ପୂର୍ବତନ କର୍ପୋରେଟର୍ ରଞ୍ଜିତା କାହାଳୀ ୧୬୨ ଖଣ୍ଡ, ୫ନମ୍ବର ଜୋନ୍ରୁ ବିଜେଡି ସମର୍ଥିତ ସୌମ୍ୟଦ୍ବୀପ ଘୋଷ ୯୪ଖଣ୍ଡ, ୬ରୁ ବିଜେଡି ସମର୍ଥିତ ପ୍ରମୋଦ କୁମାର ଦାସ ୮୯ଖଣ୍ଡ, ୭ରୁ ବିଜେଡି ସମର୍ଥିତ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ୪୨ଖଣ୍ଡ, ୧୨ରୁ ବିଜେଡି ସମର୍ଥିତ ପୂର୍ବତନ କର୍ପୋରେଟର୍ ନବକିଶୋର ସ୍ବାଇଁ ୧୨୯ଖଣ୍ଡ, ୧୩ରୁ ଧର୍ମେଶ ନାୟକ ୧୫୪ ଖଣ୍ଡ, ୧୪ ରୁ ପୂର୍ବତନ ନିର୍ଦ୍ଦେଶକ ବିଜେଡି ସମର୍ଥିତ ପ୍ରଫୁଲ୍ଲ କୁମାର ମହାପାତ୍ର ୧୧୪ଖଣ୍ଡ ଓ ୧୫ ନମ୍ବର ଜୋନ୍ରୁ ବିଜେଡି ସମର୍ଥିତ ପୂର୍ବତନ ନିର୍ଦ୍ଦେଶକ ଲାଲା ପ୍ରତାପ ରାୟ ୧୨୩ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଅନ୍ୟପଟେ, ୧୦ ନମ୍ବର ଜୋନ୍ରୁ ପୂର୍ବତନ ବ୍ୟାଙ୍କ ସଭାପତି ଶରତ ଚନ୍ଦ୍ର ପ୍ରଧାନ, ୧୧ ନମ୍ବର ଜୋନରୁ ସଙ୍ଗୀତା ଦାସ, ୮ ନମ୍ବରରୁ ବିଶ୍ବରଞ୍ଜନ ଘଡେଇ, ୯ନମ୍ବରରୁ ପୂର୍ବତନ ନିର୍ଦ୍ଦେଶକ ତଥା କର୍ପୋରେଟର୍ ପ୍ରମିଳା ମହାନ୍ତି ପ୍ରମୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।