ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟ କରୁଥିବା ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟରୁ କେବଳ କଟକସ୍ଥିତ ସହରାଞ୍ଚଳ ସମବାୟ ବ୍ୟାଙ୍କ କ୍ଷତିରେ ଚାଲୁଛି। ଏହାବାଦ୍ ଜୟପୁର ସମବାୟ ସହରାଞ୍ଚଳ ବ୍ୟାଙ୍କ ବାର୍ଷିକ ଲାଭ କରୁଥିଲେ ହେଁ ପୁଞ୍ଜିଭୂତ କ୍ଷତି ରହିଛି। ଏହି ଦୁଇ ବ୍ୟାଙ୍କକୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସହାୟତା ପ୍ୟାକେଜ୍ ଦିଆଯାଇନାହିଁ ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟକ କହିଛନ୍ତି ଯେ ରାଜ୍ୟରେ ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ରହିଛି। ତହିଁରୁ କେବଳ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପୁଞ୍ଜିଭୂତ କ୍ଷତିରେ ଚାଲୁଛି। ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ୨୦୧୮/୧୯ବର୍ଷ ବ୍ୟତୀତ ୨୦୧୧/୧୨ବର୍ଷଠାରୁ ୨୦୨୧/୨୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଲାଭ କରିଆସୁଛି। ଚଳିତବର୍ଷ ମାର୍ଚ ୩୧ତାରିଖ ସୁଦ୍ଧା ବ୍ୟାଙ୍କର ୪୫.୭୫ଲକ୍ଷ ଟଙ୍କାର ପୁଞ୍ଜିଭୂତ କ୍ଷତି ରହିଛି। କ୍ଷତିରେ ଚାଲୁଥିବା ସମବାୟ ବ୍ୟାଙ୍କଗୁଡ଼ିକୁ ଲାଭଜନକ କରିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଉଛି। ଅଧିକ ଅଣ ବ୍ୟାଙ୍କିଂ ବ୍ୟବସାୟ ବୃଦ୍ଧି କାର୍ଯ୍ୟକ୍ଷମ ୟୁନିଟ୍କୁ ଋଣ ପ୍ରଦାନ କରି ଋଣ ଉଚିତ ଉପଯୋଗକୁ ନିଶ୍ଚିତ କରାଯାଉଛି।
ବକେୟା ଋଣ ଆଦାୟ ପାଇଁ ଉପଯୁକ୍ତ ରଣନୀତି ମୁତାବକ ଋଣ ଆଦାୟ, ଅଣ କାର୍ଯ୍ୟକାରୀ ସଂପତ୍ତି ବା ଏନ୍ପିଏ ହ୍ରାସ ପାଇଁ ପଦକ୍ଷେପ, ବିଭିନ୍ନ ଆର୍ଥିକ ନମୁନା ବୃଦ୍ଧି, ବ୍ୟାଙ୍କର ବାର୍ଷିକ ସମୀକ୍ଷା ଉଚିତ ସମୟରେ ଶେଷ କରିବା, ଉଚିତ ସମୟରେ ରିଜର୍ଭ ବ୍ୟାଙ୍କ ପରିଦର୍ଶନ ବିବରଣୀ ଓ ବାର୍ଷିକ ସମୀକ୍ଷା ବିବରଣୀର ଅନୁପାଳନ ବିବରଣୀ ପ୍ରେରଣ, ବ୍ୟାଙ୍କକୁ କମ୍ପ୍ୟୁଟରୀକରଣ କରାଯାଇ କୋର ବ୍ୟାଙ୍କିଂ ପ୍ରଚଳନ ବା ସିବିଏସ୍ କରାଯାଇଛି। ଋଣ ଆଦାୟ ପାଇଁ ଋଣୀମାନଙ୍କୁ ଋଣ ପରିଶୋଧ କରିବା ପାଇଁ ନିୟମିତ ସମବାୟ ସମିତି ଆଇନ ୧୯୬୨ର ବ୍ୟବସ୍ଥା ଅନୁଯାୟୀ ଓ ଏସ୍ଏଆରଏଫ୍ଏଇଏସ୍ଆଇ ଆଇନର ବ୍ୟବସ୍ଥା ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇ ବକେୟା ଋଣ ଓ ସୁଧ ଆଦାୟ ନିମନ୍ତେ ବ୍ୟାଙ୍କ ଦ୍ବାରା ପଦକ୍ଷେପ ଗ୍ରହଣ କରାଯାଉଛି।