ମାହାଙ୍ଗାରେ ପୂର୍ତ୍ତ ବିଭାଗରେ ଟେଣ୍ଡର ଦୁର୍ନୀତି ମାମଲା ରୁଜୁ, ୪ଜଣଙ୍କୁ ନୋଟିସ୍‌!

କଟକ: କଟକ ଭିଜିଲାନ୍ସ ମାହାଙ୍ଗା ପୂର୍ତ୍ତ ବିଭାଗ ଟେଣ୍ଡର ଦୁର୍ନୀତି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ସେପ୍ଟେମ୍ବର ୧୭ ତାରିଖ ଦିନ ଏହି ଦୁର୍ନୀତି ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଲୋକାୟୁକ୍ତ ଏହି ପ୍ରକାଶିତ ଖବର ଆଧାରରେ ରୁଜୁ ଅଭିଯୋଗର ଶୁଣାଣି କରି ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ ସହ ୪ଜଣଙ୍କୁ ନୋଟିସ୍‌ ଜାରି କରାଯାଇଥିବା ସୂଚନା ମିଳିଛି। କିନ୍ତୁ ଭିଜିଲାନ୍ସ ବିଭାଗ ତଦନ୍ତ ଚାଲିଥିବାରୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ମାହାଙ୍ଗା ପୂର୍ତ୍ତ ବିଭାଗରେ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର କରା ନ ଯାଇ ୭ କୋଟି ୭୯ ଲକ୍ଷ ୩୬ ହଜାର ୨୭ ଟଙ୍କାର ଅର୍ଥ ତୋଷାରପାତ ହୋଇଥିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ଜଣାପଡ଼ିଥିଲା। ଏହି ଘଟଣା ସଂପକର୍କରେ ପ୍ରଥମେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଲୋକାୟୁକ୍ତ କଟକ ଆର୍‌ ଆଣ୍ଡ ବି ଡିଭିଜନ୍-୨ ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍ ଜାରି କରିବା ସହ ଘଟଣାର ତଦନ୍ତ ଭିଜିଲାନ୍ସ ବିଭାଗ ଆରମ୍ଭ କରି ୬ମାସ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯିବା ସହ ୪ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ୫ ଲକ୍ଷ ଟଙ୍କାରୁ କମ୍‌ର କାମ ହୋଇଥିବାରୁ ଟେଣ୍ଡର ଆବଶ୍ୟକ ନଥିଲା ବୋଲି ନିର୍ବାହୀ ଯନ୍ତ୍ରୀ ଲୋକାୟୁକ୍ତଙ୍କ ନିକଟରେ ଉତ୍ତର ରଖିଥିବାବେଳେ ମାହାଙ୍ଗା ଆର ଆଣ୍ଡ ବି ସେକ୍ସନରେ ୨୦୧୫-୧୬, ୧୬-୧୭, ୧୭-୧୮, ୧୮-୧୯ ବର୍ଷରେ ‌ଯେଉଁ ସବୁ କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ତାହାର ସବିଶେଷ ତଥ୍ୟ ନିର୍ବାହୀ ଯନ୍ତ୍ରୀ ଲୋକାଯୁକ୍ତଙ୍କ ନିକଟରେ ଦାଖଲ କରିଥିଲେ। କ୍ଷମ‌ତାର ଅପବ୍ୟବହାର କରି ଜାଣିଶୁଣି ବଡ ପ୍ରକଳ୍ପ ଗୁଡିକୁ ଭାଙ୍ଗି ଛୋଟ ଛୋଟ ୫ ଲକ୍ଷ ଟଙ୍କା ଭିତରେ ସୀମିତ ରଖି ପ୍ରକଳ୍ପରେ ପରିଣତ କାମ କରାଯାଇଥିବା ତଦନ୍ତରୁ ଜଣାପଡିଛି।

ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଘଟଣାରେ ନୋଟିସ୍‌ ପାଇ ପୂର୍ତ୍ତ ମନ୍ତ୍ରୀ ନିଜ ମତାମତ ଲୋକାୟୁକ୍ତଙ୍କ ନିକଟକୁ ପଠାଇଥିଲେ। ମନ୍ତ୍ରୀ ପୂର୍ତ୍ତ ସଚିବଙ୍କୁ ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଚିବ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଘଟଣାରେ କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଜଣାପଡିଛି। ତ୍ରୁଟି କରିଥିବା ଅଧିକାରୀଙ୍କ ବିରୋଧରେ ଓଡ଼ିଶା ସିଭିଲ ସର୍ଭିସ ରୁଲ୍ସ, ୧୯୬୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ତ୍ରୁଟି ସୁଧାରିବାକୁ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ ରହିଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର