କଟକ/କେନ୍ଦୁଝର: ଓଡ଼ିଶା ଫୁଟ୍‌ବଲ୍‌ ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଆୟୋଜିତ ସାହାଣୀ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ କଟକ ବିଜେତା ହୋଇଛି। ଦୁଇ ମ୍ୟାଚ୍‌ ବିଶିଷ୍ଟ ଫାଇନାଲ୍‌ରେ ଏହି ଦଳ ସମ୍ବଲପୁରକୁ ୨-୧ରେ ହରାଇଛି। ବୌଦ୍ଧରେ ‌ଖେଳାଯାଇଥିବା ପ୍ରଥମ ଫାଇନାଲ୍‌ରେ କଟକ ୧-୦ରେ ବିଜୟୀ ହୋଇଥିଲା। ରବିବାର କେନ୍ଦୁଝର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଫାଇନାଲ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫଳରେ କଟକ ୨-୧ ଅଗ୍ରଣୀ ସହ ବିଜେତା ହୋଇଥିଲା। ରବିବାର ଦ୍ୱିତୀୟ ପର୍ଯ୍ୟାୟ ଫାଇନାଲ୍‌ ୪୦ତମ ମିନିଟରେ କଟକର ଲାଖାଇ ମୁର୍ମୁ ଏକ ଦର୍ଶନୀୟ ଗୋଲ୍‌ କରିଥିଲେ ଦଳକୁ ପ୍ରଥମାର୍ଦ୍ଧରେ ଆଗୁଆ ରଖିଥିଲେ। ହେଲେ ଦ୍ୱିତୀୟାର୍ଦ୍ଧର ଶେଷ ମିନିଟ୍‌ରେ  ସମ୍ବଲପୁର ଦଳର ପ୍ରଶାନ୍ତ ଓରାମ (୯୦ ମିନିଟ୍‌) ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲେ।

Advertisment

ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ବିଜେତା ଦଳକୁ ଟ୍ରଫି ସହ ଏକଲକ୍ଷ ଟଙ୍କା ଓ ରନର୍ସଅପ୍‌ ଦଳକୁ ଟ୍ରଫି ସହ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ଗୌରୀ ଶଙ୍କର ସାହାଣୀ ଟ୍ରଷ୍ଟ୍‌ ପକ୍ଷରୁ ସୁନିଲ ସାହୁ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୨୫୦୦୦ ଓ ୧୫୦୦୦ ଟଙ୍କାର ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ। କଟକର ସଞ୍ଜୟ ହେମ୍ବ୍ରମ ଶ୍ରେଷ୍ଠ ଗୋଲ୍‌ରକ୍ଷକ, ପ୍ରେମ ପୀୟୂଷ ବାଗ ଶ୍ରେଷ୍ଠ ରକ୍ଷଣଭାଗ, ପରାଗ ଟୁଡ଼ୁ ଫାଇନାଲ୍‌ର ଶ୍ରେଷ୍ଠ, ଲାଖାଇ ମୁର୍ମୁ, ସମ୍ବଲପୁରର ବିନୟ କିଷାନ ଶ୍ରେଷ୍ଠ ମିଡ୍‌ଫିଲ୍ଡରଙ୍କୁ ପୁରସ୍କୃତ କରାଯାଇଛି। ଫୁଟ୍‌ବଲ୍‌ ସଂଘର ସଭାପତି ତଥା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ ଓଡ଼ିଶା ଅଲିମ୍ପିକ ସଂଘ ସମ୍ପାଦକ ଅଭିଜିତ ପାଲ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଏସ୍‌ପି ନୀତିନ କୁଶଲକର, ସଂଯୋଜକ ଗଣେଶ୍ୱର ମହାନ୍ତ, ଜିଲ୍ଲା କ୍ରୀଡ଼ାସଂସ୍ଥା ଉପସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ, ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ ମଞ୍ଚାସୀନ ଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନରେ କହିଥିଲେ, ରାଜ୍ୟ ସରକାର କେନ୍ଦୁଝର ଷ୍ଟାଡିୟମ୍‌କୁ ଏକ ପୂର୍ଣ୍ଣାଙ୍ଗ ଅଥ୍‌ଲେଟିକ୍‌ ଷ୍ଟାଡିୟମରେ ପରିଣତ କରିବା ସହ ଏଠାରେ ସିନ୍ଥେଟିକ ଟ୍ରାକ୍‌, ଗ୍ୟାଲେରି ଓ ଫ୍ଲଡ୍‌ଲାଇଟ୍‌ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛନ୍ତି। ରାଙ୍କିଠାରେ ଫୁଟ୍‌ବଲ୍‌ ଏକାଡେମି, ମାଇନିଂ ସ୍କୁଲଠାରେ କ୍ରିକେଟ୍‌ ‌ଷ୍ଟାଡିୟମ୍‌, ଗୋବିନ୍ଦପୁରରେ ସୁଇମିଂ ପୁଲ୍‌ ନିର୍ମାଣ ସହ କେନ୍ଦୁଝରକୁ ଏକ ସ୍ପୋର୍ଟ୍ସ ହବ୍‌ରେ ପରିଣତ କରାଯିବ।