କଟକର ବେଆଇନ ଲିଙ୍ଗନିରୂପଣ ରାକେଟ୍‌: ଅଧା ଓଡ଼ିଶାରେ ଜାଲ ବିଛାଇଛି

ଘରୋଇ ନର୍ସିଂହୋମର ଦୁଇ ପୁରୁଷ ଓ ମହିଳା କର୍ମଚାରୀ କାର୍ପଟଦାର, ପ୍ରତି ପରୀକ୍ଷା ପାଇଁ ନେଉଥିଲେ ୬ରୁ ୧୦ ହଜାର ଟଙ୍କା

କଟକ : ବେଆଇନ ଲିଙ୍ଗ ନିରୂପଣ କାରବାର ପଛରେ ରହିଥିବା ଜଣେ ମହିଳା ଓ ଜଣେ ପୁରୁଷ ବ୍ୟକ୍ତି କାହା ଛତ୍ରଛାୟାରେ କାମ କରୁଛନ୍ତି? ୪/୫ଟି ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ ରଖି କିଭଳି ଢଙ୍ଗରେ ବର୍ଷ ବର୍ଷ ଧରି ରାଜ୍ୟର ଅଧାରୁ ଅଧିକ ଅଞ୍ଚଳରେ ଏଭଳି ବେଆଇନ ଲିଙ୍ଗନିରୂପଣ କାରବାର ଚଳାଇଛନ୍ତି?

ତଥ୍ୟ ଅନୁଯାୟୀ ଦଲାଲଙ୍କ ଜରିଆରେ ଏମାନେ ବିଭିନ୍ନ ଅଞ୍ଚଳରେ ଜାଲ ବିଛାଇ ଗର୍ଭବତୀ ମହିଳାଙ୍କୁ ପ୍ରଭାବିତ କରି ଏଠାକୁ ଆଣି ବେଆଇନ ଭାବେ ଅଲଟ୍ରାସାଉଣ୍ଡ କରି ଆସୁଛନ୍ତି। ୩ବର୍ଷରୁ ଅଧିକ ହେଲାଣି ଏହି ରୢାକେଟ୍ କାମ କରୁଥିବା ‌ବେଳେ ସ୍ବାସ୍ଥ୍ୟ ବିଭାଗ କିନ୍ତୁ ଏମାନଙ୍କ ଟେର ପାଇପାରୁନି। ବେଆଇନ ଭାବେ ଏଭଳି ଲିଙ୍ଗ ନିରୂପଣ ପାଇଁ ପ୍ରତ୍ୟେକ ଗର୍ଭବତୀଙ୍କଠାରୁ ୬ରୁ୧୦ ହଜାର ଟଙ୍କା ଆଦାୟ କରାଯାଉଥିଲା। ଏହି ପ୍ରକ୍ରିୟାରେ ସେମାନେ ଗଲା କିଛି ବର୍ଷ ଭିତରେ କୋଟି ‌କୋଟି ଟଙ୍କା ରୋଜଗାର କରି ପାରିଛନ୍ତି। ଏହି ବଡ଼ ରାକେଟର ପର୍ଦ୍ଦାଫାସ ପାଇଁ ସ୍ବତନ୍ତ୍ର ଟିମ୍‌ ବା ଟାସ୍କ ଫୋର୍ସ ଗଠନ କରିବାକୁ ଏବେ ମତ ପ୍ରକାଶ ପାଇଛି।

ଗତକାଲି କଟକରେ ଏଭଳି ଚଢଉ ପରଠାରୁ ଏହି କାରବାର ପଛରେ ଥିବା କିଛି ବ୍ୟକ୍ତି ଏବେ ସହର ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ଯେଉଁ ଡାକ୍ତରଙ୍କ ଘରେ ଏହି ଚଢଉ କରାଯାଇଥିଲା, ଗତକାଲି ତାଙ୍କୁ ଜେରାରୁ ଏହି କାରବାରକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। କିନ୍ତୁ ରାଜ୍ୟ ପିସିଏଣ୍ଡ ପିଏନ୍‌ଡିଟି ସେଲ୍‌ ଏହି ଚଢଉ କରିଥିବାବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏ ସଂପର୍କରେ ଟେର ନପାଇବା ଘଟଣା ଏବେ ସନ୍ଦେହର କାରଣ ହୋଇଛି। ଯେଉଁ ଦୁଇ ଜଣ ମହିଳା ଓ ପୁରୁଷ ଏହି କାରବାରର ପ୍ରମୁଖ ସୂତ୍ରଧର ସାଜିଥିଲେ ସେମାନେ ଏକ ଘରୋଇ ନର୍ସିଂହୋମର କର୍ମଚାରୀ। କିନ୍ତୁ ସେମାନଙ୍କ ପଛରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି।
ଏହି କାରବାରରେ କୌଣସି ରିପୋର୍ଟ ଗର୍ଭବତୀଙ୍କୁ ଦିଆଯାଉ ନଥିଲା। କେବଳ ପୁଅ ନା ଝିଅ ହେବ, ମୌଖିକ ଭାବେ ସେ ସଂପର୍କରେ ସୂଚନା ଦେଇ ଦିଆଯାଉଥିଲା।

ଗତକାଲି ସକାଳୁ ରାଜ୍ୟ ପିସିଏଣ୍ଡ ପିଏନ୍‌ଡିଟି ସେଲ୍‌ ଓ ଉପଜିଲ୍ଲାପାଳ କମଳଜିତ୍‌ ଦାସଙ୍କ ସମେତ ପ୍ରତିନିଧିମଣ୍ଡଳୀ ଚଢଉ କରିବା ସହିତ ଅଲଟ୍ରାସାଉଣ୍ଡ ପାଇଁ ଆସିଥିବା ଗର୍ଭବତୀଙ୍କ ବୟାନ ‌ରେକର୍ଡ କରିଥିଲେ। ପୁରୀ ଜିଲ୍ଲାର ଚନ୍ଦନପୁର ସିଏଚ୍‌ସିର ଡାକ୍ତର ପୂଣ୍ୟଶ୍ଲୋକ୍ ଦାସଙ୍କ କଟକର ଫ୍ରେଣ୍ଡସ୍‌ କଲୋନିସ୍ଥିତ ଘରେ ପିସିଏଣ୍ଡ ପିଏନ୍‌ଡିଟି ସେଲ ଓ ଜିଲ୍ଲାପାଳଙ୍କ ଟିମ୍‌ ମିଳିତଭାବେ ଚଢଉ କରି କେନ୍ଦ୍ରକୁ ସିଲ୍ କରିଥିଲେ। ଅନ୍ୟପଟେ ଆଜି କଟକ ସିଡିଏମ୍‌ଓ ଡାକ୍ତର ସତ୍ୟବ୍ରତ ଛୋଟରାୟ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି, ଏ ଦିଗରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ବର୍ଷକ ତଳେ ମଙ୍ଗଳାବାଗ ଥାନା ପୁଲିସ ଏକ ନର୍ସିଂହୋମରୁ ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ୍‌ ଜବତ୍‌ କରିଥିବା ବେଳେ ବେଆଇନ ଲିଙ୍ଗ ନିରୂପଣ କାରବାରର ପ୍ରମାଣ ପାଇଥିଲା। କିନ୍ତୁ ସେହି ତଦନ୍ତ ଆଉ ଆଗକୁ ବଢି ନଥିଲା।

ସମ୍ବନ୍ଧିତ ଖବର